ପାଣିଟାଙ୍କି ଅଚଳ – ୩ମାସ ହେଲା ୨ଶହ ପରିବାର ଡ଼ହଳ ବିକଳ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦେଉଳିଆ ପଞ୍ଚାୟତର ବଇଁଚା ଗ୍ରାମବାସୀ ବିଶୁଦ୍ଧ ପିଇବାପାଣି ପାଇଁ ୩ମାସ ଧରି ଡ଼ହଳବିକଳ ହେଉଛନ୍ତି। ବିଦ୍ୟୁତ ସମସ୍ୟା ପାଇଁ ଗାଁରେ ଥିବା ଓଭରହେଡ଼ ପାଣିଟାଙ୍କି ମୋଟର ଚାଲିପାରୁ ନଥଇବାରୁ ଏପରି ସମସ୍ୟା ଦେଖାଦେଇଛି। ବର୍ଷାଋତୁରେ ପିଇବାପାଣି ଜନିତ ବ୍ୟାପୁଥିବା ସଂକ୍ରାମକ ରୋଗରୁ ଗାଁକୁ ବଞ୍ଚାଇବା ପାଇଁ ଗ୍ରାମବାସୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲିଖିତ ଭାବରେ ସେମାନେ ଏକ ଅଭିଯୋଗ ତାଙ୍କୁ ପ୍ରଦାନ କରି ଏକକିତା ନକଲ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଓ ବଡ଼ସାହି ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ଜଳକଷ୍ଟ ବଇଁଚା ଗ୍ରାମରେ ୨୦୦୯-୧୦ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ୪୦ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ଼ ପାଣିଟାଙ୍କି ନିର୍ମାଣ ପୂର୍ବକ ଗାଁର ୨୦୦ ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସେତେବେଳେ ନେସ୍କୋଠାରୁ ବିଦ୍ୟୁତ ସଂଯୋଗ ନିଆଯାଇଥିଲା। ତେବେ ୫ବର୍ଷ ପରେ ବିଭାଗ ପକ୍ଷରୁ ସୋଲାର ବ୍ୟବସ୍ଥା କରାଯାଇ ପ୍ରକଳ୍ପକୁ ବିକଳ୍ପ ବିଦ୍ୟୁତ ସେବା ଯୋଗାଇ ଦିଆଗଲା। ଫଳରେ ନେସ୍କୋଠାରୁ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ତାଲାବନ୍ଦ ଘୋଷଣାର ୨ଦିନ ପରେ ମାର୍ଚ୍ଚ ୨୬ତାରିଖରୁ ହଠାତ ସୋଲାର ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ପାଇଁ ମୋଟର ନଚାଲିବାରୁ ପ୍ରକଳ୍ପ ଅଚଳ ହୋଇପଡ଼ିଲା। ଫଳରେ ନିର୍ଭରଶୀଳ ଗ୍ରାମବାସୀ ଧୁଧୁ ଖରାଦିନରେ ପାଣି ଟିକକ ପାଇଁ ସମସ୍ୟାରେ ଛନ୍ଦି ହୋଇଗଲେ। ପଞ୍ଚାୟତ ପକ୍ଷରୁ ଗ୍ରାମରେ ଥିବା ନଳକୂପରୁ ଲୌହମିଶ୍ରିତ ପାଣି ବାହାରୁ ଥିବାରୁ ତାହା ପିଇବା ଅନୁପଯୋଗୀ ହେଉଛି।

କେବଳ ଗୋଟିଏ ନଳକୂପ ଯଦିଓ ପିଇବା ଉପଯୋଗୀ ପାଣି ଯୋଗାଉଛି, ତେବେ ମହିଳାଙ୍କ ଲମ୍ବା ଲାଇନ ସାମାଜିକ ଦୂରତ୍ୱକୁ ରକ୍ଷା କରିପାରୁନି। ୩୦/୪୦ପରିବାର ପାଣି ନେବା ପରେ ନଳକୂପରୁ ଗୋଳିଆ ପାଣି ବାହାରୁ ଥିବାରୁ ରାତି ପାହିବା ପୂର୍ବରୁ ସେହି ନଳକୂପ ସମ୍ମୁଖରେ ଲମ୍ବା ଲାଇନ ଲାଗି ରହୁଛି। ପାଣି ନେବା ପାଇଁ ବେଳେ ବେଳେ ଅପ୍ରୀତିକର ସ୍ଥିତି ମଧ୍ୟ ଉପଜୁଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏନେଇ ପଚାରିବାରୁ ସେ କହନ୍ତି, ‘ସୋଲାର ସିଷ୍ଟମ ସଚଳ ପାଇଁ କମ୍ପାନୀ ମେକାନିକ ଆସି ଦେଖିଛନ୍ତି। ଏକ ଯନ୍ତ୍ରାଂଶ ଅପସାରଣ ପୂର୍ବକ ନୂତନ ଭାବେ ଲାଗିଲେ ସମସ୍ୟା ଦୂର ହୋଇଯିବ। ତାଲବନ୍ଦ ପାଇଁ ପୁନେରୁ ଉକ୍ତ ଯନ୍ତ୍ରାଂଶ ଆସିବା ବିଳମ୍ବ ହେଉଛି’। ତେବେ ସମସ୍ୟା ସମାଧାନ ଯାଏଁ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ବା ଜେନେରେଟର ଯୋଗେ ପିଇବା ପାଣି ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.