ସିଏଏକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଶାହା ; ବିରୋଧୀ ଦଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି

ଗିରିଡ଼ିହୀ(ଝାଡଖଣ୍ଡ) : ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନ୍‍କୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି। ସେମାନେ ଜନସାଧାରଣଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଶନିବାର ଗିରିଡ଼ିହୀ ଠାରେ ଏକ ନିର୍ବାଚନ ସଭାରେ କଂଗ୍ରେସ ଦଳକୁ ଆକ୍ଷେପ କରି ଶ୍ରୀ ସାହା କହିଛନ୍ତି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତାଙ୍କର ଦଳର ନେତାମାନେ ଏହି ଆଇନ୍‍ର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ହିଂସା ପାଇଁ ଉସୁକାଉଛନ୍ତି। ବିଜେପି ମୁସଲମାନ ବିରୋଧୀ ନୁହେଁ ଏବଂ ଏହି ସମ୍ପ୍ରଦାୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଶ୍ରୀ ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନ୍‍ ପ୍ରସଙ୍ଗ ଉଠାଇ ବିରୋଧୀ ଦଳଗୁଡ଼ିକ ରାଜନୈତିକ ଫାଇଦା ଉଠାଇବାର ପ୍ରୟାସ କରୁଛନ୍ତି । ଭାରତୀୟ ମୁସଲମାନମାନେ ଏହି ଦେଶର ନାଗରିକ ଏବଂ ସେମାନେ ନାଗରିକ ହୋଇରହିବେ ବୋଲି ଶ୍ରୀ ଶାହା ସ୍ପଷ୍ଟ ଭାବେ କହିଛନ୍ତି । ଏଥିପାଇଁ ମୁସଲମାନମାନେ ଚିନ୍ତା ବା ଭୟ କରିବାର କୌଣସି କାରଣ ନାହିଁ । ତିନ ତଲାକ୍‍ ଉଠାଇ ନିଆଯିବା ପରେ ମୁସଲମାନ ମହିଳାମାନେ ଖୁସି ଅଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଅଣ-ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ନିର୍ଯାତିତ ହୋଇଆସୁଛନ୍ତି। ନାଗରିକ ସଂଶୋଧନ ଆଇନ୍‍ ଲାଗୁକରି କେନ୍ଦ୍ର ସରକାର ସେହିସବୁ ଦେଶରୁ ଭାରତକୁ ଚାଲିଆସିଥିବା ଲୋକମାନଙ୍କୁ ଅଧିକାର ଓ ସମ୍ମାନ ପ୍ରଦାନ କରିଛନ୍ତି । ପାକୁରଠାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, କେନ୍ଦ୍ର ସରକାର ମୁସଲମାନମାନଙ୍କ ପ୍ରତି ପାତରଅନ୍ତର ମନଭାବ ପୋଷଣ କରନ୍ତି ନାହିଁ ଏବଂ ଏହି ସମ୍ପ୍ରଦାୟର ଲୋକମାନଙ୍କୁ ନରେନ୍ଦ୍ର ମେଦୀ ସରକାର ଭାରତର ନାଗରିକତା ପ୍ରଦାନ କରିଛନ୍ତି।

Comments are closed.