ବିରୋଧୀ ତଦନ୍ତକୁ ଅପେକ୍ଷା କରନ୍ତୁ, ପରୀକୁ ନିଶ୍ଚିତ ନ୍ୟାୟ ମିଳିବ : ବିଜେଡି
ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

ଭୁବନେଶ୍ୱର : ରାଜ୍ୟରେ ଏବେ ‘ପରୀ’ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ପରୀର କିଭଳି ମୃତ୍ୟୁ ହେଲା, ଏଥିପାଇଁ ଦାୟୀ କିଏ ? ସେହି ଘଟଣାର ଖିଅ ଏପର୍ଯ୍ୟନ୍ତ ପୁଲିସ, କ୍ରାଇମବ୍ରାଞ୍ଚ ଓ ଏସଆଇଟି ଅଧିକାରୀ ପାଉ ନଥିବାବେଳେ ଏହାକୁ ନେଇ କଂଗ୍ରେସ ସଫେଇ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ବିଜେପି ମନ୍ତ୍ରୀ ବହିଷ୍କାର ଓ ସିବିଆଇ ଦାବିରେ ଅଟଳ ରହିଛି। ଅନ୍ୟପକ୍ଷରେ ବିଜେଡ଼ି ଏସଆଇଟି ତଦନ୍ତକୁ ଅପେକ୍ଷା କର, ନିଶ୍ଚିତ ନ୍ୟାୟ ମିଳିବ ବୋଲି କହୁଛି।
ସୂଚନା ଥାଉକି ବିଧାନସଭା ସମୟରେ ପରୀ ହତ୍ୟା ପ୍ରସଙ୍ଗ ରାଜନୀତି ମୋଡ ନେଇଥିଲା। ପରୀର ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ପରେ ସରକାର ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହ ୪ଦିନ ହୁଲସ୍ତୁଲ ହେବା ଏବଂ ପରେ ଅଚଳ ହୋଇଯାଇଥିବାରୁ ଏହାକୁ ନେଇ ବିରୋଧୀଦଳ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। କଂଗ୍ରେସ ବିଧାନସଭା ଅଧିବେଶନ ପରେ ଟିକିଏ ଥମି ପଡ଼ିଥିବାବେଳେ ଏେବ ଆଗକୁ ବାହାରିଛି। ବିଜେପି ଏହି ପ୍ରସଙ୍ଗକୁ ନେଇ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତିକୁ ଜୋର୍ କରୁଛି। ଯେପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ କରାଯାଇଯାଇ ନାହିଁ ସେପର୍ଯ୍ୟନ୍ତ ଦଳ ଚୁପ୍ ବସିବ ନାହିଁ ବୋଲି କହିଛି।
ଏହି ପ୍ରସଙ୍ଗରେ ଏବେ କଂଗ୍ରେସ ଭିନ୍ନ ସ୍ବର ମିଳାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ କଂଗ୍ରେସ ଦଳ ପରୀକୁ ଅତିଶୀଘ୍ର ନ୍ୟାୟ ମିଳୁ, ଦୋଷୀକୁ କଠୋର ଦଣ୍ଡବିଧାନ ହେଉ ସେଥିପାଇଁ ଜଣେ ହାଇକୋର୍ଟଙ୍କ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସଆଟି ତଦନ୍ତ କରାଯାଉ ବୋଲି ଦାବି କରିଥିଲା ଏବଂ ସରକାର ମଧ୍ୟ ଏହାକୁ ମାନି ନେଇଥିଲେ। ତଦନ୍ତ ଏବେ ସରକାରଙ୍କ ଅଧୀନରେ ନାହିଁ, ଏହା ବିଚାରାଳୟର ଜଣେ ବିଚାରପତିଙ୍କ ଅଧୀନରେ ଅଛି। ଏହି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଅତି କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ଅତିଶୀଘ୍ର ଦୋଷୀକୁ ଗିରଫ କରିବାପାଇଁ ନିର୍ଦେଶ ଜାରି କରିଛନ୍ତି। ତେଣୁ ହାଇକୋର୍ଟ କଡ଼ାଭାଷାରେ ସମାଲୋଚନା କଲାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯେହେତୁ ଗୃହ ବିଭାଗର ମୁଖ୍ୟ ସେ ନିଜର ନୀତି ନୈତିକାକୁ ବଜାୟ ରଖି ଇସ୍ତଫା ପ୍ରଦାନ କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିରୋଧୀଦଳ ନେତା ପ୍ରଦୀପ୍ତକୁମାର ନାଏକ କଂଗ୍ରେସକୁ ଫୋଫଡ଼ ମାରି କହିଛନ୍ତି ଯେ ନିକଟରେ ଉପନିର୍ବାଚନରେ କିଏ ମ୍ୟାନେଜ ହୋଇଥିଲା ତାହା ରାଜ୍ୟବାସୀ ବୁଝିଛନ୍ତି। ପରୀ ପ୍ରସଙ୍ଗରେ ଏସଆଇଟିରେ ଆତ୍ମସନ୍ତୋଷ କରୁଥିବା ନେତାମାନେ ଏବେ ଚେତିଲେଣି। ସେ କହିଛନ୍ତି ଯେ ବିଧାନସଭା ବେଳେ ସରକାରଙ୍କ ସାଥୀରେ ରହି କଂଗ୍ରେସ ଗୃହକୁ ବନ୍ଦ କରାଇଲା। ଏହି ପ୍ରସଙ୍ଗରେ କଂଗ୍ରେସ ଏବେ ଆଗକୁ ଯିବ ନାହିଁ ବୋଲି ତାଙ୍କର ତୁଙ୍ଗ ନେତା କହୁଥିଲେ। ଏବେ ପରୀ ପାଇଁ ଏଆଇସିସି ହସ୍ତକ୍ଷେପ କରିବା ପରେ ରାଜ୍ୟନେତାମାନେ ପୁଣି ବୁଲିଗଲେ। ଚିଟଫଣ୍ଡ କେସରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଦୁଆର ପର୍ଯ୍ୟନ୍ତ ପହଞ୍ଚିଛି, ଖୁବଶୀଘ୍ର ତାଙ୍କ ଘରେ ପହଞ୍ଚିବ। ଯେଉଁମାନେ ଅନ୍ୟାୟ, ଅନୀତି ଓ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଛାଡଯିବ ନାହିଁ। ବିଜେପି ପକ୍ଷରୁ ନୟାଗଡରେ ଧାରଣା ଜାରି ରହିଛି। ବ୍ରହ୍ମପୁରରେ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଛି। ଆଗାମୀ ଦିନରେ ଏନେଇ ବହୁକିଛି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡ଼ି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀଙ୍କ ପାଖରେ କିଛି ଠୋସ୍ ପ୍ରସଙ୍ଗ ନାହିଁ। କେବଳ ବିରୋଧ କରିବା ପାଇଁ ରାଜନୀତି କରୁଛନ୍ତି। ତଦନ୍ତକୁ ଅପେକ୍ଷା କରନ୍ତୁ ପରୀକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।