ଶୀତଳପାଣିରେ ହେବ ଅକ୍ସି ଟୁରିଜିମ; ପ୍ରସ୍ତାବିତ ପର୍ଯ୍ୟଟନସ୍ଥାନ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଶୀତଳପାଣି ଠାରେ ଏକ ଅକ୍ସି ଟୁରିଜିମ କରାଯିବା ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ଅଂଟା ଭିଡିଛି। ପ୍ରସ୍ତାବିତ ପର୍ଯ୍ୟଟନସ୍ଥଳ ସ୍ଥାନ ନିରୁପଣ ପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପ୍ରଶାସନର ପକ୍ଷରୁ ଏକ ୫ଜଣିଆ ଟିମ ଶୀତଳପାଣି, ସୁନାଖଣିଆ, ମାରଡା ଭଳି ତିନୋଟି ସ୍ଥାନ ପରିଦର୍ଶନ କରିଥିବା ଜଣାପଡିଛି। ଏହା ସହିତ ପୋଡଶୀ ଜିଲ୍ଲା ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା ଛାମୁଣ୍ଡିଆ ରେଞ୍ଜର ବଡମୁଳ ଇକୋ-ରିଟ୍ରିଟ୍ ଜିଲ୍ଲାପାଳଙ୍କ ସହିତ ୫ଜଣିଆ ଟିମ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ବଡମୁଳ ଠାରୁ ଆହୁରି ଆକର୍ଷଣୀୟ ଅକ୍ସି ଟୁରିଜିମ ଜିଲ୍ଲା ଶୀତଳପାଣିରୁ ମାରଡା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି। ଆଜି ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀ, ବୌଦ୍ଧ ପି.ଡି ବବିତାରାଣୀ ଦଳବେହେରା, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ହରଭଙ୍ଗା ବି.ଡି.ଓ  ନୀଲକଣ୍ଠ ବେହେରା ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତି ଥିଲେ।

ସୂଚନା ଥାଉ କି, ବିଶ୍ୱପର୍ଯ୍ୟଟନ ଦିବସରେ ବୌଦ୍ଧର ୨୭ଟି ପର୍ଯ୍ୟଟନ ସ୍ଥାନକୁ ବୌଦ୍ଧ ଅକ୍ସି ଟୁରିଜିମରେ ସାମିଲ କରାଯାଇ ଏହାର ବିକାଶ ଦିଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗକୁ ବୌଦ୍ଧକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନରେ ସ୍ଥାନିତ କରିବାକୁ ଜିଲ୍ଲାପାଳଙ୍କ ଏଭଳି ସୁଚିନ୍ତିତ ପ୍ରୟାସକୁ ସବୁ ମହଲରେ ପ୍ରଂଶସା କରାଯାଇଛି। ଜିଲ୍ଲାପାଳଙ୍କ ଏଭଳି ମହତ ଉଦ୍ୟମ ଆଗକୁ ବୌଦ୍ଧ ପର୍ଯ୍ୟଟନ ସ୍ଥାନ ଭାବେ ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି।

Comments are closed.