ବିଜ୍ଞାନକୁ ଲୋକପ୍ରିୟ ଓ ସମୃଦ୍ଧ କରିବା ଉଦ୍ଦେଶ୍ୟ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ବିଜ୍ଞାନର ପରିବର୍ତ୍ତିତ ଧାରା ସହିତ ଆମକୁ ସାମଞ୍ଜସ୍ୟ ଓ ସନ୍ତୁଳନ ରକ୍ଷା କରିବାକୁ ହେବ। ବିଜ୍ଞାନର ଅଗ୍ରଗତିରେ ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତିକୁ ତ୍ୱରାନ୍ୱିତ କରିବା ଆମର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଜୟଦେବ ଭବନ ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର ବିଜ୍ଞାନ ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପାଇଁ ଉଦ୍ୟମ କରା ଯାଉଛି। ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯାଉ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ମେଧାବୃତ୍ତି ମିଳୁଛି। ବିଜ୍ଞାନ ଓ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ପାଇଁ ଏବେ ଗୋପାଳପୁର, ରାୟଗଡ଼ା ଓ ବାରିପଦାରେ ପ୍ଲାନେଟାରିୟମ୍‍ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେହପରି ଜିଲାସ୍ତରରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ, ଆମ ରାଜ୍ୟରେ ବହୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନଗୁଡ଼ିକର ଉପସ୍ଥିତି ଓଡ଼ିଶାକୁ ବିଜ୍ଞାନର ପେଣ୍ଠସ୍ଥଳ ଭାବେ ଗଢ଼ି ତୋଳିଛି। ବିଜ୍ଞାନ ଓ ବୈଷୟିକ ବିଭାଗ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଥିଲେ, ବିଜ୍ଞାନର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ଯେତିକି ଜରୁରୀ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ମଧ୍ୟ ସେତିକି ଜରୁରୀ। ସେମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ସରକାରଙ୍କ ଉଦ୍ଦେଶ୍ୟ। ଓଡ଼ିଶା ବିଜ୍ଞାନ ଏକାଡେମୀର ଅଧ୍ୟକ୍ଷା ପ୍ରଫେସର ସଂଘମିତ୍ରା ମହାନ୍ତି ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ନୂତନ ଉଦ୍ଭାବନ ଓ ସମ୍ଭାବନାକୁ ଉଜାଗର କରିବା ଦିଗରେ ଓଡ଼ିଶା ବିଜ୍ଞାନ ଏକଡେମୀ କାର୍ଯ୍ୟ କରୁଛି। ବିଶେଷକରି ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମଧ୍ୟ ସରକାର ୫ଟି ବିଭାଗରେ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି। ଚଳିତ ବର୍ଷ ଠାରୁ ଯୁକ୍ତ ୨ ସ୍ତରରେ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନୂଆ ଉଦ୍ଭାବନ ଓ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବା ପାଇଁ ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକାଡେମୀର ସମ୍ପାଦକ ଡ଼ା ପ୍ରଫୁଲ୍ଲ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ ବରିଷ୍ଠ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଭେଷଜ ଚିକିତ୍ସକ ପ୍ରଫେସର ବିଦ୍ୟୁତ ଦାସ ଓ ପ୍ରଫେସର ଶୁଭାଶିଷ ତ୍ରିପାଠୀଙ୍କୁ ଚଳିତ ବର୍ଷର ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପ୍ରଫେସର ବିପିନ ବିହାରୀ ସ୍ୱାଇଁ, ପ୍ରଫେସର ଅରୁଣା କୁମାରୀ ମିଶ୍ର, ପ୍ରଫେସର ସୁରେନ୍ଦ୍ର କୁମାର ରାଏ, ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ପ୍ରଫେସର ଶିବ ପ୍ରସାଦ ରଥଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଫେସର ଉମା ଚରଣ ମହାନ୍ତି ଓ ପ୍ରଫେସର ଦେବବ୍ରତ ଦାଶଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଥିବା ବେଳେ ଶ୍ରାବଣୀ ମିଶ୍ର, ପ୍ରଜ୍ଞା ରଞ୍ଜନ ରାଉତ ଏବଂ ଡ଼ ସବ୍ୟସାଚୀ ମିଶ୍ରଙ୍କୁ ଓଡ଼ିଶା ଯୁବ ବିଜ୍ଞାନୀ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା।

Leave A Reply