କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ବିସିସିଆଇର ବର୍ତମାନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ସ୍କୁଲ ସ୍ଥାପନ ନିମନ୍ତେ ମମତା ସରକାରଙ୍କଠାରୁ ପାଇଥିବା ୨ ଏକର ଜମି ଫେରାଇ ଦେଇଛନ୍ତି । ଦିନକ ତଳେ ଗାଙ୍ଗୁଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କୁ ଦିଆଯାଇଥିବା ଜମି ଫେରସ୍ତ କରିଦେଇଛନ୍ତି ।  ତାଙ୍କର ଏହି ପଦକ୍ଷେପ ପରେ ସେ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି ଓ ଦଳ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଉପଯୁକ୍ତ ଛବି ଖୋଜିବା ଆରମ୍ଭ କରିଛି । ସୌରଭ ଯଦି ବିଜେପିରେ ସାମିଲ ହୁଅନ୍ତି, ତେବେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରା୍ର୍ଥୀ କରିପାରେ ବୋଲି ଚର୍ଚା ହେଉଛି ।

ପୂର୍ବରୁ ବାମମୋର୍ଚା ସରକାର ଥିବାବେଳେ ଗାଙ୍ଗୁଲିଙ୍କୁ ସଲ୍ଟଲେକ୍ ଅଞ୍ଚଳରେ ଜମି ପ୍ରଦାନ କରାଯାଇଥିଲା । ମାତ୍ର ଆଇନଗତ କାରଣ ଯୋଗୁଁ ଏହି ଜମି ଗାଙ୍ଗୁଲିଙ୍କୁ ମିଳିପାରି ନ ଥିଲା । ତୃଣମୂଳ ସରକାର ମଧ୍ୟ ପଶ୍ଚିମବଙ୍ଗ ହାଉସିଂ ଇନଫ୍ରାଷ୍ଟ୍ରକଚର ଡ଼େଭଲପମେଣ୍ଟ କର୍ପୋରେସନ ଜରିଆରେ ଦ୍ବାଦଶ ପର୍ଯ୍ୟନ୍ତ ଆଇସିଏସସିର ଏକ ସ୍କୁଲ ଖୋଲିବା ପାଇଁ ଗାଙ୍ଗୁଲିଙ୍କୁ ୨ ଏକର ଜମି ମଞ୍ଜୁର କରିଥିଲେ, ମାତ୍ର ତାହା ମଧ୍ୟ ଆଇନଗତ ସମସ୍ୟା ଯୋଗୁଁ ଗାଙ୍ଗୁଲି ହାସଲ କରିପାରି ନଥିଲେ।

ସୂଚନା ଅନୁସାରେ ଗାଙ୍ଗୁଲି ଏଜୁକେସନ ଏଣ୍ଡ ୱେଲଫେୟାର ସୋସାଇଟି ପକ୍ଷରୁ ଏହି ଜମି ସମ୍ପର୍କୀୟ କାଗଜପତ୍ର ରାଜ୍ୟ ସରକାରଙ୍କୁ ପଠାଇ ଦିଆଯାଇଛି । ସୌରଭ ଗାଙ୍ଗୁଲି ଏହି ସଂସ୍ଥାର ଅଧ୍ୟକ୍ଷ ଅଛନ୍ତି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏହି କାଗଜପତ୍ର ପଠାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସୌରଭ ଗାଙ୍ଗୁଲିଙ୍କର ସମ୍ପର୍କ ବେଶ୍ ଭଲ ବୋଲି କୁହାଯାଏ । ବଙ୍ଗଳା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦରେ ସୌରଭ ଅଭିଷିକ୍ତ ହେବା ପଛରେ ମମତାଙ୍କର ବଡ଼ ଭୂମିକା ଥିବା ମଧ୍ୟ ଆଲୋଚିତ ହୁଏ ।

ମାତ୍ର ରାଜନୈତିକ ବିଶେଷଜ୍ଞମାନଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯେଉଁ ପରିସ୍ଥିତିରେ ଓ ଯେଉଁପରି ଭାବରେ ଗାଙ୍ଗୁଲି ସରକାରଙ୍କୁ ଜମି ଫେରାଇଛନ୍ତି ତାହା ଏକ ଭୁଲ ବାର୍ତା ଦେଇଛି । ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରିବା ପଛରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ସ୍ଥିତିରେ ଗାଙ୍ଗୁଲି ବିଜେପିରେ ସାମିଲ ହେବା ନେଇ ଚର୍ଚା ଆରମ୍ଭହୋଇଛି । ତେବେ ଗାଙ୍ଗୁଲି ବିଭିନ୍ନ ସମୟରେ ରାଜନୀତି ପ୍ରବେଶକୁ ଅସ୍ବୀକାର କରି ଆସୁଥିବାରୁ ତାଙ୍କର ପରବର୍ତୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।