କରୋନା ସମୟରେ ଆମର ରଣନୀତିକ ଭାଗିଦାରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ: ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ ମୋରିସନଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଶେଷ ଭାବରେ କରୋନା ସଂକ୍ରମଣ ସମୟରେ ବ୍ୟାପକ ରଣନୀତିକ ଭାଗିଦାରୀ ଉପରେ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି। ମହାମାରୀର ଆର୍ଥିକ ତଥା ସାମାଜିକ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରିବା ପାଇଁ ଏକ ସମନ୍ୱିତ ତଥା ସହଯୋଗୀ ଆଭିମୁଖ୍ୟ ଗ୍ରହଣ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ କରୋନା ସଙ୍କଟ ସମୟରେ ଆମର ବ୍ୟାପକ ରଣନୀତିକ ଭାଗିଦାରୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମହାମାରୀର ଆର୍ଥିକ ତଥା ସାମାଜିକ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରିବା ପାଇଁ ବିଶ୍ୱକୁ ଏକ ସମନ୍ୱିତ ତଥା ସହଯୋଗୀ ଆଭିମୁଖ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ସଙ୍କଟକୁ ଭାରତ ସରକାର ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଭାରତରେ ପ୍ରାୟ ସମସ୍ତ କ୍ଷେତ୍ରରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଖୁବ ଫଳବତୀ ହେବ।” ସେ କହିଛନ୍ତି ଯେ ଏହି ବିଶ୍ୱସ୍ତରୀୟ ମହାମାରୀ ଦୁନିଆର ପ୍ରତ୍ୟେକ ପ୍ରକାର ବ୍ୟବସ୍ଥାକୁ ପ୍ରଭାବିତ କରିଛି ଏବଂ ଦୁଇ ନେତାଙ୍କ ମଧ୍ୟରେ ଡିଜିଟାଲ ବାର୍ତ୍ତାଳାପ ମଧ୍ୟ ସମାନ ପ୍ରଭାବର ଉଦାହରଣ ଅଟେ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କ ଗସ୍ତ ଚଳିତ ବର୍ଷ ଦୁଇଥର ବାତିଲ ହୋଇଛି ଏବଂ ଖୁବ ଶୀଘ୍ର ପରିବାର ସହ ଭାରତ ଗସ୍ତ ଯୋଜନା କରିବାକୁ ତାଙ୍କୁ ଅନୁରୋଧ କରାଯାଇଛି। ସେ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କୁ କହିଛନ୍ତି, ଜଣେ ବନ୍ଧୁ ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସ୍ଥିତିରେ ସୁଧାର ଆସିବା ପରେ ଆମ ଆତିଥ୍ୟ ଗ୍ରହଣ କରି ଶୀଘ୍ର ଭାରତ ଗସ୍ତ ଯୋଜନା କରନ୍ତୁ।ମୋଦୀ କହିଛନ୍ତି, “ମୁଁ ବିଶ୍ୱାସ କରେ ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାର ଏହା ପ୍ରକୃଷ୍ଟ ସୁଯୋଗ ଓ ସମୟ। ଆମର ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ଆମର ଅସୀମ ସମ୍ଭାବନା ଅଛି। ଆମର ସମ୍ପର୍କ କିପରି ଆମ ଅଞ୍ଚଳ ତଥା ବିଶ୍ୱ ପାଇଁ ସ୍ଥିରତାର କାରଣ ହେବ ତା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ମଙ୍ଗଳ ପାଇଁ ଦୁଇ ଦେଶ କିଭଳି ଭାବେ ମିଳିତ ଭାବେ କାର୍ଯ୍ୟ କରିବା ଏହି ସବୁ ଦିଗ ଉପରେ ବିଚାର ଆଲୋଚନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ବ୍ୟାପକ ଏବଂ ଦ୍ରୁତ ଗତିରେ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ। ଏହା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ବିଶ୍ୱ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ଭାରତର ଅନ୍ୟତମ ବନ୍ଧୁ ତେଣୁ ଆମ ସମ୍ପର୍କର ବିକାଶର ଗତିର ମାନଦଣ୍ଡ ମଧ୍ୟ ଉଚ୍ଚାଭିଳାଷୀ ହେବା ଉଚିତ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ଲୋକଙ୍କ ତରଫରୁ ଅଷ୍ଟ୍ରେଲିଆରେ କରୋନା ପ୍ରଭାବିତ ସମସ୍ତ ଲୋକ ଏବଂ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଭର୍ଚୁଆଲ୍ ସମ୍ମିଳନୀ। ଚଳିତ ବର୍ଷ ପ୍ରାରମ୍ଭରେ ମୋରିସନ୍ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଅଷ୍ଟ୍ରେଲିଆରେ ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ହେତୁ ତାଙ୍କର ଯାତ୍ରା ବାତିଲ ହୋଇଥିଲା।ଅଷ୍ଟ୍ରେଲିଆ ଓ ଭାରତର ପ୍ରଧାନମନ୍ତ୍ରୀ ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୬ରେ ଏକ ଟେଲିଫୋନିକ୍ ବାର୍ତ୍ତାଳାପ କରିଥିଲେ।

Comments are closed.