ବହିରାଗତଙ୍କୁ ଆତଙ୍କବାଦୀଙ୍କ ଧମକ : ତୁରନ୍ତ କାଶ୍ମୀର ଛାଡ଼

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍‌ଙ୍କ ସମତେ ବହିରାଗତ ଶ୍ରମିକଙ୍କୁ ନିଶାଣ କରିଛି ୟୁନାଇଟେଡ୍‌ ଲିବରେସନ୍‌ ପ୍ରଣ୍ଟ (ୟୁଏଲଏଫ୍‌) ନାମକ ଆତଙ୍କବାଦୀ ସଂଗଠନ। ରବିବାର ଘଟିଥିବା ଦୁଇ ବହିରାଗତଙ୍କୁ ହତ୍ୟା ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଛି। ଏଥିସହିତ ଅନ୍ୟ ରାଜ୍ୟବାସୀଙ୍କୁ ତୁରନ୍ତ କାଶ୍ମୀର ଛାଡ଼ି ଚାଲିଯିବାକୁ ଏହା ଚେତାବନୀ ଦେଇଛି। ଏ ସଂକ୍ରାନ୍ତ ଏକ ଚିଠି ଜାରି କରିଛି ୟୁଏଲଏଫ୍‌। ଏଥିରେ ଦର୍ଶାଯାଇଛି ଯେ ‘ଅଶ କାଶ୍ମୀରୀ ତୁରନ୍ତ ଛାଡ଼ି ପଳାଅ; ନଚେତ୍‌ ସମସ୍ତଙ୍କୁ ହତ୍ୟା​‌ କରାଯିବ। କୁଲଗାମରେ ଆମର ସ୍ବାଧୀନତା ସଂଗ୍ରାମୀମାନେ ୩ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି। ସପ୍ତାହକ ମଧ୍ୟରେ ଭାରତୀୟ ସେନା ଆମର ୪ ଜଣଙ୍କୁ ଗୁଳି ବିନିମୟ ଆଳରେ ସହିଦ କରିଛି। ଅନନ୍ତନାଗର କୋକରନାଗରେ ଜଣେ ଲୋକକୁ ମଧ୍ୟ ସିଆର୍‌ପିଏଫ୍‌ ଯବାନ ହତ୍ୟା କରିଥିଲେ। ଭାରତୀୟ ସେନା ଯେଉଁଭଳି ଭାବେ ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର କରୁଛି ଏହା ତାହାର ପ୍ରତିଶୋଧ। ସାଧାରଣ ନାଗରିକଙ୍କ ବିରୋଧରେ ଜୁଲମ ବନ୍ଦ ନ କଲେ ଆମ ସେନା ରାଜନେତା, ପୁଲିସଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବାଦ୍‌ ଦେବ ନାହିଁ।’ ଏଭଳି ଚିଠି ହସ୍ତଗତ ହେବା ପରେ ସୁରକ୍ଷା କର୍ମୀ ଅଧିକ ସତର୍କତା ଅବଳମ୍ବନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ କାଶ୍ମୀରରେ କାମ କରୁଥିବା ଅନ୍ୟ ରାଜ୍ୟର ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସେମାନେ ଏବେ କାଶ୍ମୀର ଛାଡ଼ି ନିଜ ଘରକୁ ଫେରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସେଥିପାଇଁ ରେଳ ଷ୍ଟେସନ୍‌ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ନିଜ ଘରକୁ ଫେରିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଅପେକ୍ଷା କରିଛନ୍ତି। ସେମାନେ ନାନାବିଧ ମାନବୀୟ ଦୁର୍ଦଶାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି।
କାଶ୍ମୀରରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣ ସାଧାରଣ ନାଗରିକ ତଥା ବାହାର ରାଜ୍ୟବାସୀଙ୍କୁ ହତ୍ୟା କରାଯିବା ଘଟଣାରେ କେନ୍ଦ୍ର ସରକାର ପୁନର୍ବାର ସେଠାକୁ ଏକ ସ୍ବତନ୍ତ୍ର ଗୁଇନ୍ଦା ଦଳ ପଠାଇଛନ୍ତି। ପୂର୍ବରୁ ଶ୍ରୀନଗର ଯାଇଥିବା ଗୁଇନ୍ଦା ଦଳ ଶନିବାର ଦିଲ୍ଲୀ ଫେରି ସରକାରଙ୍କୁ ବିବରଣୀ ପ୍ରଦାନ ପରେ ସେମାନଙ୍କୁ ପୁନର୍ବାର ସୋମବାର ସେଠାକୁ ପଠାଯାଇଛି। ଜଣେ ଅତିରିକ୍ତ ନିର୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଯାଇଥିବା ଏହି ଦଳକୁ ଆବଶ୍ୟକ ସହାୟତା ଯୋଗାଇବାକୁ ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, କାଶ୍ମୀରରେ ସମ୍ପ୍ରତି ୨୮ଟି ଗୁଇନ୍ଦା ସଂସ୍ଥା କାମ କରୁଛନ୍ତି। ସେମାନେ ପଠାଉଥିବା ବିବରଣୀ ସଂଖ୍ୟା ଏବେ ୪୦ ପ୍ରତିଶତ ବୃଦ୍ଧି ପାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ବିଶେଷଜ୍ଞ ଦଳ ଏଗୁଡ଼ିକର ଯାଞ୍ଚ କରୁଛନ୍ତି।

Comments are closed.