ଅନ୍‌ଲାଇନ୍‌ ପାଠପଢାରେ ଅଡୁଆ ପରିସ୍ଥିତି ; ଅଧ୍ୟାପକ, ବିଦ୍ୟାର୍ଥୀଙ୍କ ହୋଇପାରୁନି ହ୍ବାଟ୍ସଆପ୍‌ ଗ୍ରୁପ୍‌

ଭୁବନେଶ୍ବର: କରୋନାକୁ ନେଇ ଉପୁଜିଥିବା ସ୍ଥିତି ଯୋଗୁଁ ରାଜ୍ୟ ସମେତ ସାରା ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଦ୍ୟାର୍ଥୀଙ୍କର ପାଠପଢା ବାଧାପ୍ରାପ୍ତ ହେଉଥିବାବେଳେ ଅନ୍‌ଲାଇନ୍‌ ପାଠପଢା ଏକମାତ୍ର ବିକଳ୍ପ ପାଲଟିଛି। ତେବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟରେ ମୁଖ୍ୟତଃ ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। କିଛି ହାତଗଣତି କନିଷ୍ଠ ମହାବିଦ୍ୟାଳୟକୁ ଛାଡ଼ିଲେ ବହୁ ସ୍ଥାନରେ ଏହା ଫେଲ୍‌ ମାରିଛି। ବିଭାଗ ପକ୍ଷରୁ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏଯାବତ୍‌ କୌଣସି ନିର୍ଦିଷ୍ଟ ନୀତି କାର୍ଯ୍ୟକାରୀ କରାଯାଇ ନାହିଁ।

ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାରମ୍ପରିକ ପାଠପଢା ଉପରେ କଟକଣା ଥିବାରୁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧରେ ଅଧ୍ୟକ୍ଷ ଯୋଜନା କରିବକୁ ନିର୍ଦେଶ ଦିଆଯାଇଥିଲା। ସବୁ ବିଷୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ନେଇ ପୃଥକ ଭାବେ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରି ସେଥିରେ ପାଠପଢା ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଦେବାକୁ କୁହାଯାଇଥିଲା। ଇତିମଧ୍ୟରେ ପ୍ରାୟ ୪ ମାସ ଧରି ପାଠପଢା ବାଧାପ୍ରାପ୍ତ ହୋଇଥିବାବେଳେ ସବୁ ଶିକ୍ଷାନୁଷ୍ଠାନରେ ନୂଆ ବ୍ୟବସ୍ଥା ଲାଗୁ କରାଯାଇନି। ବହୁ ସ୍ଥାନରେ ବିଦ୍ୟାର୍ଥୀଙ୍କର ମୋବାଇଲ , ଲାପଟପ୍‌ ନଥିବାବେଳେ କିଛି ସ୍ଥାନରେ ଇଣ୍ଟରନେଟ୍‌ ବାଧକ ସାଜିଛି। ସବୁଠାରୁ ବଡ଼ କଥା ହେଲା ଅଧ୍ୟାପକ ଅଧ୍ୟାପିକା ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ଅଭ୍ୟସ୍ତ ନଥିବାରୁ ଯୋଜନା ସଫଳ ରୂପାୟନ ହୋଇପାରୁନି। ଦୁଇ ସପ୍ତାହରେ ଅନ୍ତତଃ ଥରେ ଅନ୍‌ଲାଇନ୍‌ରେ ଅଧ୍ୟାପକ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ତାହା ସବୁଆଡେ କାର୍ଯ୍ୟକାରୀ ହେଉନି। ଏହି କାର୍ଯ୍ୟକୁ ସଠିକ୍‌ ଭାବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସମୀକ୍ଷା କରୁ ନଥିବାରୁ ଯୋଜନା ବାଟବଣା ହେଉଛି। ଏନେଇ ଶିକ୍ଷାବିତ୍‌ ଡ.କମଳାପ୍ରସାଦ ମହାପାତ୍ର କହିଛନ୍ତି ମୁଖ୍ୟତଃ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଅନ୍‌ଲାଇନ୍‌ ପାଠପଢା ସମ୍ବନ୍ଧରେ ସଚେତନ କରାଯିବା ସହ ପ୍ରଶିକ୍ଷଣ ଦିଆଯିବା ଦରକାର। କିଛି ସ୍ଥାନରେ ଏହା ସଫଳ ହୋଇଥିବାବେଳେ ଅନ୍ୟ କିଛି ସ୍ଥାନରେ ଏହା ବିଫଳ ହୋଇଛି। ବିଦ୍ୟାର୍ଥୀଙ୍କ ପାଖରେ ଉପକରଣ ନଥିବାବେଳେ ଶିକ୍ଷାନୁଷ୍ଠାନରେ ଭିତ୍ତୀଭୂମି ନାହିଁ। ଏହା ବ୍ୟତୀତ୍‌ ଇଣ୍ଟରନେଟ୍‌ ସମସ୍ୟା ଅନ୍‌ଲାଇନ୍‌ ପାଠପଢାରେ ସମସ୍ୟା ସୃଷ୍ଟି କରୁଛି। ସରକାର ଏ ସମ୍ପର୍କରେ ଚିନ୍ତନ କରିବା ସହ ବିଦ୍ୟାର୍ଥୀଙ୍କ ହିତ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ବହୁ ସ୍ଥାନରେ ଅନ୍‌ଲାଇନ୍‌ରେ ପାଠପଢା ଚାଲିଛି। କିଛି ସ୍ଥାନରେ ସମସ୍ୟା ଦେଖାଦେଇଛି। ସେନେଇ ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

Comments are closed.