କେତେ ଫଳପ୍ରଦ ୟୁ ଟ୍ୟୁବ୍‌ ଶିକ୍ଷା?

ରାଜ୍ୟରେ ସୋମବାରଠାରୁ ୟୁ ଟ୍ୟୁବ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଦୀର୍ଘ ୧୬ ମାସ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୟୁ ଟ୍ୟୁବ୍‌ରେ ପାଠ ପଢ଼ିବେ। ତେବେ ରାଜ୍ୟରେ ଅନଲାଇନ ପରେ ପ୍ରଥମ ଥର ୟୁ ଟ୍ୟୁବ୍‌ ପାଠ ପଢ଼ା ଯିବ। ଗତବର୍ଷ ଅନଲାଇନ ପାଠପଢ଼ାବେଳେ ହାରାହାରି ଉପସ୍ଥାନ ପ୍ରାୟ ୫୦ % ରହିଥିଲା। ତେବେ ୟୁ ଟ୍ୟୁବ୍‌ରେ ପାଠ ପଢ଼ାଗଲେ ତାହା କେତେ ଫଳପ୍ରଦ ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

‘କୌଣସି ପ୍ରଭାବ ପଡ଼ିବ ନାହିଁ’ – ବିଷ୍ଣୁପ୍ରିୟା ଦାଶ(ଅଭିଭାବକ)
କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ଼ ବର୍ଷ ହେବ ପିଲାମାନେ ଘରେ ବସିଛନ୍ତି। ଅନଲାଇନ ପାଠପଢ଼ା ଯେତେବେଳେ ଫଳପଦ ହେଲା ନାହିଁ ୟୁ ଟ୍ୟୁବ୍‌ ପାଠପଢ଼ା ମଧ୍ୟ ପିଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବିଦ୍ୟାଳୟରେ ପାଠ ପଢ଼ିବା ଆଉ ଘରେ ଏମିତି ଦିନ ସାରା ଦୂରଭାଷ ଯନ୍ତ୍ର ଧରି ବସିବାରେ ବହୁ ଫରକ ରହିଛି। ଯଦ୍ବାରା ପିଲାଙ୍କର ଦିନକୁ ଦିନ ପାଠ ପ୍ରତି ଆଗ୍ରହ କମିବାରେ ଲାଗୁଛି।

ଶିକ୍ଷାନୁଷ୍ଠାନ ଶତ ପ୍ରତିଶତ ପ୍ରଭାବିତ – ରୋଜାଲିନ ମିଶ୍ର (ଅଭିଭାବକ)
କରୋନା ଶିକ୍ଷାନୁଷ୍ଠାନ ଉପରେ ଶତପ୍ରତିଶତ ପ୍ରଭାବ ପକାଇଛି। ମହାମାରୀ ଯୋଗୁଁ ପିଲାଙ୍କ ପାଠପଢ଼ା ନଷ୍ଟ ହୋଇଯାଇଛି। ଅନଲାଇନ ପାଠପଢ଼ା ଯେତେବେଳେ ସେମାନେ ବୁଝିପାରୁ ନଥିଲେ ବର୍ତ୍ତମାନ ୟୁ ଟ୍ୟୁବ୍‌ ପାଠପଢ଼ା ଅଧିକ କଷ୍ଟକର ହେବ। ଏଥିରେ ପାଠ କମ୍‌ ଅନ୍ୟ ସମସ୍ତ ଜିନିଷ ପ୍ରତି ତାଙ୍କର ଆଗ୍ରହ ବଢ଼ିବ।

ପାଠପଢ଼ା ସହଜ ହେବ – ସୁରେଶ ନନ୍ଦ (ଅଭିଭାବକ)
ୟୁ ଟ୍ୟୁବ୍‌ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ କିଛି ମାତ୍ରାରେ ସହଜ ହେବ। ସେମାନଙ୍କ ମନରେ ଯେଉଁ ସମସ୍ୟା ସୃଷ୍ଟି ହେବ ସେମାନେ ବାରମ୍ବାର ଭିଡିଓ ଦେଖି ବୁଝିବାକୁ ଚେଷ୍ଟା କରିପାରିବେ। ସହରାଞ୍ଚଳର କିଛି ପିଲାଙ୍କ ପାଠପଢ଼ାରେ ସହଯୋଗ କରିବ। ପିଲାଙ୍କ ସମେତ ଅଭିଭାବକ ମଧ୍ୟ ପାଖରେ ବସି ଏହି ପାଠ୍ୟକ୍ରମକୁ ପଢ଼ାଇପାରିବେ।

