ଦେଶରେ ଜୈବିକ ଚାଷର ଅପାର ସମ୍ଭାବନା ରହିଛି – ରିପୋର୍ଟ

ଦେଶରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉଦ୍ୟମ ତଥା ସୁବିଧା ସତ୍ୱେ ଜୈବିକ ଓ ପ୍ରାକୃତିକ ଚାଷ ଏଯାଏଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିନାହିଁ। କେନ୍ଦ୍ର ବିଜ୍ଞାନ ଓ ପରିବେଶ ବିଭାଗ ସୂଚନା ଅନୁଯାୟୀ, ଭାରତରେ ମାତ୍ର ୨ ପ୍ରତିଶତ ଜୈବିକ ଚାଷ କରାଯାଏ ଯେତେବେଳେ କି ମାତ୍ର ୧.୩ ପ୍ରତିଶତ କୃଷକ ଜୈବିକ ଚାଷ କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି।

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଉପସ୍ତିତିରେ ‘ଭାରତରେ ଜୈବିକ ଏବଂ ପ୍ରାକୃତିକ କୃଷି: ଆହ୍ୱାନ ଏବଂ ସମ୍ଭାବନା’ ଶୀର୍ଷକ ରିପୋର୍ଟ ପ୍ରକାଶିତ ହୋଇଛି। ଏଥିପାଇଁ ଗଠିତ ପ୍ୟାନେଲରେ କେନ୍ଦ୍ର ବିଜ୍ଞାନ ଓ ପରିବେଶ ବିଭାଗ ମହାନିର୍ଦ୍ଦେଶକ ସୁନୀତା ନାରାୟଣ, ଓଡିଶା ସରକାରଙ୍କ କୃଷି ବିଭାଗ ମୁଖ୍ୟ ସଚିବ ସୌରଭ ଗର୍ଗ, ମୁଖ୍ୟ ସଚିବ, ଛତିଶଗଡ଼ ସରକାରଙ୍କ କୃଷି ସଚିବ ଏମ. ଗୀତା ପ୍ରମୁଖ ସଦସ୍ୟ ଅଛନ୍ତି।

ଏହି ରିପୋର୍ଟରେ ଭାରତୀୟ କୃଷିରେ ସଙ୍କଟ ଜନକ ପରିସ୍ଥିତି ଦେଖାଦେଇଥିବା ସୂଚନା ଦିଆଯାଇଛି। ଦେଶର କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ରରେ ଭାଗିଦାରୀତା କ୍ରମାଗତ ଭାବେ ହ୍ରାସ ପାଇଥିବା ଜଣାପଡିଛି। ୨୦୧୮ରେ ଦେଶରେ ୧୦ ହଜାରରୁ ଅଧିକ କୃଷକ ଆତ୍ମହତ୍ୟା କରିଥିବା ବେଳେ ୫୦ ପ୍ରତିଶତରୁ ଅଧିକ କୃଷକ ପରିବାର ଋଣ ଚାପରେ ଅଛନ୍ତି। ଏଥି ସହିତ ଜମି ଏବଂ ଜଳ ଭାଇ ପ୍ରାକୃତିକ ସମ୍ପଦର ଦ୍ରୁତ ଅବନତି, ମୃତ୍ତିକା ଉର୍ବରତା ହ୍ରାସ ଏବଂ କୀଟନାଶକ ପ୍ରତିରୋଧ ସମସ୍ୟା ଆଦି ରହିଛି।

ଏ ନେଇ ଅନୁଷ୍ଠିତ ୱେବିନାରରେ ସୁନୀତା ନାରାୟଣ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ କୃଷିର ପୁନଃରୁଥାନ କରିବାର ସମୟ ଆସିଛି ଏବଂ ଜୈବିକ ଏବଂ ପ୍ରାକୃତିକ ଚାଷ ଏଥିପାଇଁ ସହାୟକ ହୋଇପାରିବ। କିନ୍ତୁ ଏଥି ପାଇଁ କେନ୍ଦ୍ର ଏବଂ ରାଜ୍ୟସରକାରଗୁଡିକ ଜୈବିକ ଏବଂ ପ୍ରାକୃତିକ ଚାଷକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବାକୁ ପଡିବ। ଅନ୍ୟପକ୍ଷରେ ଏହା ଆମ କୃଷକ, ଜନସାଧାରଣ, ଜଳବାୟୁ ଏବଂ ପରିବେଶକୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Comments are closed.