ଅନ୍‌ଲାଇନ ଶିକ୍ଷାଦାନର ବିକଳ ଚିତ୍ର; ଶହେଫୁଟ ଉଚ୍ଚ ପାଣିଟାଙ୍କି ଉପରେ ପିଲାଙ୍କ ଅସୁରକ୍ଷିତ ପାଠପଢା

ହରଭଙ୍ଗା : କରୋନା ଯୋଗୁଁ ପ୍ରଭାବିତ ହୋଇଛି ପାଠପଢା। ଦୀର୍ଘ ୭ ମାସ ହେଲା ସ୍କୁଲ, କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରିଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏକପ୍ରକାର ଅନ୍ଧାରମଧ୍ୟକୁ ଠେଲିହୋଇଯାଇଛି।ଏଭଳି ଏକ କଠିନ ପରିସ୍ଥିତିରେ ସରକାର ଅନଲାଇନ ଶିକ୍ଷାଦାନ ଉପରେ ଆଶା କରିଛନ୍ତି। ମାତ୍ର ରାଜ୍ୟରେ ଅନେକ ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ଭିତ୍ତିିଭୂମି ଅଭାବରୁ ସରକାରଙ୍କ ଅନଲାଇନ ପାଠପଢା ଉପରେ ବଡଧରଣର ବ୍ୟତିକ୍ରମ ସୃଷ୍ଟିହୋଇଛି। ଯାହାର ଫଳସ୍ୱରୂପ ପିଲାଏ ମୋବାଇଲ ନେଟୱାର୍କ ଅସୁବିଧାରୁ କେଉଁଠି ପାହାଡ ଉପରେ ଆଉ କେଉଁଠି ଗଛ ଉପରେ ବସି ଅନଲାଇନ ପାଠପଢୁଥିବା ଭଳି ବିକଳ ଚିତ୍ର ଘଟଣାର ବାସ୍ତବତାକୁ ପଦାରେ ପକାଇଛି। ମୋବାଇଲ ନେଟୱାର୍କ ଅସୁବିଧାରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ହରିଜନ/ ଆଦିବାସୀବହୁଳ ଆଡେଣିଗଡ ଗ୍ରାମର ପିଲାଏ ଗାଁ ମନ୍ଦିର ନିକଟରେଥିବା ଶହେଫୁଟ ଉଚ୍ଚତା ପାଣିଟାଙ୍କି ଉପରେ ବସି ଜୀବନକୁ ବାଜିଲଗାଇ ପାଠପଢିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ନଜରକୁ ଆସିଛି। ପ୍ରକାଶ ଯେ ଜଙ୍ଗଲ ପାହାଡଘେରା ଆଡେଣିଗଡରେ ଏକ ବି.ଏସ.ଏନ.ଏଲ ଟାୱାର ରହିଛି। ମାତ୍ର ସବୁବେଳେ ଗାଁରେ ମୋବାଇଲ ନେଟୱାର୍କରେ ସମସ୍ୟା ଦେଖାଦେଉଛି। ବିଦ୍ୟୁତ୍‍ କଟିଗଲେ କେତେବେଳେ ନେଟୱାର୍କ ପଳଉଛି ତ ଆଉ କେତେବେଳେ ୨ଜି ନେଟୱାର୍କ ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଯାହା ଫଳରେ ଏଠାକାର ଛାତ୍ରଛାତ୍ରୀ ଅନ୍ୟ ନେଟୱାର୍କ ସାହାଯ୍ୟରେ ପାଣିଟାଙ୍କି ଉପରେ ବସି ସବୁଦିନେ ଅନଲାଇନ ପାଠପଢୁଥିବା ଦେଖିବାକୁ ମିଳୁଛି। ଜୀବନକୁ ବାଜି ଲଗାଇ ଅସୁରକ୍ଷିତଭାବେ ପିଲାଏ ପାଠପଢୁଥିବା ଭଳି ଏକ ଅଭାବନୀୟ ଚିତ୍ର ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଉଠୁଛି। ତୁରନ୍ତ ଗାଁରେ ନିରବିଚ୍ଛିନ୍ନ ଭାବେ ବି.ଏସ.ଏନ.ଏଲ ସେବା ଯୋଗାଇ ଦେବାକୁ ଅଭିଭାବକ ମହଲରୁ ଦାବି ଉଠୁଛି।

Comments are closed.