ଅନ୍‌ଲାଇନ୍‌ ଲୁଟର ଶିକାର ହେଲେ ଯୁବତୀ; ୩ ଥରରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ହଜାର ଟଙ୍କା ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ଲୁଟି ନେଇଛନ୍ତି। ଏନେଇ ଯୁବତୀ ଜଣଙ୍କ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଡିଟିଡିସି କୋରିଅର କମ୍ପାନୀ ମାଧ୍ୟମରେ ଯୁବତୀ ଜଣଙ୍କ କିଛି ଜିନିଷ ଅର୍ଡର କରିଥିଲେ। ଜିନିଷ ପହଞ୍ଚିବା ବିଳମ୍ବ ହେବାରୁ ସେ ଗୁଗଲ୍‌ରୁ କୋରିଅର ନମ୍ବର ବାହାର କରି ଫୋନ କରିଥିଲେ। କିନ୍ତୁ ସେହି ନମ୍ବରଟି ଅନଲାଇନ୍ ଲୁଟେରାର ନମ୍ବର ଥିଲା। ଫୋନ୍ କଲ୍ ରିସିଭ କରିବା ପରେ ଡିଟିଡିସି କୋରିଅର ବଏ ବୋଲି ଲୁଟେରା କହିଥିଲା। ଡେଲିଭରିରେ ବିଳମ୍ବ କାହିଁକି ହେଉଛି ବୋଲି ଯୁବତୀ ପଚାରିବାରୁ ଶୀଘ୍ର ଡେଲିଭରି ପାଇଁ ୧୦ ଟଙ୍କା ପୈଠ କରିବାକୁ ସେ କହିଥିଲା। ଏଥିପାଇଁ ସେ ଯୁବତୀଙ୍କୁ ଏକ ଲିଙ୍କ୍ ପଠାଇଥିଲା। ଏହି ଲିଙ୍କ୍ ମାଧ୍ୟମରେ ଯୁବତୀ ଜଣଙ୍କ ୧୦ ଟଙ୍କା ପୈଠ କରିବା ପରେ ସଙ୍ଗେସଙ୍ଗେ ତାଙ୍କ ଆକାଉଣ୍ଟରୁ ତିନି ଥରରେ ୫୦ ହଜାର ଟଙ୍କା କଟିଯାଇଥିଲା। ଯୁବତୀ ଜଣଙ୍କ ନିଜର ଉପସ୍ଥିତି ବୁଦ୍ଧି ଲଗାଇ ୟୁପିଆଇ ପିନ୍‌ ବଦଳାଇ ଦେଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ଆଉ ଟଙ୍କା କଟିନଥିଲା।

Comments are closed.