ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ଏକାଠି; ଚଳିତ ସପ୍ତାହରେ ହେବ ଭର୍ଚ୍ୟୁଆଲ ବୈଠକ

ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏହି ସମୟରେ କରୋନା ପ୍ରସଙ୍ଗ, ଅର୍ଥ ବ୍ୟବସ୍ଥା, ଚୀନ ସହ ସୀମା ବିବାଦ ଓ ରାଜ୍ୟଗୁଡ଼ିକୁ ଜିଏସଟି ଅଂଶ ପ୍ରଦାନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂସଦର ଉଭୟ ଗୃହରେ ସରକାରଙ୍କ ବିରୋଧରେ ଏକାଠି ମୋର୍ଚା ଖୋଲିବାକୁ କଂଗ୍ରେସ ଆଗ୍ରହ ପ୍ରକାଶ କରିଛି । ଏଥିନେଇ ଅନ୍ୟ ବିରୋଧୀ ରାଜନୈତିକ ଦଳର ସହ ଆଲୋଚନା ହୋଇଛି । ଚଳିତ ସପ୍ତାହରେ ଏଥିନେଇ ଆଉ ଏକ ବୈଠକ ଆୟୋଜନ ହେବ ଏବଂ ଏହି ବୈଠକରେ ଆଗାମୀ ଅଧିବେଶନ ନିମନ୍ତେ ରଣନୀତି ପ୍ରସ୍ତୁତ ହେବ । ୮ ତାରିଖରେ ସୋନିଆ ଗାନ୍ଧୀ ଦଳର ରଣନୀତି ପ୍ରସ୍ତୁତି ନେଇ ଏକ ବୈଠକ ଡ଼ାକିଛନ୍ତି ଓ ଏହାପରେ ଅନ୍ୟ ରାଜନୈତିକ ଦଳ ସହ ବିଚାରବିମର୍ଷ କରାଯିବ ।

ତୃଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁକ୍ତିମୋର୍ଚା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସୋନିଆ ଗାନ୍ଧୀ ଆଲୋଚନା କରିଛନ୍ତି ଏବଂ ଆଗାମୀ ବୈଠକରେ ମଧ୍ୟ ପୁନର୍ବାର ସେମାନଙ୍କ ସହ ଆଲୋଚନା ହୋଇପାରେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

