ଆଜି ୪୯୧ କେନ୍ଦ୍ରରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ। ୧ ଲକ୍ଷ ମୋଟ ୨୫ ହଜାର ୮୮୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରାଯିବ। ସକାଳ ୮ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ଏବଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ପରୀକ୍ଷା ହେବ। ପରୀକ୍ଷାରେ କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ମହାନିର୍ଦେଶକଙ୍କ ସମେତ ସମସ୍ତ ଜିଲାପା ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପରୀକ୍ଷା ସୁପରିଚାଳନା ପାଇଁ ଅନୁରୋଧ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି କରିବାକୁ କୁହାଯାଇଛି। ଓଟିଇଟି ପାଇଁ ହୋଇଥିବା କେନ୍ଦ୍ରଗୁଡ଼ିକ ଜିଲା ଓ ସବ୍‌ଡିଭିଜନାଲ ସ୍ତରରେ କରାଯାଇଛି। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ତୃଣମୂଳ ସ୍ତରରେ କାର୍ୟ୍ୟରତ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିଚାଳନା ଦିଗରେ ପଦକ୍ଷେପ ନେବା ସହ ସବୁ ପରୀକ୍ଷା କେନ୍ଦ୍ରରେ ଇନ୍‌ଭିଜିଲେଟର ଓ ଅବଜରଭର୍‌ ନିଯୁକ୍ତ ପାଇଁ କୁହାଯାଇଛି।

Comments are closed.