ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ଜଣେ ପରୀକ୍ଷାର୍ଥୀ ଅଟକ, ମୋବାଇଲ୍ ଜବତ

ଦେବଗଡ଼: କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରିକ୍ଷା(ଓଟିଇଟି) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି। ଆଜିର ଓଟିଇଟି ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ନେଇ ଚର୍ଚ୍ଚା ହୋଇଛି। ପ୍ରଥମ ସିଟିଂର ଡି.ସେଟ୍‌ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ କରାଯାଇଛି। ଓଟିଇଟି ପରୀକ୍ଷା ସିଟିଂ ଶେଷ ପୂର୍ବରୁ ମୋବାଇଲ୍‌କୁ ଆସି ଯାଇଥିଲା ପ୍ରଶ୍ନ। ଦେବଗଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସୂଚନା ମିଳିଛି। ପ୍ରଶ୍ନପତ୍ରର ଫଟୋ ଉଠାଇବା ଅଭିଯୋଗରେ ଜଣେ ପରୀକ୍ଷାର୍ଥୀଙ୍କୁ ଅଟକ ରଖାଯାଇଛି ଏବଂ ଫଟୋ ଉଠାଇଥିବା ମୋବାଇଲ୍‌ ଜବତ କରାଯାଇଛି।

ଦେବଗଡ଼ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି ଯେ ଜଣେ ପରୀକ୍ଷାର୍ଥୀଙ୍କ ମୋବାଇଲ୍‌ରୁ ପ୍ରଶ୍ନପତ୍ର ପଠାଯାଇଥିବା ଅଭିଯୋଗ ମିଳିବା ପରେ ତାଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କର ମୋବାଇଲ୍ ଜବତ ହୋଇଛି। ଏନେଇ ଯାଞ୍ଚ ଚାଲିଛି, ଏ ସଂକ୍ରାନ୍ତରେ ବୋର୍ଡ ଯାହା ନିଷ୍ପତ୍ତି ନେବ ତାହା ଚୂଡ଼ାନ୍ତ ବୋଲି ବିବେଚନା କରାଯିବ। ଅପରପକ୍ଷରେ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟକୁ ବୋର୍ଡ ସଭାପତି ରାମାଶିଷ ହାଜରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ଏବଂ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଶେଷ ହୋଇଛି।

Comments are closed.