ଅନଲାଇନରେ ହେବ ସଂସଦ ମୌସୁମୀ ଅଧିବେଶନ

ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତିଙ୍କ ବିଚାରବିମର୍ଶ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଓ ନୂଆ ନିଷ୍ପତ୍ତି ନିଆଯାଉଛି। ଏହି କ୍ରମରେ ସଂସଦର ଆଗାମୀ ମୌସୁମୀ ଅଧିବେଶନ କିପରି କରାଯିବ ତାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି । ସଂସଦର ଅଧିବେଶନକୁ ଅନଲାଇନ (ଭର୍ଚୁଆଲ) ମାଧ୍ୟମରେ ଆୟୋଜନ କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସୋମବାର ବୈଠକ କରିଛନ୍ତି। ଜୁଲାଇ ମଧ୍ୟ ଭାଗରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମଧ୍ୟ ଭାଗରେ ଶେଷ ହୋଇଥାଏ । ଏହି ସମୟରେ କରୋନା ମହାମାରୀର ପ୍ରକୋପ ବଜାୟ ରହିବା ସହିତ ବିଭିନ୍ନ ପ୍ରକାର କଟକଣା ବଳବତ୍ତର ରହିବ । ଏପରିସ୍ଥିତିରେ ସଂସଦର ଅଧିବେଶନ ଆୟୋଜନ ନେଇ ନୂଆ ବୈଷୟିକ ଜ୍ଞାନକୌଶଳର ଉଦ୍ଭାବନ ଜରୁରୀ। ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ପାଇଁ ଗୋପନୀୟତା ଆବଶ୍ୟକ ନଥାଏ। କାରଣ ଉଭୟ ଗୃହର କାର୍ଯ୍ୟ ଟେଲିଭିଜନରେ ସିଧାସଳଖ ପ୍ରସାରଣ କରାଯାଇଥାଏ । ଏପରିସ୍ଥଳରେ ଅନଲାଇନରେ ସଂସଦର ଅଧିବେଶନ ଆୟୋଜନ କରାଯିବାରେ କୌଣସି ସମସ୍ୟା ନାହିଁ। ଉଭୟ ଲୋକସଭା ଓ ରାଜ୍ୟସଭାର ମହାସଚିବମାନେ ପ୍ରସ୍ତାବ ଉପରେ ବିଚାର କରିବା ସହିତ ଏହାର ବାସ୍ତବତା ଉପରେ ତର୍ଜମା କରି ଆବଶ୍ୟକ ନିଷ୍ପତ୍ତି ନେବେ । ମିଳିଥିବା ପ୍ରସ୍ତାବରେ ଲୋକସଭାକୁ କେନ୍ଦ୍ରୀୟ ହଲ୍‌ରେ ଓ ରାଜ୍ୟସଭାକୁ ଲୋକସଭା ଗୃହରେ ଆୟୋଜନ କରାଯିବ। ଉଭୟ ଗୃହର ଅଧିବେଶନ ଗୋଟିଏ ଦିନରେ ହେବ ନାହିଁ । ଅର୍ଥାତ୍‌ ଦିନେ ଛାଡି ଦିନେ ହେବ। କରୋନା ପାଇଁ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନେ ଶପଥ ଗ୍ରହଣ ଲାଗି ଆସିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ଶପଥ ଗ୍ରହଣକୁ ବିଳମ୍ବିତ କରାଯିବ। ଅନ୍ୟପଟେ ସ୍ବରାଷ୍ଟ୍ର ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜନ କରିବା ନେଇ କମିଟି ଅଧ୍ୟକ୍ଷ ଆନନ୍ଦ ଶର୍ମା ରାଜ୍ୟସଭା ଅଧ୍ୟକ୍ଷଙ୍କ ଠାରୁ ଅନୁମତି ଲୋଡିଥିବାବେଳେ ଏହାକୁ ଅଗ୍ରାହ୍ୟ କରାଯାଇଛି ।
ଜୁନ୍‌ ୩ରେ କମିଟି ବୈଠକ ଲାଗି ଶର୍ମା ସଦସ୍ୟମାନଙ୍କୁ ଜଣାଇଥିବାବେଳେ ସେମାନେ ଯୋଗଦେବା ନେଇ ଅକ୍ଷମତା ପ୍ରକାଶ କରିଥିଲେ। ଲକ୍‌ଡାଉନ କଟକଣା ଯୋଗୁଁ ଦିଲ୍ଲୀ ଯିବାକୁ କମିଟି ସଦସ୍ୟମାନେ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ କମିଟି ବୈଠକ ଭିଡିଓ କନଫରେନ୍ସିଂରେ ଆୟୋଜନ ନେଇ ଶର୍ମା ଅନୁମତି ଲୋଡିଥିଲେ। ମାତ୍ର ଗୋପନୀୟତା ଉଲ୍ଲଙ୍ଘନ ହେବା ଦର୍ଶାଇ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଅନୁମତି ଦେଇ ନାହାନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଦ୍ବିତୀୟ ପାଳି ସରକାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂ​‌େ​‌​‌ର୍ଯ୍ୟୱାଲା ଅନଲାଇନ (ଭର୍ଚୁଆଲ) ପ‌ାର୍ଲାମେଣ୍ଟ ଆୟୋଜନ ନେଇ ଆହ୍ବାନ ଦେଇଥିଲେ। ସେହିପରି ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ ଆୟୋଜନ ଉପରେ ସେ ଗୁରୁତ୍ବ ଦେଇଥିଲେ।

Comments are closed.