ଆମ ସହର ଆମ ସମସ୍ୟା : ଚିନ୍ତା ବଢାଉଛି ପାନୀୟଜଳ

ବୌଦ୍ଧ : ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ସହରବାସୀଙ୍କ ପାନୀୟଜଳ କଷ୍ଟ ବଢିବାରେ ଲାଗିଛି। ସମସ୍ତ ସରକାରୀ ସଭା ସମିତିରେ ପାନୀୟଜଳ ସମସ୍ୟା ବିଷୟରେ ଆଲୋଚନା କରାଯାଇ ମହାନଦୀରେ ଅଳ୍ପ ଉଚ୍ଚତାରେ ଚେକ୍ଡେମ ନିର୍ମାଣ ପାଇଁ ଦାବି କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଆଗାମୀ ଗ୍ରୀଷ୍ମକୁ ନେଇ ବୌଦ୍ଧ ସହରବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ସହର ମଧ୍ୟରେ ତିନୋଟି ଓଭରହେଡ ଟେଙ୍କ ନିର୍ମାଣ କରାଯାଇଥିଲେ ମଧ୍ୟ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ। ଫଳରେ ନୁଆସାହିର ରିଫ୍ୟୁଜି କଲୋନୀ,ମାଳିସାହି,ରାଜନପାଲି ଆଦି ଅଞ୍ଚଳକୁ ପାଇପଲାଇନ ବିଛାଯାଇଥିଲେ ମଧ୍ୟ ଲୋକଙ୍କୁ ଆବଶ୍ୟକ ମୁତାବକ ପାଣି ମିଳିପାରୁନାହିଁ। ୧୯୮୨ର ପ୍ରଳୟଙ୍କାରୀ ବନ୍ୟା ପରଠାରୁ ବୌଦ୍ଧଠାରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇପଡିବା ଯୋଗୁଁ ଜଳର ମୁଖ୍ୟସ୍ରୋତ ଦୂରକୁ ଚାଲିଯାଇଥିଲା। ଫଳରେ ଚିରସ୍ରୋତା ମହାନଦୀରେ ଜଳସଙ୍କଟ ସୃଷ୍ଟି ହେବା ସହି ଗ୍ରୀଷ୍ମଦିନରେ ଲୋକଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ଏହାର ସ୍ଥାୟୀ ସମାଧାନ କରାଯିବାକୁ ଦାବି ହେଉଥିଲେ ମଧ୍ୟ ପ୍ରତିବର୍ଷ ଗ୍ରୀଷ୍ମ ପୂର୍ବରୁ ଉପରମୁଣ୍ଡରୁ ଅସ୍ଥାୟୀ ଭାବରେ ଜଳସ୍ରୋତକୁ ଖୋଳାଇ ଅଣାଯାଉଥିଲେ ମଧ୍ୟ ଏହା ସହରବାସୀଙ୍କ ଶୋଷ ମେଣ୍ଟାଇବାରେ ବିଫଳ ହେଉଛି। ପୂର୍ବରୁ ଦୁଇ ଓଳି ସହରବାସୀଙ୍କୁ ପାଇପ ଜଳ ଯୋଗାଇ ଦିଆଯାଉଥିବାବେଳେ ବର୍ତ୍ତମାନ ସମସ୍ତ ପରିବାରକୁ ପାନୀୟଜଳ ସଂଯୋଗ ଦିଆଯିବାପରେ ଏହା ମଧ୍ୟ ସମ୍ଭବ ହୋଇପାରୁନାହିଁ। କୋଟି କୋଟି ଟଙ୍କାରେ ନିର୍ମିତ ପାନୀୟଜଳ ବିଶୋଦ୍ଧନାଗାର ମହାନଦୀରେ ପାଣି ନଥିବାରୁ କାମରେ ଲାଗିପାରୁନାହିଁ। ତେଣୁ ଏହାର ସ୍ଥାୟୀ ସମାଧାନ କରାଯିବାକୁ ମହାନଦୀରେ ଚେକ୍‌ଡ୍ୟାମ୍ ନିର୍ମାଣ କରାଯିବାକୁ ଦାବି ହେଉଛି।

Comments are closed.