ସ୍ବାମୀଙ୍କ ସମ୍ପତ୍ତିରେ ଦ୍ବିତୀୟ ପତ୍ନୀଙ୍କ ଅଧିକାର ନାହିଁ: ମୁମ୍ବାଇ ହାଇକୋର୍ଟ

ସ୍ବାମୀଙ୍କ ସମ୍ପତ୍ତିରେ କେବଳ ପ୍ରଥମ ପତ୍ନୀଙ୍କ ଅଧିକାର

ତେବେ ଦୁଇ ପତ୍ନୀଙ୍କ ପିଲାଙ୍କୁ ମିଳିବ ସମ୍ପତ୍ତିର ଅଂଶ

ମୁମ୍ବାଇ: ଯଦି କୌଣସି ବ୍ୟକ୍ତି ଦୁଇଜଣଙ୍କୁ ବିବାହ କରିଥିବେ, ତେବେ ତାଙ୍କର ଦ୍ବିତୀୟ ପତ୍ନୀ ସମ୍ପତ୍ତିରେ ଦାବି କରିପାରିବେ ନାହିଁ । କେବଳ ପ୍ରଥମ ପତ୍ନୀ ସ୍ବାମୀଙ୍କ ସମ୍ପତ୍ତିରୁ ଭାଗ ପାଇପାରିବେ । ତେବେ ଦୁଇ ପତ୍ନୀଙ୍କର ସନ୍ତାନ ସନ୍ତତି ଏହି ସମ୍ପତ୍ତିରେ ଅଂଶୀଦାର ହୋଇପାରିବେ । ଏକ ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ ମଙ୍ଗଳବାର ଏପରି ରାୟ ଶୁଣାଇଛନ୍ତି । ଜଷ୍ଟିସ ଏସ ଜେ କଥାୱାଲା ଓ ଜଷ୍ଟିସ ମାଧବ ଜାମଦାରଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି ।

ଘଟଣାଟି ଥିଲା ଏହି ପରି । ମହାରାଷ୍ଟ୍ର ରେଳବାଇ ପୁଲିସର ଜଣେ କର୍ମଚାରୀ ସୁରେଶ ହାଟନକର ଦୁଇଜଣଙ୍କୁ ବିବାହ କରିଥିଲେ। ସୁରେଶ ଗତ ମେ ୩୦ ତାରିଖରେ କୋବିଡ଼-୧୯ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ରାଜ୍ୟ ସରକାର ଘୋଷଣା ଅନୁସାରେ କାର୍ଯରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ପୁଲିସ କର୍ମଚାରୀଙ୍କୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ ସୁରେଶଙ୍କ ପତ୍ନୀ ହୋଇଥିବା ଦାବିକରି ଦୁଇ ମହିଳା ଏହି ସହାୟତା ରାଶି ଉପରେ ନିଜର ଅଧିକାର ସାବ୍ୟସ୍ତ କରିଥିଲେ ।

ସୁରେଶଙ୍କ ଦ୍ବିତୀୟ ପତ୍ନୀଙ୍କ ଝିଅ ଶ୍ରଦ୍ଧା ମୁମ୍ବାଇ ହାଇକୋର୍ଟରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଥିଲେ । ସୁରେଶଙ୍କ ପତ୍ନୀ ହୋଇଥିବା ଯୋଗୁଁ ତାଙ୍କୁ ମଧ୍ୟ ଏହି ଅର୍ଥରାଶିରୁ ଭାଗ ମିଳିବା ଦରକାର, ଯାହା ଫଳରେ ସେ ନିଜର ଭରଣପୋଷଣ କରିପାରିବେ ବୋଲି ଯୁକ୍ତି ବାଢ଼ିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତି ଚୌହ୍ବାନ ମଙ୍ଗଳବାର ଖଣ୍ଡପୀଠକୁ ଅବଗତ କରିଥିଲେ ଯେ ଏହି ସହାୟତା ରାଶିର କିଏ ଅଧିକାରୀ ହେବ ତାହା ଅଦାଲତର ରାୟ ଉପରେ ନିର୍ଭର କରୁଛି । ଅଦାଲତ ରାୟ ଯାହା ସପକ୍ଷରେ ଯିବ ତାଙ୍କୁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ । ଏହି ଅବସରରେ ଜ୍ୟୋତି ଚୌହ୍ବାନ ସୁପ୍ରିମକୋର୍ଟର ଔରଙ୍ଗାବାଦର ବେଞ୍ଚର ପୂର୍ବ ରାୟ ସମ୍ପର୍କରେ ଅଦାଲତକୁ ଅବଗତ କରିଥିଲେ । ସୁପ୍ରିମକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ପୂର୍ବରୁ ସ୍ବାମୀଙ୍କ ସମ୍ପତ୍ତିରେ ଦ୍ବିତୀୟ ପତ୍ନୀଙ୍କର କୌଣସି ଭାଗ ନାହିଁ ବୋଲି ରାୟ ଦେଇଥିଲେ ।

ଏହାପରେ ବିଚାରପତି କହିଥିଲେ ଯେ – ଆଇନ ଅନୁସାରେ ସ୍ବାମୀଙ୍କ ସମ୍ପତ୍ତିରୁ ଦ୍ବିତୀୟ ପତ୍ନୀଙ୍କୁ କୌଣସି ଅଂଶ ମିଳିବ ନାହିଁ । ମାତ୍ର ଉଭୟ ପତ୍ନୀଙ୍କଠାରୁ ଜନ୍ମିତ ଝିଅମାନେ ଏହି ସମ୍ପତ୍ତିରୁ ଭାଗ ପାଇପାରିବେ । ମୃତ ପୁଲିସ କର୍ମଚାରୀ ହାଟନକରଙ୍କ ପ୍ରଥମ ପତ୍ନୀ ଶୁଭଦା ଓ ତାଙ୍କ ଝିଅ ସୁରଭି ମଧ୍ୟ ଏହି ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ଥିଲେ । ତେବେ ଶୁଭଦା ତାଙ୍କ ସ୍ବାମ ଆଉ ଜଣେ ମହିଳାଙ୍କୁ ବିବାହ କରିଥିବା କେବେ ଜାଣନ୍ତି ନାହିଁ ବୋଲି କହିଥିଲେ ।

Comments are closed.