କରୋନା ବେଳାର ସଙ୍କଟ ମୋଚନ ; ଅମ୍ଲଜାନର ସାରଥି!

ସାରନଗରୀ : ଜାରି ରହିଛି କରୋନାର ଦ୍ୱିତୀୟ ଲହର। ରାଜ୍ୟର କିଛି ସ୍ଥାନରେ କରୋନା ସଂକ୍ରମଣ କମିଥିବା ବେଳେ, ଆଉ କିଛି ସ୍ଥାନରେ କରୋନା ସଂକ୍ରମଣର ହାର ଥମି ନାହିଁ । କରୋନାରେ ଚିକତ୍ସିତ ହେଉଥିବା ରୋଗୀ ମାନଙ୍କ ମଧ୍ୟରୁ କିଛି କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘର ମୁହାଁ ହୋଇଥିବା ବେଳେ, ଆଉ କିଛି ରୋଗୀ ଏବେ ମଧ୍ୟ ଗୁରୁତର ଅବସ୍ଥାରେ କୋଭିଡ଼ ହାସପାତାଳ ଗୁଡ଼ିକରେ ଚିକିତ୍ସାରତ । ଚାଲିଛି ଜୀବନ ମୃତ୍ୟୁର ଛାଇ, ଆଲୁଅର ଖେଳ! ଏହି ରୋଗୀ ମାନଙ୍କ ପାଇଁ ରାମବାଣ ହେଉଛି ଅମ୍ଲଜାନ । ଏହି ଅମ୍ଲଜାନ ଗୁଡ଼ିକୁ ବିଭିନ୍ନ ଭାରୀଯାନ ଟ୍ୟାଙ୍କର ସାହାଯ୍ୟରେ ରାଉରକେଲାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ପହଂଚାଉଛନ୍ତି କିଛି ଭାରୀଯାନ ଚାଳକ। ଏମାନେ କରୋନା ବେଳାରେ ପାଲଟି ଯାଇଛନ୍ତି କରୋନା ବେଳାର ସଙ୍କଟମୋଚନ!  ସାଜିଛନ୍ତି ଅମ୍ଲଜାନର ସାରଥି । ରାତି ପାହିଲେ ଫର୍ଟିଲାଇଜର ଇସ୍ପାତ କାରଖାନା ଗେଟରୁ ବାହାରି  ସାରନଗରୀ ରାଜରାସ୍ତାରେ ତରଳ ଅମ୍ଲଜାନଯୁକ୍ତ ଭାରୀଯାନ ଟ୍ୟାଙ୍କର ଗୁଡ଼ିକ ପ୍ରତିଦିନ ଗଡ଼ିବା ଦେଖିବାକୁ ମିଳୁଛି । ତାଲାବନ୍ଦ ହେଉ ଅବା ସପ୍ତାହନ୍ତ ବନ୍ଦ ଏହି ସେବା ଅନବରତ ଜାରି ରହିଛି । କରୋନାରେ ପିଡ଼ିତ ଗୁରୁତର ରୋଗୀଙ୍କ ନିକଟରେ ପଂହଚିବାରେ ଲାଗିଛି ଅମ୍ଲଜାନ । ଏହି  ତରଳ ଅମ୍ଲଜାନର ସାରଥି ସାଜିଥିବା କିଛି ବାହାର ରାଜ୍ୟ ଚାଳକଙ୍କ ମତାମତକୁ ନେଇ ଏକ ସ୍ୱତନ୍ତ୍ର ଉପସ୍ଥାପନା….(ସରୋଜ ବେହେରା)
ଜନସେବା ଆଗ, ପରିବାର ପଛ!
‘ମୁଁ ବିହାର ରାଜ୍ୟର ର ମୂଳ ବାସିନ୍ଦା । ଘରେ ବାପା, ମାଙ୍କ ସମେତ ଭାଇ ମାନେ ଅଛନ୍ତି । ପ୍ରାୟ ୪ ମାସ ହେଲା ରାଉରକେଲା ମାଟିରେ ପାଦ ଥାପିଛି । ତରଳ ଅମ୍ଲଜାନ ଭରା ଟ୍ୟାଙ୍କର ନେଇ ରାଉରକେଲାରୁ ଝାରସୁଗୁଡ଼ା, ସମ୍ବଲପୁର ଆଦି ଅଂଚଳ ଗସ୍ତ କରି ସାରିଲିଣି । ବାଟରେ ଯିବା ସମୟରେ ପ୍ରାୟ କିଛି ସମସ୍ୟାର ସମ୍ମୁଖୀନ ହୁଏ ନାହିଁ । ମାତ୍ର ଯିବା ସମୟରେ କିଛି ଜାଗାରେ ରାସ୍ତା ଖରାପ ଥିବା କାରଣରୁ ଯାତ୍ରାରେ ସାମାନ୍ୟ ବିଳମ୍ବ ହୋଇଥାଏ, ତଥାପି ନିର୍ଦ୍ଧାରିତ ସମୟରେ ଗନ୍ତ୍ୟବସ୍ଥଳରେ ପହଂଚିବାକୁ ହୁଏ । କରୋନାର ଏହି ବିପତି କାଳରେ ସମଗ୍ର ସମାଜ ଏକ ପରିବାର ଭଳି । ତେଣୁ ଜନସେବା ଆଗ, ପରିବାର ପଛ ବୋଲି ମୁଁ ମନେ କରେ । ରାଉରକେଲାର ପରିବେଶ ବହୁତ ଭଲ ଲାଗୁଛି ବୋଲି ସେ ପ୍ରକାଶ କରିଥିଲେ’ । ଉଦୟ କୁମାର
କରୋନା ଏକ ଲମ୍ବା ଲଢେଇ, ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା
