ଇଭିଏମକୁ ନେଇ ଦିଲ୍ଲୀରେ ବିରୋଧୀ ଦଳଙ୍କ ବୈଠକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରିଣାମ ଆସିବାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବିରୋଧୀ ଦଳଗୁଡ଼ିକ ଦିଲ୍ଳୀରେ ବୈଠକ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୧ଟି ବିରୋଧୀ ଦଳର ନେତାମାନେ ସାମିଲ ହୋଇଛନ୍ତି। ଏଥିରେ ଇଲେକ୍ଟ୍ରୋନିଂ ଭୋଟିଂ ମେସିନ (ଇଭିଏମ)କୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ବୈଠକ ଶେଷ ହେବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତାମାନେ ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ୧୦୦% ଇଭିଏମ ସହ ଭିଭିପାଟ ମିଳାଇବାକୁ ଦାବି କରି ନିର୍ବାଚନ ଆୟୋଗଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ବୈଠକରେ ଅଣଏନଡିଏ ସରକାର ଗଠନର ସମ୍ଭାବନା ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ କଂଗ୍ରେସ ପକ୍ଷରୁ ଗୁଲାମନବୀ ଆଜାଦ, ବିଏସ୍‍ପି ନେତା ସତୀଶ ଚନ୍ଦ୍ର ମିଶ୍ରା, ଏନ୍‍ସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ବାମପନ୍ଥୀ ଦଳରୁ ସୀତାରାମ ୟେଚୁରୀ, ଟିଏମ୍‍ସି ସାଂସଦ ଡେରେକ ଓବ୍ରାୟନ ଏବଂ ଏସ୍‍ପି ନେତା ରାମଗୋପାଳ ଯାଦବ ଉପସ୍ଥିତ ଥିଲେ।

Comments are closed.