ତନଖି ଫାଟକରେ ଅମ୍ଳଜାନ ଗାଡ଼ି ଶୁଳ୍କ ଛାଡ଼

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଏବେ ଅମ୍ଳଜାନ ସବୁଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ହୋଇପଡିଛି। ଏହାର ପରିବହନ ଲାଗି ବିଭିନ୍ନ ସମୟରେ ଗାଡ଼ି ତନଖି ଫାଟକଠାରେ ଅଟକୁ ଥିବାରୁ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସରକାରଙ୍କ ପକ୍ଷରୁ ଶୁଳ୍କ ଛାଡ଼ କରାଯାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି। ବିଭାଗୀୟ ସଚିବ ଡ. କ୍ରିଷନ କୁମାର ଦର୍ଶାଇଛନ୍ତି ଯେ ସରକାର ଏହାର ଗୁରୁତ୍ୱକୁ ହୃଦ୍‍ବୋଧ କରି ଶୁଳ୍କ ଛାଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଯେତେ ସବୁ ତନଖି ଫାଟକ ସେଗୁଡ଼ିିକ କୌଣସି ଅମ୍ଳଜାନ ଗାଡ଼ିିଠାରୁ ଶୁଳ୍କ ନେବେ ନାହିଁ ବୋଲି କୁହାଯାଇଛି।

ଏସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହେମନ୍ତ କୁମାର ଦତ୍ତ ଏନଏଚଏଆଇ ଆଞ୍ଚଳିକ ଅଧିକାରୀଙ୍କୁ କିଛିଦିନ ତଳେ ପତ୍ର ଲେଖି ଦର୍ଶାଇଥିଲେ ଯେ ଅମ୍ଳଜାନ ଗାଡ଼ି ଫାଟକରେ ଅଟକିବା ଯୋଗୁଁ ଭାରତ ସରକାର ଏବଂ ରାଜ୍ୟ ସରକାର ଅମ୍ଳଜାନ ପରିଚାଳନାରେ ସମସ୍ୟାରେ ପଡୁଛନ୍ତି। ତେଣୁ ଏହି ସବୁ ଗାଡିଗୁଡିକ ଲାଗି ଫାଟକରେ ସବୁଜ ବଳୟ (ଗ୍ରିନ କରିଡର) ସୃଷ୍ଟି ହେବା ଆବଶ୍ୟକ। ଏହାଦ୍ୱାରା ଅମ୍ଳଜାନ ପରିବହନ ସମସ୍ୟା କେତେକାଂଶରେ ଦୂର ହୋଇପାରିବ ବୋଲି ବିଭାଗ ଆଶା ରଖିଛି।

Comments are closed.