କୋଭିଡ ଆରୋଗ୍ୟ ସଂଖ୍ୟା ୨୦ଲକ୍ଷ ଟପିଲା : ମୃତ୍ୟୁହାର ୧.୧୯%
ଆରୋଗ୍ୟ ହାର ୭୩.୬୪%କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ଏଥିସହିତ କୋଭିଡ ଆରୋଗ୍ୟ ହାର ୭୩.୬୪%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୨୦ଲକ୍ଷ ୩୭ହଜାର ୮୭୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।
କରୋନା ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇ ଶତକଡ଼ା ୧.୧୯ ପ୍ରତିଶତ ରହିଛି। ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ମୃତ୍ୟୁ ହାର ଜାତୀୟ ମୃତ୍ୟୁହାରଠାରୁ କମ୍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ପ୍ରାୟ ୬୪ ହଜାର ନୂଆ ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କୋଭିଡ୍ ସଂକ୍ରମିତମାନଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ ରହିଛି। କୋଭିଡରେ ସଂକ୍ରମିତ ହାର ମଧ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ମୋଟ୍ ନମୁନା ପରୀକ୍ଷାର ଏହା ଶତକଡ଼ା ୭.୭୨ ପ୍ରତିଶତ ରହିଛି।
ବର୍ତ୍ତମାନ ଦେଶରେ ୬ଲକ୍ଷ ୭୬ ହଜାର ୫୧୪ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି। ଗୋଟିଏ ଦିନ ଭିତରେ ଆଉ ୧ ହଜାର ୯୨ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍ ମୃତ୍ୟୁସଂଖ୍ୟା ୫୨ ହଜାର ୮୮୯ରେ ପହଞ୍ଚିଛି।