ଇସ୍ତାହାରରେ ସ୍ଥାନ ପାଉ ସାମ୍ବାଦିକ ସୁରକ୍ଷା ଆଇନ : ଓୟୁଜେ

0

ଭୁବନେଶ୍ବର : ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ ସମାଲୋଚନା କରାଯିବାର କୌଣସି ଆପତ୍ତି ନାହିଁ। ତେବେ ଏହି ସମାଲୋଚନା ଯୁକ୍ତିସମ୍ମତ ଓ ନିରପେକ୍ଷ ହେବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମତବ୍ୟକ୍ତ କରିଛନ୍ତି।
ବୁଧବାର ଜୟଦେବ ଭବନଠାରେ ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିଅନ(ଓୟୁ‌େ‌ଜ)ର ୨୪ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ନିରପେକ୍ଷ ସମାଲୋଚନା ସରକାରଙ୍କୁ ଅନେକ ସମୟରେ ମାର୍ଗଦର୍ଶନ କରାଇଥାଏ। ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସର୍ବଦା ଅନୁକୂଳ ମନୋଭାବ ପୋଷଣ କରିଆସିଛନ୍ତି। ଆଗାମୀ ଦିନରେ ଏନେଇ ଅଧିକ ପଦ‌େକ୍ଷପ ଗ୍ରହଣ କରାଯିବ।
ଉତ୍ସବକୁ ଉଦ୍‌ଘାଟନ କରି ବାଚସ୍ପତି ପ୍ରଦୀପ କୁମାର ଅମାତ ସାମ୍ବାଦିକଙ୍କୁ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସୂଚନା ଓ ଲୋକସର୍ମ୍ପକ ମନ୍ତ୍ରୀ ପ୍ରତାପ ଜେନା ସାମ୍ବାଦିକଙ୍କ ବୀମା ଯୋଜନାକୁ କ୍ୟାସ୍‌ଲେସ୍‌ କରାଯିବା ସହ ଏହାର ପରିମାଣକୁ ବୃଦ୍ଧି କରାଯିବା ଦିଗରେ ଚିନ୍ତା କରାଯିବ ବୋଲି ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ରାଜ୍ୟରେ ସାମ୍ବାଦିକଙ୍କ ଉପରେ ବଢ଼ି ଚାଲିଥିବା ଆକ୍ରମଣ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ସାମ୍ବାଦିଙ୍କ ସୁରକ୍ଷା ଆଇନ ପ୍ରତିଶ୍ରୁତି ସ୍ଥାନିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଜାତୀୟ ସାମ୍ବାଦିକ ୟୁନିଅନର ସଭାପତି ପ୍ରଜ୍ଞାନନ୍ଦ ଚୌଧୁରୀ ସାମ୍ବାଦିକମାନେ କର୍ତ୍ତବ୍ୟ ସମ୍ପାଦନ ବେଳେ ବହୁବିଧ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।
ବରିଷ୍ଠ ସାମ୍ବାଦିକ ସମରେନ୍ଦୁ ଦାସ, ଲିଙ୍ଗରାଜ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକତା କ୍ଷେତ୍ରରେ ଘଟିଚାଲିଥିବା ପରିବର୍ତ୍ତନ ପ୍ରତି ସାମ୍ବାଦିକମାନେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ବିବରଣୀ ପାଠ କରିଥିଲେ। ଏହି ଅବସରରେ ନିର୍ବାଚନ ଫଳାଫଳକୁ ନିର୍ବାଚନ ଅଧିକାରୀ ଶିଶିର କୁମାର ଦାସ ଘୋଷଣା କରିଥିଲେ। ଉପସଭାପତି ରାଜୀବ ମହାନ୍ତି ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୫ ଜଣ ସାମ୍ବାଦିକ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply