ନାସିକରେ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ, ମୃତକଙ୍କ ପିଛା ୫ ଲକ୍ଷ କ୍ଷତିପୂରଣ ଘୋଷଣା

ନାସିକ: ମହାରାଷ୍ଟ୍ରର ନାସିକସ୍ଥିତ ଡ. ଜାକିର ହୁସେନ୍ ମ୍ୟୁନିସିପାଲ ହସ୍ପିଟାଲରେ ବୁଧବାର ଅମ୍ଳଜାନ ଅଭାବରୁ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ଜଣ ମହିଳା ଥିବା ପ୍ରକାଶ। ଡାକ୍ତରଖାନା ପରିସରସ୍ଥ ଟାଙ୍କିରୁ ହଠାତ୍ ଅମ୍ଳଜାନ ନିର୍ଗତ ହୋଇଯିବା କାରଣରୁ ଅମ୍ଳଜାନ ସଂଯୋଗ ଥିବା ଗୁରୁତର ରୋଗୀଙ୍କଠାରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା; ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ସମୟରେ ଡାକ୍ତରଖାନାରେ ୮୦ ରୋଗୀ ଭେଣ୍ଟିଲେଟରରେ ଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୩୧ଜଣଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ଦ୍ବାରା ଜୀବନ ରକ୍ଷା କରାଯାଇ ପାରିଥିଲା। ସମଗ୍ର ଅଞ୍ଚଳରେ ଅମ୍ଳଜାନ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପ୍ରଥମେ ଅମ୍ଳଜାନ ନିର୍ଗମନକୁ ବନ୍ଦ କରାଯିବା ସହ ସତର୍କତା ଜାରି କରାଯାଇଥିଲା। ଏହି ଦୁର୍ଘଟଣା ନେଇ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ପ୍ରବୋଧନା ଦେବା ପରେ ପରିସ୍ଥିତି ସମ୍ଭାଳ ପଡ଼ିଥିଲା।

ନାସିକ ଜିଲାପାଳ ସୂରଜ ମାନ୍ଧାରେଙ୍କ ସୂଚନାନୁଯାୟୀ, ଡ. ଜାକିର ହୁସେନ୍ ପୌର ଡାକ୍ତରଖାନା କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ ଥିଲା ଏବଂ ଏଠାରେ ୧୭୧ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ ଓ ସମସ୍ତଙ୍କଠାରେ ଅମ୍ଳଜାନ ସଂଯୋଗ ଥିଲା। ଅମ୍ଳଜାନ ଟାଙ୍କିରେ କଳଙ୍କି ଲାଗି ଏଥିରୁ ବାଷ୍ପ ନିର୍ଗମନ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହାର ମରାମତି କରାଯାଇ ପ୍ରାୟ ଘଣ୍ଟାକ ପରେ ଏଥିରୁ ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ଆରମ୍ଭ ହୋଇଥିବା ସେ କହିଛନ୍ତି। ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରମୁଖ ଏଥିନେଇ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

Comments are closed.