ଏବେ ସ୍କୁଲ ଚିନ୍ତା : ମତୈକ୍ୟ ଭିତ୍ତିରେ ଯୋଜନା ପ୍ରସ୍ତୁତ ହେଉ

ଭୟ ଓ ଭକ୍ତି ମିଶ୍ରିତ ଏକ ନିରାନନ୍ଦ ପରିବେଶରେ ପାର୍ବଣ ସରିଗଲା। ସନ୍ତାନର ମଙ୍ଗଳ ପାଇଁ ମା’ ଧରାପୃଷ୍ଠକୁ ଆସିଲେ, ଅଥଚ ପରଦା ଆଢ଼ୁଆଳରେ ରହି ବିଦାୟ ନେଲେ। ଭାରତରେ ଶାରଦୀୟ ଦୁର୍ଗାପୂଜାର ବିଗତ ଶହେ ବର୍ଷର ଇତିହାସରେ ଏଭଳି ପ୍ରତୀକାତ୍ମକ ଆବାହନ ଏକ ସ୍ୱତନ୍ତ୍ର ଅଧ୍ୟାୟ ଲେଖିଦେଇଗଲା। ଏଥିରେ ଶାସନ ପ୍ରଶାସନର ଲକ୍ଷ୍ୟ କେତେ ସଫଳ ହେଲା ଏବଂ ଭକ୍ତଙ୍କ ଭକ୍ତିଭାବନା କେତେ ଶକ୍ତିଶାଳୀ ଥିଲା ତାହା ପରେ ଆଲୋଚନା ହେବ। ଏବେ କିନ୍ତୁ ସେ ସବୁ ଭୁଲି ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ।
ଜନସ୍ୱାସ୍ଥ୍ୟର ସୁରକ୍ଷା ସହିତ କୋମଳମତି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି। କେତେକ ରାଜ୍ୟରେ ଚଳିତ ମାସ ପ୍ରଥମାର୍ଦ୍ଧରୁ ସ୍କୁଲ୍ ଆଂଶିକ ଖୋଲିଥିବା ବେଳେ ଓଡ଼ିଶା ସମେତ ଆଉ କେତେକ ରାଜ୍ୟରେ ପାର୍ବଣ ପରେ ସ୍କୁଲ୍ ଖୋଲିବା ପାଇଁ ଘୋଷଣା ହୋଇଥିଲା। ତେଣୁ ବର୍ତ୍ତମାନ ସ୍କୁଲ୍ ଖୋଲିବ କି ନାହିଁ, ଯଦିବା ଖୋଲିବ ତେବେ କୋଭିଡ୍ ନିୟମ କିପରି ଓ କେତେଦୂର ପାଳନ ହେବ, ଶିକ୍ଷା ବର୍ଷର ବାକି ସମୟରେ ପାଠ୍ୟକ୍ରମ ସାରିବା ପାଇଁ କ’ଣ ନୀତି ହେବ ତାହା କେବଳ ସରକାରଙ୍କ ପାଇଁ ନୁହେଁ ବରଂ ଅଭିଭାବକଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି।
ଗତ ଏପ୍ରିଲରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବାକୁ ସରକାର ଯଥାସମ୍ଭବ ଉଦ୍ୟମ କରିଛନ୍ତି; କିନ୍ତୁ ବୈଷୟିକ ଭିତ୍ତିଭୂମିର ଅଭାବ, ଅଭିଭାବକଙ୍କ ଆର୍ଥିକ ଓ ପାରିବାରିକ ସମସ୍ୟା ଆଦି ଏ ଦିଗରେ ବାଧକ ହୋଇଥିବାରୁ ସରକାରଙ୍କ ଲକ୍ଷ୍ୟ ମାତ୍ର ୩୩% ସଫଳ ହୋଇଥିବା ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି। ତେଣୁ ଶିକ୍ଷାବର୍ଷର ବାକି ସମୟରେ ଶିକ୍ଷାଦାନ ପାଇଁ ଅନଲାଇନ୍ ଉପରେ ଆଉ ନିର୍ଭର କରିବା ସପକ୍ଷରେ ମତ ପ୍ରକାଶ ପାଉନାହିଁ। ଅପରପକ୍ଷରେ ସ୍କୁଲରେ ପିଲାମାନଙ୍କର ଶାରୀରିକ ଉପସ୍ଥିତି କୋଭିଡ୍ ସଂକ୍ରମଣକୁ ଅଧିକ ଭୟାନକ କରିପାରେ – ଆନ୍ଧ୍ରପ୍ରଦେଶର ଏକ ସ୍କୁଲରୁ ତାହାର ଉଦାହରଣ ମିଳିଛି। ତେଣୁ ସରକାର ଓ ନୀତି ନିର୍ଦ୍ଧାରକମାନେ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିବା ସ୍ୱାଭାବିକ।
ସଂକ୍ରମଣକୁ ଡରି ପିଲାମାନଙ୍କ ଭବିଷ୍ୟତକୁ ଆଉ ଅଧିକ ଅଣଦେଖା କରାଯାଇପାରିବ ନାହିଁ – ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ନେଇଥିବା ନିଷ୍ପତ୍ତିରୁ ଆପାତତଃ ଏହା ଜଣାପଡ଼ୁଛି। ଇତିମଧ୍ୟରେ ସ୍କୁଲ ସମେତ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ନାମଲେଖା ପ୍ରକ୍ରିୟା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଆସନ୍ତା ମାସ ପ୍ରଥମ ସପ୍ତାହରେ ସରକାର ଯେ କୌଣସି ସମୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଘୋଷଣା କରିପାରନ୍ତି। ଏ ସବୁ ସତ୍ତ୍ୱେ ସ୍କୁଲ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତିର ଅପେକ୍ଷା ରଖୁଛି। ସ୍କୁଲରେ ପିଲାମାନଙ୍କୁ ଛାଡ଼ିବା ଓ ଆଣିବା ପାଇଁ ପ୍ରାୟତଃ ଅଭିଭାବକମାନେ ବସ୍, ଅଟୋ ପରି ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ତେଣୁ ପିଲାମାନେ ସ୍କୁଲ ଯିବା ଆସିବାବେଳେ କୋଭିଡ୍ କଟକଣା ପାଳନ କରିବା କାଠିକର ପାଠ। ସେହିପରି ସବୁ ସ୍କୁଲରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଏଭଳି କ୍ଷେତ୍ରରେ ସମସ୍ତଙ୍କ ପାଇଁ ଯଦି ସାନିଟାଇଜର ଯୋଗାଇ ଦିଆଯାଏ ତେବେ ସେହି ଖର୍ଚ୍ଚ ସ୍କୁଲ କର୍ତ୍ତୃପକ୍ଷ ନା ସରକାର ବହନ କରିବେ ତାହା ଆଉ ଏକ ପ୍ରଶ୍ନ। ସ୍କୁଲ୍ ହତା ଭିତରେ ମଧ୍ୟ କୋମଳମତି ଛାତ୍ରଛାତ୍ରୀ ସବୁବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବେ ବୋଲି ନିଶ୍ଚିତ କରି ହେଉନାହିଁ। ଏହିସବୁ କାରଣରୁ ସଂକ୍ରମଣ ପୁଣି ଊର୍ଦ୍ଧ୍ବମୁହାଁ ହେଲେ ଉତ୍ତରଦାୟିତ୍ୱ ମୁଣ୍ଡାଇବାକୁ କେହି ରାଜି ହେବେ ନାହିଁ।
ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ସବୁ ଦିଗକୁ ସୁହାଇବା ଭଳି କେତେକ ପଦକ୍ଷେପ ନିଆଯାଇପାରେ। ସ୍କୁଲ୍ ଖୋଲିବା ପରେ ହଠାତ୍ ସବୁ ପିଲାଙ୍କୁ ଆସିବାକୁ ଅନୁମତି ନ ଦେଇ ପ୍ରତି ଶ୍ରେଣୀର ପିଲାଙ୍କୁ କେତୋଟି ଦଳରେ ବିଭକ୍ତ କରି ପାଳିରେ ଶ୍ରେଣୀ ଶିକ୍ଷା ଦିଆଯାଇପାରେ। ଗୋଟିଏ ଦଳକୁ ଶିକ୍ଷା ଦାନ ବେଳେ ଅନ୍ୟମାନେ ଘରେ ରହିବେ। ଏହି ପର୍ଯ୍ୟାୟଭିତ୍ତିକ ଶିକ୍ଷାଦାନ ଚକ୍ରବତ୍ ନିୟମରେ ଚାଲିବ। ଏହାଦ୍ୱାରା ସାମାଜିକ ଦୂରତ୍ୱ ବଜାୟ ରହିବା ସହ ପିଲାମାନଙ୍କ ମୌଳିକ ଦକ୍ଷତା ବିକାଶ ଦିଗରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଶେଷ ଧ୍ୟାନ ଦେଇପାରିବେ ବୋଲି ଆମର ବିଶ୍ୱାସ। ଏହି ସମୟରେ କୋଭିଡ ସଂକ୍ରମଣ ଭୟ ଓ ତଦ୍‌ଜନିତ ଉତ୍ତରଦାୟିତ୍ୱ ଦ୍ବନ୍ଦ୍ୱ ଦୂର କରିବା ପାଇଁ ସ୍କୁଲ୍ ଆସୁଥିବା ପିଲାମାନଙ୍କ ଅଭିଭାବକଙ୍କଠାରୁ ସମ୍ମତି/ଅନୁମତି ପତ୍ର ରଖାଯାଇପାରେ। ପ୍ରତି ସ୍କୁଲ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିଯୁକ୍ତ କରି ପିଲାମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲେ ସଂକ୍ରମଣ ଆଶଙ୍କାକୁ କିଛି ମାତ୍ରାରେ ପ୍ରତିହତ କରିହେବ। ସେହିପରି ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ସହିତ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧିକାରୀ ଉପାଦାନ/ଔଷଧ ସାମିଲ୍ କରାଯିବା ଆବଶ୍ୟକ। ପିଲାମାନଙ୍କ ଦାୟିତ୍ୱରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ କୋଭିଡ୍ କଟକଣା କଠୋର ଭାବେ ମାନି ଚଳିବାକୁ ହେବ। ସମ୍ପୂର୍ଣ୍ଣ ଶିକ୍ଷାବର୍ଷର ଅନେକ ସମୟ ଅପଚୟ ହେଲାଣି। ତେଣୁ ବାକି ଥିବା ସମୟକୁ ଲକ୍ଷ୍ୟଭିତ୍ତିକ କରି ସେହି ଅନୁସାରେ ଶିକ୍ଷାନୀତି ପ୍ରସ୍ତୁତ କରିବାକୁ ପଡ଼ିବ।
ସ୍କୁଲ୍ ଖୋଲିବା ପୂର୍ବରୁ ସରକାର ଶିକ୍ଷାବିତ୍ ଓ ଅଭିଭାବକଙ୍କ ସହିତ ପରାମର୍ଶ କରି ମତୈକ ଭିତ୍ତିରେ ଯୋଜନା ପ୍ରସ୍ତୁତ କଲେ ଭବିଷ୍ୟତରେ ଅଭିଯୋଗ ଓ ଅପବାଦର ଭୟ ରହିବ ନାହିଁ। ଆଗକୁ ଶୀତ ଋତୁ ଆସୁଥିବାରୁ ସଂକ୍ରମଣ ଭୟ ଅଧିକ ରହିଛି। ତେଣୁ ଯୋଜନା ପ୍ରସ୍ତୁତ ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ ହେବ।

Comments
Loading...