ସିଲ୍‌ ହେଲା ଓୟୁଏଟି ଫାର୍ମ : ତିନି ମାସ ବିଶୋଧନ, ବର୍ଷେ ରହିପାରିବେନି ପକ୍ଷୀ

ଭୁବନେଶ୍ବର : ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିବା ଓୟୁଏଟି ପ୍ରାଣୀବିଜ୍ଞାନ ମହାବିଦ୍ୟାଳୟର କୁକୁଡ଼ା ଫାର୍ମକୁ ମଙ୍ଗଳବାର ସିଲ କରିଦିଆଯାଇଛି। ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତିନି ମାସ ପାଇଁ ଏହାକୁ ବନ୍ଦ ରଖାଯିବ। ପ୍ରତି ୧୫ ଦିନରେ ଥରେ ଏହି ଫାର୍ମକୁ ବିଶୋଧନ କରାଯିବ। ତିନି ମାସ ଧରି ବିଶୋଧନ ପ୍ରକ୍ରିୟା ବଳବତ୍ତର ରହିବ। ଫାର୍ମରେ ବ​‌େ​‌ର୍ଷ ପର୍ଯ୍ୟନ୍ତ କୌଣସି ପକ୍ଷୀ ରଖାଯିବ ନାହିଁ। ସିଲ କରାଯିବା ପରେ ଫାର୍ମରେ ଲାଲ ପତାକା ଲଗାଯାଇଛି। ବର୍ଷେ ପର୍ଯ୍ୟନ୍ତ ଏଠାରେ କୁକୁଡ଼ା ପ୍ରଜନନ ହେବ ନାହିଁ ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦେଶକ ରତ୍ନାକର ରାଉତ କହିଛନ୍ତି।

ଫାର୍ମ ସିଲ ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟଙ୍କ ସମେତ ବିଭାଗୀୟ ନିର୍ଦେଶକ, ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଓୟୁଏଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଫାର୍ମ ସିଲ କରାଯିବା ସହିତ ଖୋର୍ଦ୍ଧା ସିଡ଼ିଭିଓ ସାନିଟେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କୁ ଆଜି ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି ବୋଲି ନିର୍ଦେଶକ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଓୟୁଏଟି ଫାର୍ମରେ ବାର୍ଡ଼ ଫ୍ଲୁ ଚିହ୍ନଟ ସଂକ୍ରାନ୍ତରେ ଗତ ୨୭ତାରିଖରେ ରିପୋର୍ଟ ଆସିଥିଲା। ଏଠାରେ ଶତାଧିକ କୁକୁଡ଼ା ମରିଯିବା ପରେ କୁକୁଡ଼ା ସ୍ବାବ ପରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରୁ ରିପୋର୍ଟ ପଜିଟିଭ ଆସିବା ପରେ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା। କୁକୁଡ଼ା ମରାଯିବା ପରେ ଏଗୁଡ଼ିକୁ ଗଭୀର ଗାତରେ ପୋତାଯାଇ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଇଥିଲା। ଫାର୍ମର ୧କିମି ଅଞ୍ଚଳରେ ଥିବା ସମସ୍ତ କୁକୁଡ଼ା ମରାଯାଇ ପୋତାଯିବା ସହିତ ସମ୍ପୃକ୍ତ ଅଞ୍ଚଳ ବିଶୋଧନ କରାଯାଇଥିଲା। ଏଠିକାର ବାର୍ଡ଼ ଫ୍ଲୁ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଥିଲା। ପରିସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ ଆସିଥିଲେ। ଓଡ଼ିଶା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାର୍ଡ଼ ଫ୍ଲୁ ନିୟନ୍ତ୍ରଣ ଦିଗରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବା ସହିତ ସଂକ୍ରମଣ ଯେପରି ଅନ୍ୟାନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେ ଦିଗରେ ଆବଶ୍ୟକ ପରାମର୍ଶ ଦେଉଛନ୍ତି।

ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗଠିତ ରାପିଡ଼ ରେସପନ୍ସ ଟିମ ଏବେ ମଧ୍ୟ ନିରୀକ୍ଷଣ ଅଭିଯାନ ଜାରି ରଖିଛି। ବାର୍ଡ଼ ଫ୍ଲୁ ଆଶଙ୍କାରେ ନନ୍ଦନକାନନ, ଚିଲିକା, ସାତପଡ଼ା, ଭିତରକନିକା ଆଦି ଅଞ୍ଚଳର ପକ୍ଷୀମାନଙ୍କ ସ୍ବାବ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପକ୍ଷୀ ଏଥିରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିନାହିଁ।

Comments are closed.