୬୭ଟି ଟ୍ୟାଙ୍କରେ ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୨୬୮ ଟନ୍‌ ଅମ୍ଲଜାନ

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଲଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୭ ଟି ଟ୍ୟାଙ୍କର୍ ଯୋଗେ ୧୨୬୮ ଟନ୍‌ରୁ ଅଧିକ ଅମ୍ଲଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଲଜାନ ପଠାଯାଇଛି। ଅମ୍ଲଜାନ ନେଇ ଯାଉଥିବା ଟ୍ୟାଙ୍କର୍‌ ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୁଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅମ୍ଲଜାନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲାର ସମସ୍ତ ଏସ୍ପି/ଡିସିପି/ରେଞ୍ଜ ଡିଆଇଜି/ଆଇଜି ଏବଂ ପୁଲିସ୍ କମିଶନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ବୀତ କରିବାକୁ ନିର୍ଦେଶ ଦିଆଯାଇଛି।
ଅମ୍ଲଜାନ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୁଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.