କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେବା ପାଇଁ ହୀନ ରାଜନୀତି କରୁଛନ୍ତି ରାଜ୍ୟ ସରକାର :ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି। ଏହି ଅବସରରେ ମୋତେ ବି ସେହି ସମାନ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ହେଲେ ମୁଁ ଗଲି ନାହିଁ। କାରଣ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ଏକୁଟିଆ ମଂଚ ଓ ଅନ୍ୟମାନଙ୍କ ପାଇଁ ଅଲଗା ମଂଚର ବ୍ୟବସ୍ଥା କରାଯାଇଛି ଏହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ। କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ମାନଙ୍କ ପ୍ରତି ଏହା ଅପମାନ। ମୁଖ୍ୟମନ୍ତ୍ରୀ ଅଲଗା ବସିବେ ଆଉ ଅନ୍ୟମାନେ ଅଲଗା ବସିବେ କାହିଁକି? ମୁଖ୍ୟମନ୍ତ୍ରୀ କି ପରମ୍ପରା ଆରମ୍ଭ କରିବାକୁ ଚାହୁଁଛନ୍ତି? କାହିଁକି ଅନ୍ୟ ଜନପ୍ରତିନିଧି ମାନଙ୍କୁ ନିଚ ଦେଖାଇବା ପାଇଁ ପ୍ରୟାସ କରାଯାଉଛି ବୁଝି ହେଉନାହିଁ। ଯଦି ମୁଖ୍ୟମନ୍ତ୍ରୀଙ୍କର କିଛି ବ୍ୟକ୍ତିଗତ ସମସ୍ୟା ଥିଲା ତାହା ମୁଖ୍ୟମନ୍ତ୍ରୀ ନ ହେଲେ ତାଙ୍କ କାର୍ଯ୍ୟାଳୟ ଜଣାଇପାରିଥାନ୍ତେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ ଆଜି ଇନ୍ଦ୍ରାବଦୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପର ଲୋକାର୍ପଣ କରାଯାଉଛି। ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୯୦% ସହାୟତା ଦେଇଛନ୍ତି ।   ସମୁଦାୟ ପ୍ରକଳ୍ପରେ ୭୫୬କୋଟି ଖର୍ଚ୍ଚ ହୋଇଥିବା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ୯୦% ଅର୍ଥ ଖର୍ଚ୍ଚ ବହନ କରିଛନ୍ତି। ୨୬ ହଜାର ହେକ୍ଟର ଜମି ଜଳସେଚିତ ହେବ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ହେବ। କାରଣ ଏହି ପ୍ରକଳ୍ପ ୨୦୧୧ରେ ଆରମ୍ଭ ହୋଇ ୨୦୧୩ରେ ସରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇଥିଲା ହେଲେ ସେତେବେଳର କେନ୍ଦ୍ର ସରକାର ଅର୍ଥ ଦେଲେ ନାହିଁ ଯାହାଫଳରେ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ। ନରେନ୍ଦ୍ର ମୋଦିଙ୍କର ସରକାର ଆସିବା ପରେ ହିଁ ୨୦୧୫ରେ ଏହି ପ୍ରକଳ୍ପର କାମ ଆରମ୍ଭ ହେଲା। କେନ୍ଦ୍ର ସରକାରଙ୍କର ଯୋଜନାରେ ହେଉଥିବା ପ୍ରକଳ୍ପ ଲୋକାର୍ପଣର ସରକାରୀ ଉତ୍ସବକୁ ଦଳୀୟ ଢଙ୍ଗରେ କରାଯିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ହୀନ ରାଜନୀତି କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି।


ଓଡିଶାରେ ଯେତେ ଲିଫ୍ଟ ଇରିଗେସନ ପ୍ରକଳ୍ପ ଚାଲୁଛି ସେଥିରୁ ଅଧିକାଂଶ ହେଉଛିପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଯାଇଛନ୍ତି। କଳାହାଣ୍ଡିର କିଛି କଥା ଯାହା ତାଙ୍କ ଦଳର ବିଧାୟକ ମନ୍ତ୍ରୀମାନେ କହିଲେ କି ନାହିଁ ମୁଁ ଜାଣିନି। ସେଥିପାଇଁ ଆପଣଙ୍କ ମାଧ୍ୟମରେ ମୁଁ କହିବା ପାଇଁ ଚାହୁଁଛି। ଇନ୍ଦ୍ରାବତୀ ରାଇଟ କେନାଲ ଯାହା ୨୦୦୧ ମସିହାରୁ ଚାଲିଲାଣି ବର୍ତମାନ ଏହାର ପୁନରୁଦ୍ଧାର ଓ ମରାମତି