କର୍ଣ୍ଣାଟକରେ ବିରୋଧୀ ଦଳଙ୍କ ଶକ୍ତି ପ୍ରଦର୍ଶନ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବୁଧବାର ବିରୋଧୀ ଦଳ ନେତାମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ବେଙ୍ଗାଲୁରୁ ବିଧାନସୌଧ ଆଗରେ ନିର୍ମିତ ଖୋଲାମଞ୍ଚରେ ବିରୋଧୀ ଦଳ ନେତା ହାତ ଉଠାଇ ଶକ୍ତି ପ୍ରଦର୍ଶନ କରିବା ସହ ବିଜେପି ବିରୋଧୀ ମହାମେଣ୍ଟ ଗଠନର ସଂକେତ ଦେଇଛନ୍ତି । ଏହି ମଞ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଉତ୍ତରପ୍ରଦେଶ ର୍ପୂବତନ ମୁଖ୍ୟମନ୍ତ୍ରୀ ତଥା ସପା ନେତା ଅଖିଳେଶ ଯାଦବ, ବସପା ନେତ୍ରୀ ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ, ରମେଶ ଜିଗାଜିନାଗୀ, କେଏଲସି ଅଧ୍ୟକ୍ଷ ଡି.ଏଚ. ଶଙ୍କରମୂର୍ତ୍ତି, ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଅଭିନେତା ଏବଂ ରାଜନେତା କମଳ ହାସନ, ଜେଡି(ଏସ୍‌) ସଚିବ ଦାନିଶ ଅଲ୍ଲୀ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭିରାପ୍ପା ମୋଇଲିଙ୍କ ସମେତ କଂଗ୍ରେସ-ଜେଡିଏସ୍‌ର ବହୁ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା । ସୋନିଆ ଏବଂ ରାହୁଲ ପ୍ରାୟ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଅଭିବାଦନ ଜଣାଇବା ସହ ମଞ୍ଚରେ କଥା ହୋଇଥିଲେ । ଶେଷରେ ସମସ୍ତେ ହାତ ଉପରକୁ ଟେକି ବିରୋଧୀ ମେଣ୍ଟର ସଂକେତ ଦେଇଥିଲେ । ବେଙ୍ଗାଲୁରୁର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରୁ ବିରୋଧୀଙ୍କ ମନୋବଳ ବୃଦ୍ଧି ପାଇଛି । ଉଲ୍ଲେଖ ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଜେପି ନେତା ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଉପରେ ବର୍ଷିଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଆଞ୍ଚଳିକ ଦଳ ସହ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢିବାକୁ ସଂକେତ ଦେଇଥିଲେ । ଏକ ପ୍ରଶ୍ନର ଉତ୍ତରରେ ବିଜେପିକୁ ହରାଇବା ପାଇଁ ଆଞ୍ଚଳିକ ଦଳ ସହ ସମନ୍ୱୟ ଆବଶ୍ୟକ ଏବଂ କଂଗ୍ରେସ ଏହା ଉପରେ ଗୁରୁତ୍ୱ ଦେଉଛି ବୋଲି ରାହୁଲ କହିଥିଲେ । କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳର ନେତାମାନେ ପରସ୍ପର କରମର୍ଦ୍ଧନ କରିଥିଲେ । ବିରୋଧୀ ଦଳ ଶକ୍ତି ପ୍ରଦର୍ଶନରୁ କଂଗ୍ରେସର ଆଞ୍ଚଳିକ ଦଳ ସହ ମେଣ୍ଟ ବା ସମନ୍ୱୟ ରକ୍ଷା ନୀତିର ଶୁଭାରମ୍ଭ ହୋଇଛି ।

Leave A Reply