କରୋନା ମହାମାରୀ ଜନିତ ସଂକଟକୁ କୃଷି କ୍ଷେତ୍ର ପାଇଁ ସୁଯୋଗରେ ପରିଣତ ଲାଗି କୃଷିବିଜ୍ଞାନୀଙ୍କୁ ଆହ୍ୱାନ

ଓୟୁଏଟିରେ ମକାର ସଙ୍କର କିସମ ଓ କପାର ଅଧିକ ଅମଳକ୍ଷମ କିସମ ବିକାଶ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କରୋନା ମହାମାରୀ ଜନିତ ସଂକଟକୁ କୃଷି କ୍ଷେତ୍ର ପାଇଁ ସୁଯୋଗରେ ପରିଣତ କରିବା ନିମନ୍ତେ ସେ କୃଷିବିଜ୍ଞାନୀମାନଙ୍କୁ ଆହ୍ୱାନ ଦେଇଥିଲେ।
ବିଭିନ୍ନ ଜ୍ଞାନକୌଶଳ ଓ କାର୍ଯ୍ୟକ୍ରମର ସାମାଜିକ-ଅର୍ଥନୈତିକ ପ୍ରଭାବ ଅନୁଧ୍ୟାନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ଡଃ ପୱନ କୁମାର ଅଗ୍ରୱାଲ ବିଶ୍ୱବିଦ୍ୟାଳୟର ବିଭିନ୍ନ ସଫଳତା ଓ ନୂତନ ପ୍ରୟାସମାନଙ୍କ ବିଷୟରେ ଆଲୋକପାତ କରିଥିଲେ। ବିଗତ ବର୍ଷ କେତେକ ଛାତ୍ରଛାତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍ସ, ଥାଇଲାଣ୍ଡ ଆଦି ଦେଶରେ ରହିଥିବା ଆନ୍ତର୍ଜାତୀୟ ସ୍ତରର ଗବେଷଣାଗାର ପରିଦର୍ଶନ କରି ଶିକ୍ଷା ଅର୍ଜନ କରିବାର ସୁଯୋଗ ପାଇଛନ୍ତି। ଏଥିସହିତ ରାଜ୍ୟରେ ପ୍ରଥମ କରି ମକାର ସଙ୍କର କିସମ ଓ କପାର ଅଧିକ ଅମଳକ୍ଷମ କିସମ ବିକାଶ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତରଞ୍ଜନ ରାୟ କୃଷି କ୍ଷେତ୍ରରେ ଜଳ ପରିଚାଳନାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଅନ୍ଲାଇନ୍ରେ ଆଲୋଚନା କରିଥିଲେ।
ଏହି ଉତ୍ସବରେ ପ୍ରତିଷ୍ଠା ଦିବସ ବକ୍ତବ୍ୟ ପ୍ରଦାନ କରିଥିଲେ ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ପି ଷ୍ଟିଫେନ୍ ବେଞ୍ଜିଗର। ‘ବିଶ୍ୱ ଖାଦ୍ୟ ସୁରକ୍ଷା ଓ ଏଥିପାଇଁ କୃଷି ଗବେଷଣାର ଅବଦାନ’ ଶୀର୍ଷକରେ ପ୍ରଦାନ କରାଯାଇଥିବା ବକ୍ତବ୍ୟ ମାଧ୍ୟମରେ ସେ ମଣିଷ ସଭ୍ୟତା ତିଷ୍ଠି ରହିବା ପାଇଁ ଖାଦ୍ୟର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ସହିତ ଉଦ୍ଭିଦ ପ୍ରଜନନର ଅତ୍ୟାଧୁନିକ କୌଶଳ ଉପରେ ଆଲୋକପାତ କରିଥିଲେ।
ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ କେତେକ ପୁସ୍ତକ ଓ ପତ୍ରପତ୍ରିକା ଉନ୍ମୋଚନ କରାଯାଇଥିଲା। ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ କୃଷି ଉଦ୍ୟୋଗୀ, ଶ୍ରେଷ୍ଠ କୃଷି ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରାରମ୍ଭରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡଃ ଲଳିତ ମୋହନ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଆମେରିକାସ୍ଥିତ ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଡଃ ଚିତରଞ୍ଜନ ରାୟ ଏବଂ ପ୍ରଫେସର ପି.ଷ୍ଟିଫେନ୍ ବେଞ୍ଜିଗର ଗୁଗୁଲ୍ ମିଟ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ୟୁଟ୍ୟୁବ୍‌ର ସିଧା ପ୍ରସାରଣ ଏବଂ ମାଇକ୍ରୋସଫଟ ଟିମ୍ ମାଧ୍ୟମରେ ବହୁ ସଂଖ୍ୟକ କୃଷକ, ଛାତ୍ରଛାତ୍ରୀ, କୃଷି ବୈଜ୍ଞାନିକ, କୃଷି ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀ ଦେଖିବାର ସୁଯୋଗ ପାଇଥିଲେ।

Comments are closed.