ଆବଶ୍ୟକ ହେଲାଣି କାରଣ ଚାଷୀମାନଙ୍କର ଅଭିଯୋଗ ତଳମୁଣ୍ଡରେ ପାଣି ପହଂଚୁନି। ସରକାର ସବୁ ଜାଣିଛନ୍ତି, ୨୦୧୪ରେ ସରକାର ଏହାର ଟେଣ୍ଡର ମଧ୍ୟ କରିଥିଲେ ମରାମତି ପାଇଁ ହେଲେ କାହିଁ କେଜାଣି ଏହାକୁ ମରାମତି ହେଉନି କି କ୍ଷେତକୁ ପାଣି ଯାଉନି। ମୁଖ୍ୟମନ୍ତ୍ରୀ ଏହା ଉପରେ ଟିକିଏ ଧ୍ୟାନ ଦିଅନ୍ତୁ। ସେହିପରି ୨୦୧୫ରେ ରେତ ନଦୀରେ ଲଇତରା ପାଖରେ ଏକ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ ତାହାର ବି ସେହି ସମାନ ଅବସ୍ଥା।

କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ସେତେବେଳର କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ଘୋଷଣା କରିଥିଲେ। କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ୮୦୦ ଏକର ଜମି ବି ଚିହ୍ନଟ ହୋଇଛି। ସେ କାମ କାହିଁକି ଅଟକିଲା କିଏ ଅଟକାଇଲା? ସରକାରଙ୍କ ନାଲି ଫିତା ତଳେ କାହିଁକି ଏହି ପ୍ରକଳ୍ପ ଚାପି ହୋଇଗଲା ତାହା ମୁଖ୍ୟମନ୍ତ୍ରୀ ଆଜି କୁହନ୍ତୁ ବୋଲି ଶ୍ରୀ ନାଏକ କହିଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବାର ୨୨ ବର୍ଷ ବିତିଗଲାଣି ହେଲେ ତାହାର କାର୍ଯ୍ୟାଳୟ କାହିଁକି ପଶ୍ଚିମ ଓଡିଶାରେ ନହୋଇ ଭୁବନେଶ୍ୱରରେ ରହିଛି? ଯେଉଁ ଅଂଚଳ ପାଇଁ ପରିଷଦ ତିଆରି ହୋଇଛି ସେହି ଅଂଚଳରେ ଏହାର କାର୍ଯ୍ୟାଳୟ ହେଉ ମୁଖ୍ୟମନ୍ତ୍ରୀ ଏହା ଉପରେ ବି ଜବାବ ରଖିବେ। କଳାହାଣ୍ଡି ହେଉଛି ଓଡିଶାର ସବୁଠାରୁ ଅଧିକ କପା ଉପ୍ତାଦନ କରୁଥିବା ଜିଲ୍ଲା। ୬୫ହଜାର ହେକ୍ଟର ଜମିରେ କପା ଚାଷ ହେଉଛି ହେଲେ କପା ଚାଷୀଙ୍କ ଦୁଃଖ ନକହିଲେ ଭଲ । ମୁଖ୍ୟମନ୍ତ୍ରୀ ଯାଇଛନ୍ତି ସେମାନଙ୍କ କଥା ବୁଝିକି ଆସନ୍ତୁ। କେସିଙ୍ଗାରେ ଥିବା ସ୍ପିନିଙ୍ଗ ମିଲ କାହିଁକି ବନ୍ଦ ପଡିଛି। ଯଦି ତାକୁ ଚାଲୁ କରାଯାଆନ୍ତା ତାହାଲେ କପା ଚାଷୀଙ୍କର ଅଭାବୀ ବିକ୍ରିର ସମସ୍ୟା ରୁହନ୍ତାନି। ତା ସହିତ ୧୦୦୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଆନ୍ତେ। ପଛୁଆ ଆଉ ସବୁଠାରୁ ଗରିବ କଳାହାଣ୍ଡି ଜିଲ୍ଲା ପାଇଁ ଏହି କୋଣାର୍କ ସ୍ପିନିଙ୍ଗ ମିଲ ଏକ ବରଦାନ ଭଳି। ରାଜ୍ୟ ସରକାର ମେଡ ଇନ ଓଡିଶା କାର୍ଯ୍ୟକ୍ରମ କରି ନୁଆ ନୁଆ ନିବେଶକମାନଙ୍କୁ ଆଣୁଛନ୍ତି ହେଲେ ଯେଉଁ କାରଖାନା ବନ୍ଦ ଅଛି ତାହାକୁ ଚାଲୁ କରୁନାହାଁନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।  ଏସବୁ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଗରେ ରଖିବେ। ଏହାପରେ ଯାଇ କଳାହାଣ୍ଡିରୁ ଫେରିବେ ନହେଲେ ପ୍ରମାଣିତ ହେବ ଯେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ବିକାଶ ନୁହଁ ବରଂ ନିଜର ରାଜନୈତିକ ଲାଭ ପାଇଁ କଳାହାଣ୍ଡି ଯାଇଥିଲେ ବୋଲି ଶ୍ରୀ ନାଏକ କହିଛନ୍ତି।  ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଭବାନୀ ଭୋଇ, ଗଣେଶ ରାମ ଖୁଂଟିଆ, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଓ ଠାକୁର ରଞ୍ଜିତ୍‍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.