ବିଦେଶୀ ରାଇଜରେ ଅନ୍-ଲାଇନ୍‌ ଗ୍ରାହକଙ୍କ ଅସନ୍ତୋଷ

ଆମ ଦେଶ ହେଉ ଅବା ବିଦେଶୀ ରାଇଜ, ସବୁଠାରେ ଏବେ ଅନ୍-ଲାଇନ୍ କିଣାବିକାର ଆଦର କ୍ରମଶଃ ବଢ଼ିବାରେ ଲାଗିଛି। ହେଲେ ଅନ୍୍ଲାଇନ୍‌ରେ ସୁବିଧାରେ ସାମଗ୍ରୀ, ପୋଷାକ ତଥା ଆସବାବପତ୍ର ଯୋଗାଉଥିବା କମ୍ପାନୀଗୁଡ଼ିକ ପୂର୍ବ ପରି ନିଜ ଗୁଣବତ୍ତା ପ୍ରତି ଧ୍ୟାନ ଦେଉନାହାନ୍ତି। କିଛି ମାସ ତଳେ ବ୍ରିଟେନ୍‌ର ଜଣେ ଯୁବତୀ ଅନଲାଇନ‌ରେ ନିଜ ବିବାହ ପୋଷାକ ବରାଦ୍ କରିଥିଲେ। ଅଢ଼େଇ ଲକ୍ଷ ଟଙ୍କାର ପୋଷାକ ଅନ୍-ଲାଇନ୍ ଫଟୋରେ ଯେପରି ଦେଖାଯାଉଥିଲା, ଘରେ ବରାଦ୍ ହେବା ପରେ ତାହାର ଡିଜାଇନ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଯୁବତୀଜଣକ ନିଜର ଏଇ ଠକେଇ ପାଇଁ କେସ୍ କରିବାକୁ ପଛାଇନଥିଲେ। ସମାନ ଘଟଣା ଅଷ୍ଟ୍ରେଲିଆର ସିଡ୍‌ନୀରେ ମଧ୍ୟ ହୋଇଛି। ୨ଟି ଗାଉନ୍ ଜଣେ ମହିଳା ନିଜ ୨ ଝିଅଙ୍କ ପାଇଁ ଅର୍ଡର କରିଥିଲେ। ୭୭ହଜାର ଟଙ୍କାର ଏଇ ପୋଷାକ ଦୁଇଟି ପହଞ୍ଚିବା ପରେ ତାହାର ଡିଜାଇନ୍ ଓ କପଡ଼ା ଉଭୟ ନିମ୍ନମାନର ଥିଲା। ମହିଳାଜଣକ ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍ କରିବା ପରେ ସେମାନେ ପୋଷାକ ଫେରସ୍ତ ନେବେ ନାହିଁ ଜଣାଇଥିଲେ। ଏ ସମ୍ପୂର୍ଣ୍ଣ ତଥ୍ୟକୁ ସେ ସୋସିଆଲ୍ ସାଇଟ୍‌ରେ ପ୍ରଚାର କରିବା ପରେ କମ୍ପାନୀ ଟଙ୍କା ଫେରସ୍ତ କରିଥିଲା।

କିଛି ବର୍ଷ ତଳେ ଅନଲାଇନ ସେବା ଆରମ୍ଭ ସମୟରେ ଗ୍ରାହକ ଏଥିରୁ ରିଆତିରେ ଜିନିଷପତ୍ର ପାଉଥିଲେ। ଏବେ କିନ୍ତୁ ଦେଶବିଦେଶରେ ଠକେଇ ଚାଲିଛି। ସର୍ବେକ୍ଷଣ ଅନୁସାରେ, ଅନଲାଇନ‌ ବଜାରରେ ସବୁଠୁ ଆଗରେ ଜାପାନ ରହିଛି। ସେଠାକାର ୬୯% ଲୋକ ଅନ୍-ଲାଇନ୍ ଜିନିଷ ବରାଦ୍ କରୁଥିବାବେଳେ କୌଣସି କମ୍ପାନୀ ସାମଗ୍ରୀ ହେଉ ଅବା କିମ୍ବା ପୋଷାପକତ୍ରରେ ଠକାମି କରିନଥାନ୍ତି। ଏଇ ଅନଲାଇନ‌ ଅସନ୍ତୋଷର ଗ୍ରାହକଙ୍କ ସଂଖ୍ୟା ସବୁଠୁ ଅଧିକ ଭାରତ, ଆମେରିକା, ଇଟାଲୀ, ସ୍ପେନ୍ ଆଦି ରାଷ୍ଟ୍ରରେ ଦେଖିବାକୁ ମିଳୁଛି।

Comments are closed.