ଆୟକର ଉଚ୍ଛେଦ ଓ ସୁଧ ହ୍ରାସ କଲେ ଅର୍ଥନୀତି ସୁଧୁରିବ : ସୁବ୍ରମଣ୍ୟନ ସ୍ବାମୀ

ଓଟିଭି ଫୋରସାଇଟ୍‌ କାର୍ଯ୍ୟକ୍ରମ,

ଏବେଠୁ ନଚେତିଲେ ସ୍ଥିତି ଜଟିଳ ହେବ: ୟେଚୁରୀ

ଭୁବନେଶ୍ବର : କେବଳ ସୁଧ ବୃଦ୍ଧି କଲେ କିମ୍ବା ଆୟକର ସୀମା ବୃଦ୍ଧି କଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ ନାହିଁ। ଦେଶର ଅଭିବୃଦ୍ଧି ହାର ଆଗକୁ ନେବାକୁ ହେଲେ ଅନେକ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯଦି ଏହା କରାଯାଏ, ତେବେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ସ୍ୱପ୍ନ ପୂରଣ ହୋଇପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି। ଆଜି ଭୁବନେଶ୍ବରରେ ଆୟୋଜିତ ଓଟିଭି ଫୋରସାଇଟ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ୧୯୬୫ ମସିହା ଭଳି ଏବେ ଦେଶରେ ଆଉ ଖାଦ୍ୟାଭାବ ନାହିଁ। ୫ ବର୍ଷ ମଧ୍ୟରେ ୫ ଟ୍ରିଲିଅନ୍ ଅର୍ଥନୀତି ହାସଲ ପାଇଁ ପ୍ରଧାନମନ୍ତ୍ରୀ କହୁଛନ୍ତି। ନୀତି ଆୟୋଗର ଅଧିକାରୀମାନେ ମଧ୍ୟ କିଛି ବିଚାର ନକରି ଏଥିରେ ସ୍ବର ମିଳାଉଛନ୍ତି।
ବିଜେପିର ଏହି ବରିଷ୍ଠ ସାଂସଦ କହିଥିଲେ, ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟୀ। ଦେଶର ଅଭିବୃଦ୍ଧି ହାର ଏବେ ୪ ପ୍ରତିଶତ ତଳେ ରହିଛି। ହେଲେ ଦେଶ ୧୦ ପ୍ରତିଶତ ଅଭିବୃଦ୍ଧି ହାରରେ ପହଞ୍ଚିବା ପାଇଁ ସକ୍ଷମ। ଯଦି ଦଶ ବର୍ଷ ଯାଏ ପ୍ରତିବର୍ଷ ୧୦ ପ୍ରତିଶତ ଅଭିବୃଦ୍ଧି ନହେବ, ତା’ହେଲେ ଦେଶରୁ ଦାରିଦ୍ର୍ୟ ହଟିବ ନାହିଁ। କିନ୍ତୁ ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଦେଖିଲେ ଆସନ୍ତା ୫ ବର୍ଷରେ ଦେଶର ଅର୍ଥନୀତି ଦୁଇଗୁଣା ହୋଇ ୫ ଲକ୍ଷ କୋଟିର ଅର୍ଥନୀତି ହାସଲ କରିବା ସମ୍ଭବ ନୁହେଁ। କିନ୍ତୁ ଅଭିବୃଦ୍ଧି ହାର ୧୪ ପ୍ରତିଶତ ରହିଲେ ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତି ୫ ଟ୍ରିଲିଅନ ଇକୋନମିରେ ପହଞ୍ଚି ପାରିବ ଓ ଦେଶ ଏଥିପାଇଁ ସକ୍ଷମ ବୋଲି ସ୍ବାମୀ କହିଥିଲେ। ଦେଶର ଅଭିବୃଦ୍ଧି ହାରକୁ ଆଗକୁ ନେବା ପାଇଁ କ୍ଷୁଦ୍ର ଶିଳ୍ପ ଏବଂ ଲଘୁ ଉଦ୍ୟୋଗକୁ ବଢ଼ାଇବାର ଆବଶ୍ୟକତା ରହିଛି। ସୁଧହାର କମ୍ ହେଲେ କ୍ଷୁଦ୍ର ଶିଳ୍ପ ଓ ମଧ୍ୟମ ଶିଳ୍ପ ଉପକୃତ ହେବେ। ଆମେରିକାରେ ଋଣ ନେଲେ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି। କିନ୍ତୁ ଆମ ଦେଶରେ ସୁଧ ହାର ଢ଼େର ଅଧିକ। ଏହା କମ୍ କରାଯିବା ଜରୁରୀ। ଧନୀ ଲୋକ ହିସାବରେ ଏପଟ ସେପଟ କରି ଅଳ୍ପ କିଛି ଆୟକର ଦେଇ ଖସି ଯାଉଛନ୍ତି। କିନ୍ତୁ ଆମ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ମଧ୍ୟମ ଶ୍ରେଣୀର ଲୋକ, ଷ୍ଟାର୍ଟଅପ କମ୍ପାନୀ ଓ ନୂଆ ନୂଆ ଶିଳ୍ପ ଆରମ୍ଭ କରିଥିବା ଲୋକେ ଟିକସ ଜଞ୍ଜାଳରେ ଫସିଯାଉଛନ୍ତି। ଏସବୁ କ୍ଷେତ୍ର ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ସ୍ବାମୀ କହିଥିଲେ।
ସିପିଆଇର ମହାସଚିବ ସୀତାରାମ ୟେଚୁରୀ କହିଥିଲେ ଯେ ଦେଶ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ସରକାରଙ୍କ ଅବହେଳା ଅଧିକ ବିପଦ ସୃଷ୍ଟି କରୁଛି। ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଛି। ଲୋକଙ୍କ କ୍ରୟଶକ୍ତି କମିଛି। ବିମୁଦ୍ରାୟନ ପରେ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। କେବଳ ପୁଞ୍ଜି ବିନିଯୋଗ ଦ୍ୱାରା ହିଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ସେ କହିଥିଲେ ଯେ ଅର୍ଥନୀତି ସହିତ ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବା ଜରୁରୀ। କେବଳ ଏମ୍‌ସ୍‌କୁ ବାଦ୍‌ଦେଲେ ଅନ୍ୟ କୌଣସି ଡ଼ାକ୍ତରଖାନାରେ ଭଲ ଚିକିତ୍ସା ହେଉ ନାହିଁ ବୋଲି ଶ୍ରୀ ୟେଚୁରୀ କହିଥିଲେ। ପ୍ରାରମ୍ଭରେ ଓଟିଭିର ପରିଚାଳନା ନିର୍ଦେଶିକା ଜାଗି ମଙ୍ଗତ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଅନୁଷ୍ଠିତ ଅଧିବେସନରେ ବଲିଉଡ୍ କଳାକାର ଅଲ୍ଲୀ ଫୈଜଲ, ଅଭିନେତା ସବ୍ୟସାଚୀ ମିଶ୍ର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, କଂଗ୍ରେସ୍ ନେତା ବିଶ୍ବ ରଞ୍ଜନ ମହାନ୍ତି, କଂଗ୍ରେସ୍ ମୁଖପାତ୍ର ସଞ୍ଜୟ ଝା, ଆପ୍ ନେତା ନିଶିକାନ୍ତ ମହାପାତ୍ର ପ୍ରମୁଖ ସାମିଲ୍ ହୋଇଥିଲେ।

Comments are closed.