ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୩୯୬୪ ଟନ୍‍ରୁ ଅଧିକ ଅକ୍ସିଜେନ୍‍

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୨୧୪ଟି ଟ୍ୟାଙ୍କର ଯୋଗେ ୩୯୬୪.୫୪୨ ଟନ୍‍ରୁ ଅଧିକ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍‍ ପଠାଯାଇଛି। ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍‍ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୁଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୨୬ଟି ଟ୍ୟାଙ୍କର ଯୋଗେ ୪୨୫.୦୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୪୬ଟି ଟ୍ୟାଙ୍କର ଯୋଗେ ୭୨୯.୨୫ଟନ୍‍, ଯାଜପୁର ଜିଲ୍ଲାରୁ ୬୦ଟି ଟ୍ୟାଙ୍କର ଯୋଗେ ୧୨୩୯.୫୭ ଟନ୍‍ ଏବଂ ରାଉରକେଲାରୁ ୮୨ଟି ଟ୍ୟାଙ୍କର ଯୋଗେ ୧୫୭୦.୭୦୨ ଟନ୍‍ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୬୪ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୩୪୭.୫୫ ଟନ୍‍, ୬୦ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୧୦୧୨.୪୮୯ଟନ୍‍, ତାଲିମନାଡୁକୁ ୫ଟି ଟ୍ୟାଙ୍କର ଯୋଗେ ୯୮.୫୪ଟନ୍‍, ହରିୟାଣାକୁ ୨୨ଟି ଟ୍ୟାଙ୍କରରେ ୪୫୪.୫୯୨ ଟନ୍‍, ମହାରାଷ୍ଟ୍ରକୁ ୧୨ଟି ଟ୍ୟାଙ୍କରରେ ୧୯୫.୭୬ଟନ୍‍, ଛତିଶଗଡ଼କୁ ୧୧ଟି ଟ୍ୟାଙ୍କରରେ ୧୬୮.୧୦୧ଟନ୍‍, ଉତ୍ତରପ୍ରଦେଶକୁ ୧୭ଟି ଟ୍ୟାଙ୍କର ଯୋଗେ ୩୦୯.୯୯ ଟନ, ୨୩ଟି ଟ୍ୟାଙ୍କର ଯୋଗେ ୩୭୭.୫୨ଟନ୍‍ ଅକ୍ସିଜେନ୍‍ ମଧ୍ୟପ୍ରଦେଶକୁ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍‌ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍‍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ଯୋଗାଣ  କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତଏସ୍‍ପି/ଡିସିପି/ରେଂଜଡିଆଇଜି/ଆଇଜି ଏବଂ ପୁଲିସ୍‍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍‍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‍କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୁଲିସ୍‍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.