ଶୁଭଫଳ ଦେଉଥିବା ପାଞ୍ଚକୋଣିଆ କମଳା

ଜାପାନରେ ବନ୍ଧୁବାନ୍ଧବ, ପଡ଼ୋଶୀଙ୍କୁ ଫଳ ଉପହାର ଦେବା ଏକ ସୁନ୍ଦର ପ୍ରଥା। ଦେହ ପାଇଁ ହିତକର ଏଇ ଫଳ ପ୍ରିୟଜନଙ୍କୁ ଭେଟିବାର ଅର୍ଥ ହେଉଛି ସେମାନଙ୍କ ଦୀର୍ଘାୟୁର କାମନା କରିବା, ଜାପାନରେ ଅନ୍ୟ ଦେଶ ତୁଳନାରେ ଫଳ ଦର ମଧ୍ୟ ବେଶ୍ ମହଙ୍ଗା। ବିଶେଷ ପର୍ବପର୍ବାଣିରେ ସେଠାରେ ଫଳ ବିକ୍ରି ବଢ଼ିବାବେଳେ ବିଶେଷ ଡିଜାଇନ୍ ବା ଆକୃତି ଫଳର ଚାହିଦା ମଧ୍ୟ ସେଠି କିଛି କମ୍ ନୁହେଁ। ଟୋକିଓର ଅଧିକାଂଶ ଫୁଡ୍ ମାର୍ଟରେ ପାଞ୍ଚକୋଣିଆ କମଳା ବିକ୍ରି ହୁଏ, ଗର୍ଭବତୀଙ୍କ ପ୍ରସବ ସମୟରେ ଓ ପିଲାଙ୍କ ପରୀକ୍ଷା ସମୟରେ ଲୋକେ ଏଇ ପାଞ୍ଚକୋଣିଆ କମଳା ୫-୬ କିଲୋ କିଣିବା ସହ ବନ୍ଧୁବାନ୍ଧବଙ୍କୁ ବାଣ୍ଟିଥାନ୍ତି। କାରଣ ହେଲା ଏଇ ପାଞ୍ଚକୋଣିଆ ଫଳ ବାଣ୍ଟିଲେ ଶୁଭ ସମ୍ବାଦ ଶୀଘ୍ର ଶୁଣିବାକୁ ମିଳୁଥିବାର ଜାପାନଲୋକଙ୍କ ବିଶ୍ବାସ ରହିଛି। କାହିଁ କେଉଁକାଳରୁ ସେମାନେ ଏହି କଥାକୁ ବିଶ୍ବାସ କରିଆସୁଥିବାବେଳେ ଏଭଳି ପାଞ୍ଚକୋଣିଆ ଫଳ ଜାପାନର କେତେକ ପ୍ରାନ୍ତରେ ଚାଷ ହେଉଥିଲା। ପରବର୍ତ୍ତୀ ସମୟରେ ଏଭଳି ବିଶେଷ ଆକୃତିର ଫଳର ଚାହିଦା ବଢ଼ିବା ଦେଖି ଟୋକିଓର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ଗ୍ରାମର ଚାଷୀମାନେ ବୁଦ୍ଧି ପାଞ୍ଚି କମଳା ଚାଷ ଆରମ୍ଭ କଲେ। ପାଞ୍ଚକୋଣିଆ କାଗଜ ଡବାରେ କମଳାକୁ ଗଛରେ ଝୁଲୁଥିବା ସମୟରେ ହିଁ ଭର୍ତ୍ତି କରାଗଲା, ଅବଶ୍ୟ ଏସବୁ କାମ ପାଇଁ ଚାଷୀମାନେ ବେଳହୁଁ ସତର୍କ ରହିଲେ। ଯଥା ସମୟରେ କମଳା ପାଞ୍ଚକୋଣିଆ ରୂପ ନେଇ ବଜାର ବିକ୍ରି ପାଇଁ ପହଞ୍ଚିଯାଏ। ଜାପାନରେ ସାଧା କମଳାର ଦର ୫୦୦ ଗ୍ରାମ୍‌କୁ ୧୮୦ ଟଙ୍କା ହୋଇଥିବାବେଳେ ଏଇ ପାଞ୍ଚକୋଣିଆ କମଳା ୫୦୦ ଗ୍ରାମ୍୍କୁ ୪୦୦-୫୦୦ ଟଙ୍କାରେ ବିକ୍ରି ହୁଏ। ବିଦ୍ୟାଳୟ, ମହାବିଦ୍ୟାଳୟ ପରୀକ୍ଷା ସମୟରେ ଏଇ ପାଞ୍ଚକୋଣିଆ କମଳାର ଦର ବଢ଼ିଯାଏ, ପିଲାମାନେ ଫଳ ଖାଇବା ସହ ପରୀକ୍ଷା ସମୟରେ ପାଖରେ ରଖିଲେ ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହେଉଥିବାର ଅଧିକାଂଶ ଅଭିଭାବକ ମତ ଦେଇଛନ୍ତି।

Comments are closed.