ଆମ ସହର ଆମ ସମସ୍ୟା : ବୌଦ୍ଧରେ ଜାନୁୟାରୀ ମାସରୁ ପାନୀୟଜଳ ସଙ୍କଟ, ମରୂଭୂମି ପାଲଟିବକି ମହାନଦୀ !

ବୌଦ୍ଧ : ମହାନଦୀ ବାରମ୍ବାର ଗତିପଥ ବଦଳାଉଥିବାବେଳେ ବୌଦ୍ଧ ସହର ପାଇଁ ଜାନୁୟାରୀ ମାସଠାରୁ ପାନୀୟଜଳ ସଙ୍କଟ ଜଳଜଳ ହୋଇ ଦେଖାଗଲାଣି। ଯେଉଁସ୍ଥାନରେ ବୈଶାଖ ମାସରେ ନିଳ ଜଳରାଶି ଲହଡି ଭାଙ୍ଗୁଥିଲା ତାହା ଏବେ ମରୁଭୂମି ଭଳି ପ୍ରତୀୟମାନ ହେଉଛି। ମନମୁଣ୍ଡା ଠାରୁ ସାତକୋଶିଆ ଗଣ୍ଡ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ସୀମାରେଖା ଭାବରେ ପ୍ରାୟ ଶହେ କିଲୋମିଟର ମହାନଦୀ ପ୍ରବାହିତ। ବୌଦ୍ଧ ସହର ସମେତ ଜିଲ୍ଳାର ଲକ୍ଷାଧିକ ଅଧିବାସୀ ପାନୀୟଜଳ ଓ ଜୀବନ ଜିବିକା ପାଇଁ ମହାନଦୀ ଉପରେ ନିର୍ଭରଶୀଳ। ୧୯୮୨ ମସିହାର ପ୍ରଳୟାଙ୍କାରୀ ବନ୍ୟା ପରେ ବୌଦ୍ଧ ସହରର ଠିକ୍ ଉପର ମୁଣ୍ଡରେ ରହିଥିବା ମହାନଦୀ ଓ ସାଲୁଙ୍ଖୀ ନଦୀର ମିଶ୍ରଣ ସ୍ଥଳରୁ ତଳମୁଣ୍ଡକୁ ମହାନଦୀ ଶଯ୍ୟା ପ୍ରବଳମାତ୍ରାରେ ବାଲିରେ ପୋତି ହୋଇପଡିବା ଯୋଗୁଁ ପ୍ରତିବର୍ଷ ଗ୍ରୀଷ୍ମରେ ସହରବାସୀଙ୍କୁ ପାନୀୟଜଳ ସଙ୍କଟର ସମ୍ମୁଖିନ ହେବାକୁ ପଡୁଅଛି। ବୌଦ୍ଧ ଏନଏସିର ୧୭ ଟି ୱାର୍ଡର ବାସୀନ୍ଦା ପାନୀୟଜଳ ପାଇଁ ମହାନଦୀ ଉପରେ ନିର୍ଭରଶୀଳ ଅଟନ୍ତି। କିନ୍ତୁ ୧୯୮୨ ମସିହା ବନ୍ୟା ପରଠାରୁ ମହାନଦୀର ମୁଖ୍ୟ ଜଳସ୍ରୋତ ନଦୀର ଅପରପାଶ୍ୱର୍ ଅର୍ଥାତ ଅନୁଗୁଳ ଜିଲ୍ଲା ପଟକୁ ଚାଲିଯିବା ପରଠାରୁ ବୌଦ୍ଧବାସୀଙ୍କୁ ଗ୍ରୀଷ୍ମ ଚାରିମାସ ଜଳକଷ୍ଟ ଭୋଗ କରିବାକୁ ପଡୁଛି। ପୂର୍ବରୁ ସହର ମଧ୍ୟରେ ପ୍ରାୟ ୩ ହଜାର ଲୋକଙ୍କ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାନଦୀ ଜଳକୁ ପମ୍ପ ଯୋଗେ ଉଠାଇ ପାଇପ ଲାଇନ ଜରିଆରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ସାଧାରଣଲୋକଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିବାବେଳେ ସ୍ୱଚ୍ଛଳବର୍ଗର ଅଳ୍ପ କିଛି ଲୋକ ଘରକୁ ପାନୀୟଜଳ ସଂଯୋଗ ନେଇଥିଲେ। ଅନ୍ୟମାନଙ୍କ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲାଟେପ୍ ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ  ପରବର୍ତ୍ତୀ ସମୟରେ ପାନୀୟଜଳ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଏବେ ସହରରେ ୨୫୦୦ ପରିବାରକୁ ପାନୀୟଜଳ ସଂଯୋଗ ପ୍ରଦାନ କରାଯାଇଥିବାବେଳେ ଆଗାମୀ ଦିନରେ ୩୮୦୦ ପରିବାରକୁ ସଂଯୋଗ ଦିଆଯିବାକୁ ଲକ୍ଷ ରଖାଯାଇଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।  ସହରରେ ପ୍ରତି ପରିବାରକୁ ପାନୀୟଜଳ ସଂଯୋଗ ଯୋଗାଇଦେବାକୁ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବା ପରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କିନ୍ତୁ ମହାନଦୀରେ ଜଳ ସଙ୍କଟ ସବୁ ସରକାରୀ ଯୋଜନାକୁ ଫସର ଫଟାଇ ଦେଉଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତମାନ ବୌଦ୍ଧ ସହରର ଜନସଂଖ୍ୟା ଓ ଆବଶ୍ୟକତା ମୁତାବକ ଦୈନିକ ୩୫ ଲକ୍ଷ ଲିଟର ପାନୀୟଜଳ ଯୋଗାଇ ଦିଆଯାଉଅଛି ଏବଂ ଆଗମୀ ଦିନରେ ଦୈନିକ ୫୦ ଲକ୍ଷ ଲିଟର ପାନୀୟଜଳ ଆବଶ୍ୟକତା ପଡିବ। କିନ୍ତୁ ଗ୍ରୀଷ୍ମରେ ନଦୀଜଳ ଧାର ଶୁଖିଗଲେ ଏହା ସମ୍ଭବ ହୋଇପାରିବନାହିଁ।  ଅଧା ସହରର ନର୍ଦ୍ଦମା ଜଳ ଯେଉଁ ସ୍ଥାନରେ ମହାନଦୀକୁ ନିର୍ଗତ ହେଉଛି ସେହି ସ୍ଥାନରୁ ସହରବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି। ନର୍ଦ୍ଦମା ଜଳକୁ ସ୍ୱରେଜ ଯୋଜନା ଜରିଆରେ ସହରର ତଳମୁଣ୍ଡକୁ ନେବାକୁ ଯୋଜନା କରାଯାଇଥିଲେ ମଧ୍ୟ ଅଧପନ୍ତରିଆ ଭାବରେ ତାହାକୁ ମହାନଦୀକୁ ଛାଡି ଦିଆଯାଇଛି। ନଦୀ ଜଳ ବିଶୋଦ୍ଧନ କରି ସହରବାସୀଙ୍କୁ ଯୋଗାଇ ଦେବାକୁ ଦୀର୍ଘଦିନର ଦାବି ପରେ ବିଶୋଦ୍ଧନାଗାର ନିର୍ମାଣ ହୋଇ ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଗଲା ସତ ମହାନଦୀରେ ଜଳାଭାବରୁ ଏହି ଯୋଜନା ସହରବାସୀଙ୍କ ପାଇଁ ମରିଚିକା ସଦୃଶ୍ୟ ହୋଇପଡିଛି। ନଦୀ ଶଯ୍ୟାରେ ଅଳ୍ପ ଉଚ୍ଚତାର ଚେକ୍‌ଡ୍ୟାମ ନିର୍ମାଣ କରି ସହରବାସୀଙ୍କ ପାଇଁ ପାନୀୟଜଳ ଯୋଗାଇଦେବାକୁ ଦାବି ହେଉଛି। କିନ୍ତୁ ଏହି ଯୋଜନା ମଧ୍ୟ ସରକାରୀ ନାଲିଫିତା ମଧ୍ୟରେ ବନ୍ଧା ହୋଇରହିଛି। ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧବାସୀଙ୍କ କେବେ ଜଳକଷ୍ଟ ଦୂର ହେବ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ?

