ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ:କରୋନା ମହାମାରୀ ପାଇଁ ଦେଶରେ ବିଦ୍ୟାଳୟଗୁଡିକୁ ବନ୍ଦ ରଖାଯାଇଛି। ଫଳରେ ବିଦ୍ୟାଳୟଗୁଡିକ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ତେବେ ଏହି ଅନଲାଇନ ପାଠପଢା ପାଇଁ ଘରୋଇ ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରୁଥିବା ଦେୟ (ଫି’) ନିଶ୍ଚିତ ହ୍ରାସ କରିବା ଦରକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଏଏମ୍ ଖାନୱିଲକର ଓ ବିଚାରପତି ଦିନେଶ ମହେଶ୍ବରୀଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଶିକ୍ଷା ପ୍ରତିଷ୍ଠାନର ପରିଚାଳନା ମଣ୍ଡଳୀ ଅଭିଭାବକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ଦରକାର।

କରୋନା ଭଳି ବିପତ୍ତି ସମୟରେ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ସହଯୋଗର ହାତ ବଢାଇବା ଦରକାର। ଶିକ୍ଷାଦାନ ପୂର୍ବକ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ଏକ ଦାତବ୍ୟ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଏହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସୁବିଧା ସମୟରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ କହିଛନ୍ତି ଯେ ଶ୍ରେଣୀଗୃହ ପାଠପଢା ସମୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା ତାହା ଅନଲାଇନ ପାଠପଢା ସମୟରେ ଦିଆଯାଉ ନାହିଁ। ମାତ୍ର ଏ ବାବଦକୁ ବିଦ୍ୟାଳୟ ଦେୟ ଆଦାୟ କରିବା ସେମାନଙ୍କ ଲାଭଖୋର ମନୋଭାବକୁ ସୂଚିତ କରୁଛି। ତେଣୁ ଏ ବାବଦ ଦେୟରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଶ୍ଚିତ ଦୂରେଇ ରହିବା ଦରକାର।

ବିଦ୍ୟାଳୟ ବନ୍ଦ ଯୋଗୁଁ କର୍ମଚାରୀଙ୍କ ଯାତାୟାତ ବାବଦ ପେଟ୍ରୋଲ/ଡିଜେଲ, ବିଦ୍ୟୁତ ଦେୟ, ପରିମଳ, ପାଣି ପରିଚାଳନାଗତ ଖର୍ଚ୍ଚ ଆଦି ବହନ କରିବାକୁ ପଡୁ ନାହିଁ। ଏହା ସହିତ ବିଦ୍ୟାଳୟ ଦେୟ ନ ଦେବା କିମ୍ବା ବକେୟା ଥିବା କାରଣରୁ କୌଣସି ଛାତ୍ରଛାତ୍ରୀଙ୍କୁ ପାଠପଢାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କରୋନା ମହାମାରୀ ପାଇଁ ଘରୋଇ ବିଦ୍ୟାଳୟଗୁଡିକୁ ୩୦% ଦେୟ ହ୍ରାସ ଲାଗି ରାଜସ୍ଥାନ ସରକାର ନିର୍ଦେଶ ଦେଇଥିଲେ। ରାଜସ୍ଥାନ ସରକାରଙ୍କ ଏହି ନିର୍ଦେଶ ବିରୋଧରେ ଘରୋଇ ବିଦ୍ୟାଳୟଗୁଡିକ ପକ୍ଷରୁ ଦାୟର କେତେକ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଘରୋଇ ବିଦ୍ୟାଳୟର ଦେୟ ଧାର୍ଯ୍ୟରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା କ୍ଷମତା ପରିସର ନୁହେଁ। ତେଣୁ ରାଜ୍ୟ ସରକାର ଦେୟ ହ୍ରାସ ପାଇଁ କୌଣସି ନିର୍ଦେଶ ଦେଇପାରିବେ ନାହିଁ। ପାଠପଢା ଦେୟ ଧାର୍ଯ୍ୟ କରିବାରେ ଘରୋଇ ବିଦ୍ୟାଳୟଗୁଡିକର ସ୍ବାଧୀନତା ରହିଛି। ଏ କ୍ଷେତ୍ରରେ ଅଭିଭାବକଙ୍କ ମତାମତ ଗ୍ରହଣୀୟ; ମାତ୍ର ରାଜ୍ୟ ସରକାର ଏହି ସ୍ବାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ।

Comments are closed.