ଓସାକାଙ୍କୁ ୨ୟ ଅଷ୍ଟ୍ରେଲିଆନ୍ ଓପନ୍‌ ଟାଇଟଲ

ମେଲ୍‌ବୋର୍ଣ୍ଣ: ଜାପାନର ନାଓମି ଓସାକା ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ ଚମ୍ପିଆନ୍‌ସିପ ଅଷ୍ଟ୍ରେଲିଆନ୍ ଓପନ୍‌ରେ ମହିଳା ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓସାକା ୨୨ନଂ ସିଡ୍ ଆମେରିକାର ଜେନିଫର ବ୍ରାଡିଙ୍କୁ ସହଜରେ ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ଏହା ଓସାକାଙ୍କର ୨ୟ ଏବଂ ମୋଟଉପରେ ୪ର୍ଥ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ। ୩ୟ ସିଡ୍ ଓସାକା ମାତ୍ର ୨୩ ବର୍ଷ ବୟସରେ ୪ର୍ଥ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତି ପାରିଛନ୍ତି। ୨୬ନଂ ସିଡ୍ ଚେକ୍ ରିପବ୍ଲିକ୍‌ର କାରୋଲିନା ମୁଚୋଭାଙ୍କୁ ବ୍ରାଡି ସହଜରେ ପରାସ୍ତ କରିଥିଲେ ହେଁ ଓସାକାଙ୍କ ଅଭିଜ୍ଞତା ନିକଟରେ ହାର ମାନିଥିଲେ।

ଗତ ୟୁଏସ୍‌ ଓପନ୍‌ରେ ମଧ୍ୟ ମହିଳା ସିଙ୍ଗଲ୍‌ସ ଜିତିଥିବା ନାଓମି ଓସାକା ଏହାକୁ ମିଶାଇ କ୍ରମାଗତ ୨ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଓସାକା ପ୍ରଥମ ସେଟ‌ରେ ତାଙ୍କ ସ୍ବାଭାବିକ ଖେଳ ପ୍ରଦର୍ଶନ କରି ପାରିନଥିଲେ ହେଁ ଏହାକୁ ୬-୪ରେ ଜିତି ନେଇଥିଲେ। ତେବେ କ୍ରମାଗତ ୬ଟି ଗେମ୍ ଜିତି ଓସାକା ୨ୟ ସେଟ୍‌ରେ ୪-୦ରେ ଆଗୁଆ ହୋଇଯିବା ପରେ ମ୍ୟାଚ୍‌ର ଫଳାଫଳ ସ୍ପଷ୍ଟ ହୋଇ ଯାଇଥିଲା। ମ୍ୟାଚ୍‌ର କୌଣସି ସମୟରେ ଲାଗିନଥିଲା ଯେ ଜେନିଫର ବ୍ରାଡି ମ୍ୟାଚ୍‌କୁ ଫେରିପାରିବେ। ଅନ୍ୟପକ୍ଷରେ କିଛି ନାମୀ ଖେଳାଳିଙ୍କୁ ପଛରେ ପକାଇ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିଲେ ହେଁ ବ୍ରାଡି ନିରାଶ ହୋଇଛନ୍ତି।

ସୂଚନାଯୋଗ୍ୟ; ଓସାକା ଏଠାରେ ୨୦୧୯ରେ ମଧ୍ୟ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲେ। ଓସାକା ୨୦୧୮ ଓ ୨୦୨୦ରେ ୟୁଏସ୍ ଓପନ୍‌ ଜିତିଥିଲେ। ତାଙ୍କ ଆଦର୍ଶ ତଥା ୨୩ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ସେରେନା ୱିଲିୟମ୍‌ସଙ୍କୁ ସେମିଫାଇନାଲରେ ପରାସ୍ତ କରିବା ପରେ ଫାଇନାଲ ମ୍ୟାଚ୍ ଜିତିବା ପାଇଁ ଓସାକା ବଡ଼ ଫେଭରିଟ୍‌ ଥିଲେ। ସୂଚନାଯୋଗ୍ୟ; ୨୦୧୮ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନାଙ୍କୁ ପରାସ୍ତକରି ଓସାକା ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ପାରିଥିଲେ। ଏହି ବିଜୟ ସହ ନାଓମି ଓସାକା ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୨୧ଟି ମ୍ୟାଚ୍ ଜିତିବାର କୃତିତ୍ବ ଅର୍ଜନ କରିଛନ୍ତି।

Comments are closed.