କଂଗ୍ରେସର ରଣନୀତିକାରମାନେ ପ୍ରଥମରୁ ଥରେ ବୈଠକ କରିଛନ୍ତି ଓ କେଉଁ ପ୍ରସଙ୍ଗ ସଂସଦରେ ଉଠାଯିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ସମାନ ମତ ରଖୁଥିବା ଦଳ ସହ ଆଲୋଚନା ନିମନ୍ତେ ଦଳର କିଛି ବରିଷ୍ଠ ନେତାଙ୍କୁ ଦଳ ଦାୟିତ୍ବ ଦେଇଛି । ସଂସଦ ଭିତରେ ଓ ବାହାରେ ସେମାନେ ଏକାଠି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି । ତୃଣମୂଳ କଂଗ୍ରେସ ନେତା ଡ଼େରେକ ଓ ବ୍ରାଏନ ପୂର୍ବରୁ ସରକାରଙ୍କ ବିରୋଧରେ ଏକାଠି ହେବାକୁ କଂଗ୍ରେସର ଆଭିମୁଖ୍ୟକୁ ସମର୍ଥନକରିବା ସହ ଏକତ୍ର ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଦଳଗୁଡ଼ିକ ମଧ୍ୟରେ ତାଳମେଳ ରଖି ସରକାରଙ୍କୁ ଘେରିବା ଆବଶ୍ୟକ । ସେହିପରି ସିପିଏମ୍ ନେତା ସୀତାରାମ ୟେଚୁରୀ ମଧ୍ୟ ମିଳିତ ଭାବରେ ବିରୋଧୀଦଳ ରଣନୀତି ପ୍ରସ୍ତୁତି କରୁଥିବା ନେଇ ଇଙ୍ଗିତ ଦେଇଛନ୍ତି । ରବିବାର ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ୟେଚୁରୀ ବିରୋଧୀଙ୍କ ଏକତ୍ର ଓ ସଙ୍ଗଠିତ ହୋଇ ରହିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଅନ୍ୟପକ୍ଷରେ ସିପିଆଇ ନେତା ଡ଼ି.ରାଜା କହିଛନ୍ତି ଯେ ଖୁବ୍ ଶୀଘ୍ର ବିରୋଧୀ ଦଳର ନେତାମାନେ ଏକ ବୈଠକରେ ଯୋଗ ଦେବେ । ପୂର୍ବ ଲାଦାଖରେ ଚୀନ ସହ ଉତ୍ତେଜନା ପ୍ରସଙ୍ଗରେ ସରକାରଙ୍କଠାରୁ ବିରୋଧୀ ଜବାବ ମାଗିବେ । ଦେଶରେ କରୋନା ସଂକ୍ରମଣ ମାମଲା ପ୍ରସଙ୍ଗରେ ମଧ୍ୟ ଚର୍ଚା ହେବ । ଫେସବୁକ୍ ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏନଇଇଟି ଓ ଜେଇଇ ପରୀକ୍ଷା ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇବାର ସମ୍ଭାବନା ରହିଛି । ବିରୋଧୀ କହିଛନ୍ତି ଯେ କରୋନା ସଂକ୍ରମଣ ମଧ୍ୟରେ ପରୀକ୍ଷା ଆୟୋଜନ କରି ସରକାର ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇଛନ୍ତି । ସରକାରଙ୍କ ଦ୍ବାରା ଜାରି ଅଧ୍ୟାଦେଶ ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ବିରୋଧ କରିଛି । ଇତିମଧ୍ୟରେ ସରକାର ୧୧ଟି ଅଧ୍ୟାଦେଶ ଜାରି କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ମୁଖ୍ୟ ସଚେତକ ଦଳର ନେତାମାନଙ୍କୁ ଅଧ୍ୟାଦେଶରେ ରହିଥିବା ବିଭିନ୍ନ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଅବଗତ କରିଛନ୍ତି । ସେହିପରି ଚଳିତ ଅଧିବେଶନରେ ପ୍ରଶ୍ନକାଳ ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇବା ସମ୍ଭାବନା ରହିଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଉଭୟ ସଦନରେ ପ୍ରଶ୍ନକାଳକୁ ପୁନବାହାଲ କରିବାନ ନିମନ୍ତେ କଂଗ୍ରେସ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ଅଧ୍ୟକ୍ଷଙ୍କୁ କଂଗ୍ରେସ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ ସୀମାରେ ଚୀନର ଆକ୍ରମଣ ପ୍ରସଙ୍ଗ, ଦେଶର ଆର୍ଥିକ ସ୍ଥିତି, ଜିଡ଼ିପି ନିମ୍ନଗାମୀ ହେବା, ବେକାରୀ ପ୍ରସଙ୍ଗ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବ୍ୟତୀତ ଜିଏସଟି ଅଂଶଧନ ପ୍ରଦାନ, ଫେସବୁକ ଜନିତ ବିବାଦ ଆଦି ନେଇ ଧ୍ୟାନଆକର୍ଷଣ ପ୍ରସ୍ତାବ କଂଗ୍ରେସ ଆଗତ କରିବ ।

ସୂଚନାଯୋଗ୍ୟ ଯେ ଆଗାମୀ ସଂସଦ ଅଧିବେଶନ ନିମନ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ମହାମାରୀ କାରଣରୁ ବୈଠକ ନିମନ୍ତେ ଭିନ୍ନ ଧରଣର ଆୟୋଜନ ହୋଇଛି । ସାଂସଦ, ସେମାନଙ୍କ ପରିବାର, ସହାୟକ କର୍ମଚାରୀ, ସୁରକ୍ଷା କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଧିବେଶନ ପୂର୍ବରୁ କରୋନା ପରୀକ୍ଷାକରିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ବିନା ନେଗେଟିଭ୍ ରିପୋର୍ଟରେ ସଂସଦ ମଧ୍ୟକୁ କାହାରିକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦିଆଯାଇଛି।  ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନକୁ ଛାଡ଼ିଦେଲେ ଅନ୍ୟଦିନମାନଙ୍କରେ ରାଜ୍ୟସଭା ବୈଠକ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଓ ଲୋକସଭା ବୈଠକ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ କାରଣରୁ ମୌସୁମୀ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ସ୍ଥଗିତ ହେବାର ଅନୁମାନ କରାଯାଉଛି ।

Comments are closed.