ଗ୍ରାମୀଣ ବିଦ୍ୟୁତ୍‍ ଯୋଜନାର ବିକଳ ଚିତ୍ର : ୭୦ ବର୍ଷରେ ୭ଦିନ ବିଜୁଳି

ସୋରଡ଼ା: ରାଜ୍ୟର ସବୁ ଗାଁକୁ ବିଦ୍ୟୁତ୍‍ ସଂଯୋଗ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତା ସତ୍ତ୍ବେ ଗ୍ରାମାଞ୍ଚଳବାସୀଙ୍କ ପାଇଁ ବିଜୁଳି ଆଲୁଅ ଏକପ୍ରକାର ସ୍ବପ୍ନ ପାଲଟିଛି। ୨୦୦୫ ମସିହାଠାରୁ କେନ୍ଦ୍ର ସରକାରଙ୍କ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍‍ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରେ ପରେ ରାଜ୍ୟ ସରକାରଙ୍କ ତରଫରୁ ୨୦୦୭-୦୮ ଆର୍ଥିକ ବର୍ଷରୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସରକାରଙ୍କ ଯୋଜନାର ରୂପରେଖ ବଦଳି ତାହା ଦୀନ୍‍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ପରିଣତ ହୋଇଛି; କିନ୍ତୁ ଗ୍ରାମାଞ୍ଚଳର ବାସ୍ତବ ଚିତ୍ରର ରୂପରେଖ ବଦଳି ନାହିଁ। ଏମିତି ଏକ ଉଦାହରଣ ହେଉଛି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍‍ରେ। ଦୀର୍ଘ ଦାବି ପରେ ୨୦୧୭ ମସିହାରେ ବଡ଼ଗୋଛା ପଞ୍ଚାୟତର ୭ଟି ଗାଁକୁ ବିଦ୍ୟୁତ୍‍ ସଂଯୋଗ ହୋଇଥିଲା। ମାତ୍ର ୭ ଦିନ ପରେ ତିତଲି ସାମୁଦ୍ରିକ ଝଡ଼ ଯୋଗୁଁ ବିଦ୍ୟୁତ୍‍ ବିଚ୍ଛିନ୍ନ ହୋଇ ଯାଇଥିଲା। ତାପରଠୁ ଆଉ ସ୍ୱାଭାବିକ ହୋଇପାରିନି। ୭୦ ବର୍ଷରେ ୭ ଦିନ ବିଦ୍ୟୁତ୍‍ ଦେଖିଥିବା ଦୁଃଖଦ ଅନୁଭୂତିକୁ ବଖାଣିଛନ୍ତି ଗାଁବାସୀ। ସୋରଡ଼ା ବ୍ଳକ୍‍ର ଆଦିବାସୀ

ଅଧ୍ୟୁଷିତ ବଡ଼ଗୋଛା ପଞ୍ଚାୟତ ବ୍ଳକ୍‍ ସଦରମହକୁମାଠାରୁ ୫୦ରୁ ଊର୍ଦ୍ଧ୍ବ କିଲୋମିଟର ଦୂରରେ ଅବସ୍ଥିତ। ପଞ୍ଚାୟତର ଘାଟି ଉପର ଗ୍ରାମ ମୁଡେଶକୁମ୍ପା, ଗୋଛାପଦର, କଇଠଗୁଡ଼ି, ଗଣ୍ଡିଗାଁ, ତଳଗାଁ, ଉସ୍ତପଦା ଆଦି ଗ୍ରାମକୁ ପୂର୍ବରୁ ବିଦ୍ୟୁତ୍‍ ସଂଯୋଗ ନଥିଲା। ବାରମ୍ବାର ଦାବି ପରେ ୨୦୧୬ ମସିହାରେ ବିଦ୍ୟୁତ୍‍ ସଂଯୋଗ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୮ ମସିହା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ବିଦ୍ୟୁତ୍‍ ସଂଯୋଗ କରାଯାଇଥିଲା। ଠିକ ଏହାର ୭ ଦିନ ପରେ ତିତଲି ସାମୁଦ୍ରିକ ଝଡ଼ ପ୍ରଭାବରେ ବିଦ୍ୟୁତ୍‍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ସେହି ସମୟରେ ପ୍ରାୟ ୨ କିମି ମଧ୍ୟରେ ଥିବା ୨୦ ରୁ ୨୫ଟି ବିଦ୍ୟୁତ୍‍ ଖୁଣ୍ଟକୁ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା। ବାତ୍ୟାରେ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍‍ ସଂଯୋଗକୁ ସଜାଡ଼ିବା ସମ୍ଭବ ହୋଇପାରିନଥିଲା। ସେହି ଦିନଠାରୁ ବର୍ତ୍ତମାନ ଯାଏ ଆଉ ବିଦ୍ୟୁତ୍‍ ସଂଯୋଗ ହୋଇନାହିଁ। ପଞ୍ଚାୟତବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇବା ସହିତ ଜିଲାପାଳ ଓ ବିଦ୍ୟୁତ୍‍ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଉକ୍ତ ଗ୍ରାମଗୁଡ଼ିକୁ ବିଦ୍ୟୁତ ଆସି ନଥିବା ବଡ଼ଗୋଛା ସରପଞ୍ଚ ଗଣେଶ ମଲ୍ଲିକ କହିଛନ୍ତି। ପୁନଃ ବିଦ୍ୟୁତ୍‍ ସଂଯୋଗ ନିମନ୍ତେ ଭିତ୍ତିଭୂମି ତଦାରଖ ସରିଛି । ଯଥାଶୀଘ୍ର ସଂଯୋଗ ନିମନ୍ତେ ଚେଷ୍ଟା କରାଯିବ ବୋଲି ସୋରଡ଼ା ବିଦ୍ୟୁତ୍‍ ବିଭାଗ ଉପଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.