ୱେସ୍କୋର ଘରୋଇକରଣକୁ ବିରୋଧ, ୧୬ରୁ ପ୍ରତିବାଦ

ସମ୍ବଲପୁର: ରାଜ୍ୟ ସରକାର ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ୱେସ୍କୋକୁ ଟାଟା ପାୱାରକୁ ବିକ୍ରି କରିବାକୁ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିର୍ୟସ ଏକତା ମଞ୍ଚ ତୀବ୍ର ବିରୋଧ କରିଛି। ୱେସ୍କୋର ଉପଭୋକ୍ତା ଓ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବିଶ୍ୱାସକୁ ନ ନେଇ ବିନା ଆଲୋଚନାରେ ସରକାରଙ୍କ ଏକ ତରଫା ଭାବରେ ନିଷ୍ପତ୍ତିକୁ କଡା ବିରୋଧ କରି ଆଗାମୀ ୧୬ ତାରିଖରୁ ଧାରଣା ପ୍ରଦର୍ଶନ କରି ପ୍ରତିବାଦ ଆରମ୍ଭ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ତରଫରୁ କୁହାଯାଇଛି।

ବୁଧବାର ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଦସ୍ୟମାନେ ଯୋଗ ଦେଇଥିଲେ। ୧୯୯୯ ମସିହାରେ ବିଦ୍ୟୁତ ସଂସ୍କାର ଆଇନ ଆସିବା ପୂର୍ବରୁ ୧୯୯୮ ମସିହାରେ ସରକାର ରାଜ୍ୟର ବିଦ୍ୟୁତ ସେବାକୁ ଉତ୍ତମ ସେବା ଓ ବିକାଶର ନାମରେ ରିଲାଏନ୍ସ ଓ ଏଇଏସ କମ୍ପାନୀ ହାତକୁ ଟେକି ଦେଇଥିଲେ। କିନ୍ତୁ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ସେମାନଙ୍କର ଫାଇଦା ଦେଖି କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବା ବେଳେ କିନ୍ତୁ କ୍ଷତି ହେଉଥିବାର ଆଳ ଦେଖାଇ ରାଜ୍ୟରେ ବିଦ୍ୟୁତ ସେବାର ଭିତ୍ତିଭୂମିକୁ ସୁଧାରିବା ଓ ରାଜ୍ୟବାସୀଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଏପରିକୁ ବିଦ୍ୟୁତ କମ୍ପାନୀ ଗୁଡିକର କର୍ମଚାରୀମାନଙ୍କର ବିଭିନ୍ନ ଦାବିର ପୂରଣ ନ କରିବା ସହିତ ପିଏଫ ପାଣ୍ଠିରେ ମଧ୍ୟ ଟଙ୍କା ଜମା କରି ନାହାନ୍ତି। ଫଳରେ ଏବେ ପର୍ଯ୍ୟନ୍ତ ଆଉଟସୋର୍ସ କର୍ମଚାରୀମାନେ ନିୟମିତ ହୋଇ ନାହାନ୍ତି, ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କର ଉତ୍ତରାଧିକାରୀମାନଙ୍କୁ ଚାକିରୀ, କର୍ମଚାରୀମାନଙ୍କର ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ ହୋଇ ନ ପାରି ଦିନ ପରେ ଦିନ ଗଡିଚାଲିଛି। ପିଏଫ ପାଣ୍ଠିରେ ଜମା କରାଯାଇ ନ ଥିବା କୋଟି କୋଟି ଟଙ୍କା ଗୁଡିକୁ ଉକ୍ତ କମ୍ପାନୀମାନଙ୍କ ଠାରୁ ଆଦାୟ କରା ନ ଯାଇ ନାହିଁ କି ସରକାର କର୍ମଚାରୀଙ୍କ ପିଏଫ ଟଙ୍କା ମଧ୍ୟ ଜମା କରି ନାହାନ୍ତି।

