ରାମମନ୍ଦିର ଭୂମିପୂଜା ସମୟରେ ଆମେରିକାରେ ହେବ ରାଷ୍ଟ୍ରୀୟ ପ୍ରାର୍ଥନା

ୱାଶିଂଟନ: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆମେରିକାର ହିନ୍ଦୁ ମନ୍ଦିର ଏକ୍ଜିକ୍ୟୁଟିଭ୍ କନଫରେନ୍ସ (ଏଚ୍ଏମ୍ଇସି) ଓ ହିନ୍ଦୁ ମନ୍ଦିର ପ୍ରିଷ୍ଟ କନଫରେନ୍ସ (ଏଚ୍ଏମପିସି) ପକ୍ଷରୁ ଏ ସମ୍ପର୍କରେ ବିବୃତି ଜାରି କରାଯାଇଛି । ଅଯେଧ୍ୟା ରାମମନ୍ଦିର ଭୂମି ପୂଜନ ଅବସରରେ ସାରା ଆମେରିକାରେ ରାଷ୍ଟ୍ରୀୟ ପ୍ରାର୍ଥନା କରାଯିବ ବୋଲି ଏଥିରେ କୁହାଯାଇଛି ।

ଏହି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୫ ଶୁଭ ଅବସରରେ ଆମେରିକା, କାନାଡ଼ା, କାରବିୟାନ ଦ୍ବୀପସମୂହର ମନ୍ଦିରଗୁଡ଼ିକରେ ୪ ତାରିଖ ସନ୍ଧ୍ୟାରେ ଶ୍ରୀରାମଙ୍କ ନିକଟରେ ‘ଚରଣ କମଳ ସେବା’ କରାଯିବ । କାର୍ଲିଫର୍ଣିଆର ୱେ ଇଲାକାରେ ଶିବ-ଦୁର୍ଗା ମନ୍ଦିର ସଂସ୍ଥାପକ ତଥା ଆଚାର୍ଯ୍ୟ କୃଷ୍ଣକୁମାର ପାଣ୍ଡେୟ କହିଛନ୍ତି ବୈଶ୍ଵିକ ହିନ୍ଦୁ ସମୁଦାୟ ନିମନ୍ତେ ୫ ଅଗଷ୍ଟ ଏକ ଐତିହାସିକ ସମୟ । ଏହି ଦିନକୁ ଏକ ଉତ୍ସବ ରୂପେ ପାଳନ କରିବା ଆବଶ୍ୟକ ଅଛି ବୋଲି ଶ୍ରୀ ପାଣ୍ଡେୟ କହିଛନ୍ତି । ସେହିପରି ବିଶ୍ଵ ହିନ୍ଦୁ ପରିଷଦ ଆମେରିକା ଶାଖା ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଶ୍ରୀରାମ ମନ୍ଦିରର ଆଧାରଶିଳା ସ୍ଥାପନ କରିବେ ସେତେବେଳେ ସମୂହ ପ୍ରାର୍ଥନା ଆୟୋଜନ କରାଯିବ । ଏହି ଅବସରରେ ସାମୂହିକ ମନ୍ତ୍ର ପଠନ ହେବ ଏବଂ ଏହାପରେ ଅନୁପ ଜଲୋଟା ଓ ସଞ୍ଜିବନୀ ଭୋଲାଣ୍ଡେ ଭଜନ ପରିବେଷଣ କରିବେ ।

Comments are closed.