ବଣ୍ଡା ଘାଟିରେ ବିକଳ ଚିତ୍ର; ପାହାଡ଼ି ମଞ୍ଚାରେ ଅନଲାଇନ ପାଠପଢ଼ା

୩ ମୋବାଇଲ ମାଗିଆଣି ପଢ଼ୁଛନ୍ତି ୫ ଛାତ୍ରୀ

ମାଲକାନଗିରି : ମାଓ ପ୍ରବଣ ମାଲକାନଗିରି ଜିଲାରେ ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର ଏବେ ପଦାକୁ ଆସିଛି। କରୋନା କାଳରେ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଥିବାବେଳେ କିଛି ଆଗ୍ରହୀ ଓ ମେଧାବୀ ଛାତ୍ରଛାତ୍ରୀ ପାଠ ଦି ଅକ୍ଷର ପାଇଁ ଘାଣ୍ଟି ହେଉଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତିନି କିମି ପାହାଡ଼ ଚଢ଼ି ଏକ ଅସ୍ଥାୟୀ ମଞ୍ଚା (କୁଡ଼ିଆ)ରେ ପାଞ୍ଚଜଣ ସହପାଠୀ ଛାତ୍ରୀ ମିଶି ଅନଲାଇନରେ ପାଠ ପଢ଼ିବା ଦୃଶ୍ୟ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ମାର୍ଟ ଫୋନ ନ ଥିବାରୁ ମାଗିଯାଚି ତିନୋଟି ସ୍ମାର୍ଟଫୋନ ସଂଗ୍ରହ କରି ସେଥିରେ ପାଞ୍ଚଜଣ ଛାତ୍ରୀ ପାଠ ପଢ଼ୁଥିବା ଭଳି ଅଭାବନୀୟ ଦୃଶ୍ୟ ଅପହଞ୍ଚ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ରୂପକୁ ପ୍ରମାଣିତ କରୁଛି।
କରୋନା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବିଗାଡ଼ି ଦେଇଛି। କରୋନା କାଳରେ ଅନଲାଇନ ଶିକ୍ଷା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରହସନ ପାଲଟିଛି। ଉପାନ୍ତ ଇଲାକାରେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଦୈନିକ ୩ କିମି ପାହାଡ଼ ଚଢିବାକୁ ପଡୁଛି। ଗାଁରେ ମୋବାଇଲ ନେଟୱାର୍କ ନ ଥିବାରୁ ପାହାଡ ଉପରେ ଏକ ଅସ୍ଥାୟୀ ମଞ୍ଚା(କୁଡ଼ିଆ)କରି ସେଠାରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କରୋନା ମୁକାବିଲା ପାଇଁ ଲକଡାଉନ ଓ ସଟଡାଉନ ହେବା ସମୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା। ସରକାରଙ୍କ ପକ୍ଷରୁ ଘରୋଇ ଓ ସରକାରୀ ବିଦ୍ୟାଳୟରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ କୁହାଯାଇଛି। ରେଡିଓ, ଟିଭି ଓ ମୋବାଇଲ ମାଧ୍ୟମରେ ମଧ୍ୟ ଶିକ୍ଷାଦାନ କରାଯାଉଛି। ଏଭଳି ସ୍ଥିତିରେ ମାଲକାନଗିରି ଜିଲା ଭଳି ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ଅପହଞ୍ଚ ହେଉଛି। ସରକାରଙ୍କ ଡିଜିଟାଲ ଇଣ୍ଡିଆ ଏହି ଜିଲାରେ ବାଟବଣା ହୋଇଥିବା ଦେଖିବାକୁ ମିଳୁଛି।
ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡାରେ ଆଦିମ ଜନଜାତିର ଲୋକେ ବାସ କରିଆସୁଛନ୍ତି। ସମ୍ପୂର୍ଣ୍ଣ ଦୁର୍ଗମ ଓ ମାଓ ପ୍ରବଣ ଇଲାକାରେ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନ୍‍ ସ୍ୱପ୍ନ ହୋଇଛି। ମୋବାଇଲ ଟାୱାର କ’ଣ ସେମାନେ ଦେଖି ନାହାନ୍ତି। ଏପରି ସ୍ଥଳେ ଉକ୍ତ ଅଞ୍ଚଳର ବଣ୍ଡା ଛାତ୍ରଛାତ୍ରୀ ନିକଟସ୍ଥ ଗ୍ରାମର କିଛି ଲୋକଙ୍କୁ ମୋବାଇଲ ମାଗି ଆଣି ଦୈନିକ ଗାଁଠାରୁ ତିନି କିଲୋମିଟର ଉପରେ ଥିବା ପାହାଡ ଚଢ଼ୁଛନ୍ତି। ପାହାଡ ଉପରେ ତାଳପତ୍ର ସାହାଯ୍ୟରେ ଏକ ଛୋଟ କୁଡିଆ ନିର୍ମାଣ କରି ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫ ଛାତ୍ରଛାତ୍ରୀ ସେଠାରେ ଅନଲାଇନରେ ମାଧ୍ୟମରେ ପାଠ ପଢୁଛନ୍ତି। ପାହାଡ ଉପରେ ଖଇରପୁଟ କିମ୍ବା ଗୋବିନ୍ଦପାଲ୍ଲୀର ନେଟୱାର୍କ ଆସୁଥିବାରୁ ବାଧ୍ୟ ହୋଇ ସେଠାକୁ ଯାଇ ପାଠ ପଢୁଛନ୍ତି। ନିଜର ପରିବାର କିମ୍ବା ସମ୍ପର୍କୀୟଙ୍କୁ ସ୍ମାର୍ଟ ଫୋନ୍‍ ମାଗି ଦୈନିକ ପାଠ ପଢୁଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାରୀ ଶିଶା ନାମକ ନବମ ଶ୍ରେଣୀ ଛାତ୍ରଙ୍କୁ ପଚାରିବାରୁ ବଣ୍ଡାଘାଟିର ଲଣ୍ଡା ପାହାଡରୁ ବାହାରି ପାଠ ପଢି ଭଲ ମଣିଷ ହେବାକୁ ଇଛା ଅଛି। ସରକାରଙ୍କ ପକ୍ଷରୁ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ସୁବିଧା ଥିବା ବେଳେ ଆବଶ୍ୟକୀୟ ଶିକ୍ଷକ ରହୁ ନ ଥିବାରୁ ପାଠପଢାରେ ସମସ୍ୟା ସୃଷ୍ଟି ହେଉଛି। ଜୀବନରେ କେବେ ସ୍ମାର୍ଟ ଫୋନ ବ୍ୟବହାର କରି ନ ଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ସ୍ୱପ୍ନ ହୋଇଛି ବୋଲି ସେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କୌଣସି ମୋବାଇଲ ଟାୱାର ନାହିଁ। ଇଣ୍ଟରନେଟ ସାତସପନ। ଏଭଳି ସ୍ଥଳେ ପାହାଡ ଚଢ଼ିଲେ ହିଁ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ହେଉଛି। କେବଳ ବଣ୍ଡାଘାଟି ନୁହେଁ ମାଲକାନଗିରିର ୩୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ସମ ଅବସ୍ଥା ଦେଖିବାକୁ ମିଳୁଛି। ଚିତ୍ରକୋଣ୍ଡା ବ୍ଲକର ପାପୁଲୁର, କୁର୍ମାନୁର, ପାପରମେଟଲା, ରାଲେଗେଡା, ନୂଆଗୁଡା, କପାତୁଟି, ମାଥିଲି ବ୍ଲକର ମହୁପଦର, ଖଇରପୁଟ ବ୍ଲକର ବଡଡୁରାଲ, ମାର୍କାପାଲୀ, ପଡ଼ିଆ, ଓକାଲମେଳା ବ୍ଲକର ବହୁ ପଞ୍ଚାୟତରେ ନେଟୱାର୍କ ନ ଥିବାରୁ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭିନ୍ନ ଆପ୍‍ ଜରିଆରେ ଶିକ୍ଷାଦାନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ଏହି ଆପ୍‍ ବିଷୟରେ ମଧ୍ୟ ଅବଗତ ନାହାନ୍ତି। ୭୦ ଭାଗ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା କୁହାଯାଉଛି।

Comments are closed.