ଏଭଳି ଅନେକ ବିଭ୍ରାଟ ସୃଷ୍ଟି ହେବା ଓ ବିଦ୍ୟୁତ ସେବାରେ କୌଣସି ଉନ୍ନତି ନ ହେବାରୁ ଶେଷରେ ରାଜ୍ୟ ସରକାର ୨୦୧୫ ମସିହାରେ ଉକ୍ତ କମ୍ପାନୀ ଗୁଡିକରୁ ଲାଇସେନ୍ସ ପ୍ରତ୍ୟାହାର କରି ନେଇ ଗ୍ରିଡକୋ ଅଧିନକୁ ରାଜ୍ୟରେ ବିଦ୍ୟୁତ ସେବା ବିତରଣ କରୁଥିବା ସଂସ୍ଥା ଗୁଡିକୁ ନେଇ ଯାଇଥିଲେ। ଏହା ପରେ ସରକାର ନିଜେ ହଜାରରୁ ଉର୍ଦ୍ଧ କୋଟି ଟଙ୍କା ବିନିଯୋଗ କରି ରାଜ୍ୟରେ ବିଦ୍ୟୁତ ସେବାର ଭିତ୍ତିଭୂମିର ବିକାଶ କରିଛନ୍ତି। ଫଳରେ ୫୦୦ଟି ଗ୍ରିଡର ବିକାଶ, ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରଦାନ, ବିଜୁଳି ଦର ନ ବଢ଼ିବା ଆଦି ଅନେକ ସୁଧାର ପରିଲକ୍ଷିତ ହୋଇଛି। ଏହା ସହିତ ୨୦୧୩ – ୧୪ ମସିହାରେ ଏଟିଆଣ୍ଡସି କ୍ଷତି ୪୦ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତ ପର୍ଯ୍ୟନ୍ତ ଖସି ଯାଇଛି। ଫଳରେ ରାଜ୍ୟ ସରକାରଙ୍କ ଇତି ମଧ୍ୟରେ ପ୍ରାୟ ୨ ହଜାର କୋଟି ଟଙ୍କାର ଲାଭ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ କ୍ଷତି ହୋଇଥିବା ବେଳେ ଅଚାନକ ସରକାର ଏବଂ ଓଇଆରସି କାହାରି ମତ ନ ନେଇ ଚୁପଚାପ ପୁର୍ନବାର ଘରୋଇ କମ୍ପାନୀ ହାତକୁ କମ୍ପାନୀ ଗୁଡିକୁ ଟେକି ଦେବା ଘଟଣାରେ ଦୁର୍ନିତୀ ହୋଇଥିବାର ଅନୁମାନ କରାଯାଉଛି। ସେସୁର ଘରୋଇକରଣ ହେବାର ଏକ ମାସ ମଧ୍ୟରେ ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଆଗାମୀ ଦିନରେ ସମସ୍ତ କମ୍ପାନୀ ଗୁଡିକର ଘରୋଇକରଣ ହେବା ପରେ ଏହା ଆହୁରି ବୃଦ୍ଧି ପାଇବ।

ଆମ ସମ୍ବାଦଦାତା ବିରାଜ ମିଶ୍ର ଜଣାଇଛନ୍ତି ଯେ ସାରା ଭାରତରେ କୌଣସି ରାଜ୍ୟ ବିଦ୍ୟୁତ କ୍ଷେତ୍ରର ଘରୋଇ କରଣ କରୁ ନ ଥିବା ବେଳେ ଅତିତର ତିକ୍ତ ଅନୁଭୂତି ସତ୍ୱେ ପୁର୍ନବାର ଘରୋଇକରଣ ଆଶ୍ଚର୍ଯ୍ୟଜନକ ଅଟେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ମଞ୍ଚର ନେତା ମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଞ୍ଚ ଏ ସର୍ମ୍ପକରେ ସରକାରଙ୍କୁ ଗତ ଅକ୍ଟୋବର ମାସରୁ ନୋଟିସ ଦେଇ କଳା ବ୍ୟାଚ ପରିଧାନ କରି କାର୍ଯ୍ୟରତ ଥିବା ବେଳେ ଯଦି ସରକାର ତାଙ୍କର ନିଷ୍ପତ୍ତିରୁ ଓହରି ନ ଯାନ୍ତି ତାହା ହେଲେ ଆଗାମୀ ୧୬ ତାରିଖରେ ସାରା ପଶ୍ଚିମ ଓଡିଶାରେ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। ଏହା ସହିତ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ଦିନକୁ ୧ ଘଣ୍ଟା ଧାରଣା ପ୍ରଦର୍ଶନ କରାଯିବ। ବୁର୍ଲା ସ୍ଥିତ ୱେସ୍କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ପ୍ରଦର୍ଶନ କରାଯିବ। ଏହା ସତ୍ୱେ ଯଦି ସରକାର ଉପଭୋକ୍ତା ଓ କର୍ମଚାରୀଙ୍କ ଦାବିପୂରଣ ନ କରିବେ ତାହା ହେଲେ ଆଗାମୀ ଦିନରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସାଧାରଣ ସଚିବ ଲଳିତ ପଟ୍ଟନାୟକ, ଜଗନ୍ନାଥ ବାରିକ, ପ୍ରଣୟ କୁମାର ନାୟକ, ପ୍ରଭାତ କୁମାର ହୋତା, ହରିହର ଜେନା, ନିରଞ୍ଜନ ପାଣିଗ୍ରାହୀ, ଆଦିତ୍ୟ ପ୍ରଧାନ, ସୁବ୍ରତ କୁମାର ପଣ୍ଡା, ଏନ ନଟ୍ଟୁଗୋପାଳ ଙ୍କ ସମେତ ଅନ୍ୟ ଶ୍ରମିକ ନେତା ଓ ସଦସ୍ୟ ଉପସ୍ଥିତ ଥିଲେ।

Comments
Loading...