ମତାମତ :-

ନିରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ , ଜନସ୍ୱାସ୍ଥ୍ୟ ବିଭାଗ : ବର୍ତ୍ତମାନ ଆବଶ୍ୟକତା ମୁତାବକ ସହରବାସୀଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୩୫ ଲକ୍ଷ ଲିଟର ପାନୀୟଜଳ ଯୋଗାଇଦିଆଯାଉଅଛି। ଚଳିତବର୍ଷ ପାନୀୟଜଳ ସଂକଟ ରହିବନାହିଁ ବୋଲି ଆଶା କରାଯାଉଅଛି। ନଦୀରେ ଜଳସ୍ତର କମିଗଲେ ଉପରମୁଣ୍ଡରୁ ବାଲିକୁ ଖୋଳାଯାଇ ଜଳାଧାର ଅଣାଯିବାର ବ୍ୟବସ୍ଥା କରାଯିବ। ତେବେ ନଦୀ ଶଯ୍ୟା ଭିତରେ ଛୋଟ ଚେକ୍ଡେମ ନିର୍ମାଣ କରାଯାଇପାରିଲେ ବୌଦ୍ଧବାସୀଙ୍କ ଜଳକଷ୍ଟ ସବୁଦିନ ପାଇଁ ଦୂର କରାଯାଇପାରିବ।

ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ : ବୌଦ୍ଧରେ ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ପାନୀୟଜଳ ସଂକଟ ଦେଖାଯାଉଅଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଜଳସ୍ରୋତକୁ ଖୋଳି ବୌଦ୍ଧ ପଟକୁ ଅଣାଯାଇ ସହବାସୀଙ୍କୁ ପାନୀୟଜଳ ଯୋଗାଣ କରାଯାଉଥିଲେ ମଧ୍ୟ ଏହା ଲୋକଙ୍କ ଆବଶ୍ୟକତାକୁ ମେଂଟାଇ ପାରୁନାହିଁ। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ନଦୀ ଭିତରେ ଅଳ୍ପ ଉଚ୍ଚତାର ଚେକ୍‌ଡ୍ୟାମ କିମ୍ବା ଗଭୀରକୂପ ଖୋଳାଯାଇ ପାଇପ ଯୋଗେ ପାନୀୟଜଳ ଯୋଗାଇଦେଲେ ସହରବାସୀଙ୍କ ଜଳକଷ୍ଟ ସମସ୍ୟାର ସମାଧାନ ହୋଇପାରିବ।

ରମେଶ ଗଉଡ. ଚା ବ୍ୟବସାୟୀ, ବୌଦ୍ଧ : ବୌଦ୍ଧରେ ପାଣି ଲାଗି ଆମେ ବହୁତ ସମସ୍ୟାର ସମ୍ମୁଖିନ ହେଉଛୁ। ନଦୀ କୂଳରେ ରହିବି ସହରବାସୀଙ୍କୁ ସରକାର ଠିକରେ ପାନୀୟଜଳ ଯୋଗାଇ ପାରୁନାହାନ୍ତି। ଏବେ ନଦୀରେ ପାଣି କମ ଥିଲେବି ଚଳିଯାଉଛି। କିନ୍ତୁ ଏବର୍ଷ ଖରାଦିନେ ପିଇବା ପାଣି ବି ପାଇବା କଷ୍ଟକର ହୋଇଯିବା ବୋଲି ଜଣାପଡିଲାଣି। ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନେବାକୁ ଆମେ ଦାବି କରୁଛୁ।

ଅମିତା ମହାପାତ୍ର, ସମାଜସେବୀ : ମହାନଦୀରେ ପାଣି ବର୍ଷକୁ ବର୍ଷ ଶୁଖି ଯାଉଥିବାରୁ ପିଇବା ପାଣି ଓ ବ୍ୟବହାର କରିବା ପାଇଁ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହାନଦୀର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆନିକଟ କରାଯାଇ ବହିଯାଉଥିବା ଜଳକୁ ସଂରକ୍ଷଣ କରାଗଲେ ଏହାର ସମାଧାନ ହୋଇପାରିବ।

ଅନିମା ପଟ୍ଟନାୟକ, ଯୋଗ ଶିକ୍ଷୟତ୍ରୀ :  ରାଜ୍ୟର ସବୁଠାରୁ ବଡ ମହାନଦୀ କୂଳରେ ବସବାସକରି ବର୍ଷର ଛଅମାସ ଜଳ ଅଭାବର ସମ୍ମୁଖିନ ହେଉଅଛୁ। ୧୯୮୨ ମସିହା ପରଠାରୁ ବୌଦ୍ଧ ସହରରେ ଏହି ସମସ୍ୟା ଦେଖାଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆ ଯାଇ ନ ଥିବା ଦୁଃଖ ଓ ପରିତାପର ବିଷୟ। ବୌଦ୍ଧ ସହର ପଟେ ପାଣିଧାର ନ ଥିବାରୁ ସହରବାସୀ ଅପରିଷ୍କାର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ।

ପ୍ରତାପ କୁମାର ସାହୁ, ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ :  ଐତିହାସିକ ମହାନଦୀ କୁଳରେ ବୌଦ୍ଧ ସହରବାସୀ ପାର ହେବା ପାଇଁ ବର୍ଷତମାମ ଡଙ୍ଗାର ବ୍ୟବହାର ହେଉଥିଲା। ବର୍ତ୍ତମାନ ପାଣି ବଦଳରେ ବାଲି ଭରପୁର ହୋଇ ରହିଛି। ଲୋକମାନେ ଗାଧୋଇବା ପାଇଁ ପିଇବା ପାଣିପାଇଁ ସମସ୍ୟା ଦେଖାଦେଇଥିବାରୁ ଏହାର ସମାଧାନ ପାଇଁ ସର୍ବପ୍ରଥମ ଗୁରୁତ୍ୱ ଦେବା ଆବଶ୍ୟକ।

Comments
Loading...