ଜିନ୍ପିଙ୍ଗଙ୍କ ବିରୋଧୀ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ

ବେଜିଂ: ଚୀନର ପୂର୍ବତନ ପ୍ରମୁଖ ବ୍ୟାଙ୍କ ପରିଚାଳକ ଲାଇ ସାଓମିନ୍ଙ୍କୁ ଲାଞ୍ଚ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ହୋଇଛି। କମ୍ୟୁନିଷ୍ଟ ପାର୍ଟିର ଏହି ପୂର୍ବତନ ସଦସ୍ୟଙ୍କ ବିରୋଧରେ ୨୬୦ନିୟୁତ ଡଲାର ଳାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ବିଚାରବେଳେ ସେ ଏହି ଅଭିଯୋଗକୁ ସ୍ବୀକାର କରିଥିବା କୁହାଯାଉଛି। ସାଓମିନ୍ଙ୍କ ସ୍ବୀକାରୋକ୍ତି ଆଧାରରେ ସେ ବାସ କରୁଥିବା ଆପାର୍ଟମେଣ୍ଟରୁ ବିପୁଳ ପରିମାଣର ଅର୍ଥ ଜବତ ହୋଇଥିବା ପ୍ରକାଶ। ସାଓମିନ୍ ଚୀନ ହୁଆରୋଙ୍ଗ ଆସେଟ ମ୍ୟାନେଜମେଣ୍ଟ କର୍ପୋରେସନ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏହା ହେଉଛି ଚୀନର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ। ଅଧ୍ୟକ୍ଷ ଥିବାବେଳେ କ୍ଷମତାର ଅପବ୍ୟବହାର କରି ସେ ୨୦୦୯ରୁ ୨୦୧୮ ମଧ୍ୟରେ ବିପୁଳ ଅର୍ଥ ଆତ୍ମସାତ୍ କରିଥିଲେ ବୋଲି ତିଆନଜିନ ଅଦାଲତ ରାୟ ଦେଇଛି। କେବଳ ସେତିକି ନୁହେଁ ସେ ବେଆଇନ ଭାବେ ଏକାଧିକ ପତ୍ନୀ ରଖିବା ସହ ବହୁ ସନ୍ତାନଙ୍କ ଜନକ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଅପରପକ୍ଷରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କର ସେ ସମାଲୋଚକ ଭାବେ ପରିଚିତ ଥିବାରୁ ତାଙ୍କୁ ଫସାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଜିନପିଙ୍ଗ ଦୁର୍ନୀତି ବିରୋଧୀ ଅଭିଯାନ ଆଳରେ ତାଙ୍କର ସମସ୍ତ ବିରୋଧୀଙ୍କୁ ଏଭଳି ଭାବରେ ଦମନ କରୁଥିବା କୁହାଯାଉଛି।