‘ମୋତେ ୫୦ ଛୁଇଁଲାଣି । ମୁଁ ପଂଜାବ ରାଜ୍ୟ ଦସମିସ ନଗରର ମୂଳ ବାସିନ୍ଦା । କରୋନା ମହାମାରୀର ଦ୍ୱିତୀୟ ଲହର ସାରା ଭାରତ ବର୍ଷରେ କାୟା ବିସ୍ତାର କରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନଙ୍କ ସହଯୋଗରେ ଗୁରୁତର ରୋଗୀ ମାନଙ୍କୁ ସିଲିଣ୍ଡର ମାଧ୍ୟମରେ ଅମ୍ଲଜାନ ଯୋଗାଣ ଏକ ଭଲ ପ୍ରୟାସ । ମୁଁ ବର୍ତମାନ ସୁଦ୍ଧା ସମ୍ବଲପୁର, ଝାରସୁଗୁଡ଼ା ଓ ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କୁ ଅମ୍ଲଜାନ ପହଂଚାଇ ସାରିଲିଣି । ଏହି କାମ କଲାବେଳେ ମନରେ ଆତ୍ମ ସନ୍ତୋଷ ଜାଗ୍ରତ ହେଉଛି । । କରୋନା ମହାମାରୀ ଏକ ଲମ୍ବା ଲଢେଇ ଅଟେ ଓ ଆମେ ସମସ୍ତେ ଏହି ଲଢେଇର ଜଣେ ଜଣେ ଯୋଦ୍ଧା’ । ବଲଦେବ ସିଂ
ନିଜ ଜୀବନକୁ ବାଜି ଲଗାଇଛି
ପଞ୍ଜାବର କପୁରତାଲାରେ ମୋ ଘର । କରୋନା ଭଳି ମହାମାରୀ ଆଗକୁ କେବେ ଦେଖିନଥିଲି । ଏହି ମହାମାରୀରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରିବା ସହ ଭାରତବର୍ଷର ଆର୍ଥକ ଅବସ୍ଥା ଟଳମଳ ହୋଇଗଲା । ହଜାର ହଜାର ଲୋକ ବେକାର ହୋଇଗଲେ । ମୁଁ  ବର୍ତମାନ ଅବିବାହିତ । ମୋତେ ୪୮ ବର୍ଷ ଛୁଇଁଲାଣି । ନିଜ ଜୀବନକୁ ଲୋକଙ୍କ ସେବାରେ ବାଜି ଲଗାଇ ଦେଇଛି । ପ୍ରାୟ ୨୨ ବର୍ଷ ହେଲା ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଛି । ଏହା ମଧ୍ୟରେ ଭାରତର ଅହମଦାବାଦ, ମୁମ୍ବାଇକୁ ତରଳ ଅମ୍ଲଜାନ ଟ୍ୟାଙ୍କର ଯୋଗେ ନେଇ ସାରିଲେଣି, ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ମୁଁ ସତର୍କତା ସହିତ ଅମ୍ଲଜାନ ପରିବହନ କରିଥାଏ । କୁଲଦୀପ ସିଂ  
ଏଭଳି ମହାମାରୀ ଆଗକୁ ନଆସୁ
ଉତର ପ୍ରଦେଶର ଗୋଣ୍ଡା ଅଂଚଳରେ ମୋର ପୈତୃକ ଘର । ମୋତେ ବର୍ତମାନ ମାତ୍ର ୩୫ବର୍ଷ । ଏହି ଯୁବ ଅବସ୍ଥାରେ ଏପରି ବିପତି କେବେ ଆଗରୁ ଅଙ୍ଗେ ନିଭେଇ ନଥିଲି । କରୋନା ମହାମାରୀରେ ବହୁ ଜୀବନ ଅକାଳରେ ଝଡ଼ିଗଲା । ଆମ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବା ସହ ନିହାତି ଭାବେ ତୁଣ୍ଡି ପରିଧାନ କରିବା ଦରକାର, ତେବେ ଯାଇ ସଂକ୍ରମଣରୁ ମୁକ୍ତି ମିଳି ପାରିବ । ମାତ୍ର ଦୁଇ ମାସ ହେଲା ରାଉରକେଲା ଆସିଛି । ଏହା ମଧ୍ୟରେ ପୁନେ, ଭିଲାଇ, ମୁମ୍ବାଇ ଆଦିକୁ ତରଳ ଅମ୍ଲଜାନ ପହଂଚାଇ ସାରିଲିଣି ।ଏହା ପହଂଚାଇବା ପରେ ଅନ୍ୟକୁ ଏକ ନୂତନ ଜୀବନ ମିଳି ପାରୁଛି । ଅମ୍ଲଜାନ ପହଂଚାଇବାରେ ଭାରତବର୍ଷରେ ହଜାର ହଜାର ଟ୍ୟାଙ୍କର ଚାଳକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଇଶ୍ୱରଙ୍କୁ ଏତିକି ପ୍ରାର୍ଥନା ଏଭଳି ମହାମାରୀ ଆଗକୁ ନଆସୁ । ରାଜେଶ ମୌର୍ଯ୍ୟ

Comments are closed.