ଆତଙ୍କବାଦୀ ଆକ୍ରମଣ ଭୟ! ହାଇ ଆଲର୍ଟରେ ସମସ୍ତ ବାୟୁ ସେନା ଘାଟି

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା (ଆଇଏଏଫ) ଆତଙ୍କବାଦୀ ଆକ୍ରମଣ ଆଶାଙ୍କାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବାୟୁ ସେନା ଘାଟିରେ ସତର୍କ ସୂଚନା ଜାରି କରିଛି। ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଆଧାରରେ ବାୟୁ ସେନା ଏହି ପଦକ୍ଷେପ ନେଇଛି।

ଗୁଇନ୍ଦା ସୂଚନାରେ କୁହାଯାଇଛି ଯେ ଜାମ୍ମୁ କାଶ୍ମୀର ଏବଂ ଏହାର ଆଖପାଖ ରାଜ୍ୟରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ଏଥିପାଇଁ ୧୦ ଜଣ ଜୈଶ-ଇ ମହମ୍ମଦର ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ କହିଛି ଓ ସତର୍କ ସୂଚନା ଜାରି କରିବାକୁ ନିର୍ଦେଶ ଦେଇଛି। ଆତଙ୍କବାଦୀ ଆକ୍ରମଣର ଭୟକୁ ଦୃଷ୍ଟିରେ ରଖି ଶ୍ରୀନଗର, ଅବନ୍ତିପୁର, ଜାମ୍ମୁ, ପଠାନକୋଟ ଏବଂ ହିଣ୍ଡନ ବିମାନ ଘଶଟିରେ ଅଂରେଜ ଆଲର୍ଟ ଜାରି କରାଯାଇଛି। ଅଂରେଜ ଆଲର୍ଟ ହେଉଛି ସୁରକ୍ଷା ସମ୍ପର୍କିତ ଦ୍ୱିତୀୟ ବୃହତ ଚେତାବନୀ। ସର୍ବପ୍ରଥମ ସୁରକ୍ଷା ସମ୍ପର୍କିତ ଚେତାବନୀ ହେଉଛି ରେଡ ଆଲର୍ଟ। ରେଡ ଆଲର୍ଟ ଜାରି ହୋଇଥିଲେ ସମସ୍ତ ସ୍କୁଲ, କଜେଲ ଛୁଟି କରିଦିଆଯାଇଥାନ୍ତା। ବିମାନ ଘାଟିରେ କୌଣସି ପ୍ରକାର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥାନ୍ତା। ମାତ୍ର ଅଂରେଜ ଆଲର୍ଟ ଜାରି ହୋଇଥିବାରୁ ସମସ୍ତ ଗତିବିଧି ସ୍ୱାଭାବିକ ଭାବେ ଚାଲିବ। ଏହାର ଦୁଇ ଦିନ ପୂର୍ବରୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଥିଲେ ଯେ ଭାରତ ଦ୍ୱାରା ଧ୍ୱଂସ ହୋଇଥିଲା ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ଶିବିର ସକ୍ରିୟ ହୋଇଛନ୍ତି। ଏହା ଉପରେ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆମ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମ ସୁରକ୍ଷା ବାହିନୀ ସକ୍ଷମ ଅଟେ। ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଏଲଓସିରେ ୫୦୦ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ ଅପେକ୍ଷାରେ ଅଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ ଆତଙ୍କବାଦୀ ପଠାଯିବ ବୋଲି ପାକିସ୍ତାନ ଖୋଲାଖୋଲି ଘୋଷଣା କରିସାରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ସୈନ୍ୟ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛନ୍ତି। ଏହାର ପ୍ରତିଜବାବାରେ ଭାରତୀୟ ବାୟୁ ସେନା ଫେବୃଆରୀ ୨୬ରେ ପାକିସ୍ତାନରେ ପଶି ବାଲାକୋଟର ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା। ଆଗକୁ ଏଭଳି ଆକ୍ରମଣ ଜାରି ରହିବ।

Comments are closed.