ପିଲାଙ୍କୁ ଟିକାକରଣ କରି ବିଦ୍ୟାଳୟ ଖୋଲୁ – ପ୍ରଭାସ ସାହୁ (ଅଭିଭାବକ)
ସମସ୍ତ ପିଲାଙ୍କ ପାଖରେ ନେଟ୍‌ ଏବଂ ମୋବାଇଲ ଫୋନ୍‌ ନାହିଁ। ସେମାନେ ଏପରି ପାଠପଢ଼ାରୁ ବଞ୍ଚିତ ହେବେ। ଆର୍ଥିକ ସମସ୍ୟା ରହିଥିବାରୁ ସେମାନେ ଭାମ୍ୟମାଣ ଦୂରଭାଷ ଯନ୍ତ୍ର କିଣିବା ସମ୍ଭବ ହେବନାହିଁ। ବିଦ୍ୟାଳୟରେ ପାଠ ପଢ଼ିଲେ କେବଳ ଶିକ୍ଷା ନୁହେଁ ବରଂ ପିଲାଙ୍କ ମାନସିକ ଓ ଶାରୀରିକସ୍ତରରେ ଉନ୍ନତି ହୋଇଥାଏ। ସେଥିପାଇଁ ପିଲାଙ୍କୁ ଟିକାକରଣ କରି ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରାଯାଉ।

କ’ଣ ରହିଛି ବ୍ୟବସ୍ଥା

ଛାତ୍ରଛାତ୍ରୀ ସେମାନଙ୍କ ନିକଟକୁ ପଠାଯାଇଥିବା ୟୁ ଟ୍ୟୁବ୍‌ ଶ୍ରେଣୀ ରୁଟିନ ଦେଖି କେଉଁ ଦିନ କେଉଁ ସମୟରେ କେଉଁ ବିଷୟ ପଢ଼ାଯିବ ସେ ଉପରେ ଧ୍ୟାନ ଦେବେ। ଏନେଇ ବିଷୟଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ରାଜ୍ୟ ଦ୍ବାରା ପ୍ରେରିତ ରୁଟିନକୁ ପିଲାଙ୍କ ନିକଟକୁ ପଠାଇବେ । ହେବାକୁ ଥିବା ସମସ୍ତ ଶ୍ରେଣୀର କ୍ଲାସ ନିମନ୍ତେ ଅଲଗା ଲିଙ୍କ ଛାତ୍ରଛାତ୍ରୀଙ୍କ ମୋବାଇଲ ଫୋନ୍‌କୁ ବିଦ୍ୟାଳୟର ବିଷୟଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ବାରା ପୂର୍ବ ଦିନ ବା ସେହି ଦିନ ଶ୍ରେଣୀ ଆରମ୍ଭ ପୂର୍ବରୁ ପଠାଯିବ। ପିଲାମାନେ ନିର୍ଦ୍ଧାରିତ ସମୟରେ ତାଙ୍କ ଶ୍ରେଣୀର ୟୁ ଟ୍ୟୁବ୍‌ ଖୋଲି ଚାଲୁଥିବା ସିଧା ପ୍ରସାରଣରେ ସାମିଲ ହୋଇପାରିବେ। କୌଣସି କାରଣରୁ ଠିକ୍ ସମୟରେ ସିଧା ପ୍ରସାରଣ ଦେଖି ନପାରିଲେ, ପରେ ଯେ କୌଣସି ସମୟରେ ସେହି ୟୁ ଟ୍ୟୁବ୍‌ ଚାନେଲ ଖୋଲି ପୂର୍ବରୁ ପଢ଼ାଯାଇଥିବା ଶ୍ରେଣୀର ଭିଡିଓ ଦେଖିପାରିବେ।


ସ୍ୱାଗତଯୋଗ୍ୟ ପଦକ୍ଷେପ – ସ୍ନେହପ୍ରଭା ମିଶ୍ର (ଶିକ୍ଷୟିତ୍ରୀ)
ସରକାରଙ୍କ ୟୁ ଟ୍ୟୁବ୍‌ ପାଠପଢ଼ା ପଦକ୍ଷେପ ସ୍ୱାଗତଯୋଗ୍ୟ। ଏଥିରେ ସବୁ ବର୍ଗର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏହି ନୂତନ ପଦକ୍ଷେପ ଜରିଆରେ ପିଲାମାନେ ପାଠପଢ଼ା ପ୍ରତି ଉତ୍ସାହିତ ହେବେ। ଦୀର୍ଘ ଦିନ ଧରି ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଙ୍କ ଆଗ୍ରହ କମୁଥିବା ବେଳେ ଏହି ନୂତନ ପଦକ୍ଷେପ ସେମାନଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ।

ପାଠପଢ଼ାକୁ ଅଧିକ ସରଳ କରିଛି – ଶୁଭସ୍ମିତା ସାହୁ
ତାଲାବନ୍ଦରେ ମୋବାଇଲ ଫୋନ୍‌ ପାଲଟିଛି ସାହାରା। ୟୁ ଟ୍ୟୁବ୍‌ ଆହୁରି ପାଠ ପଢ଼ାକୁ ଅଧିକ ସରଳ କରିଛି। ହେଲେ ଅଧିକାଂଶ ସମୟରେ ନେଟୱର୍କ ସମସ୍ୟା ରହୁଥିବାରୁ ପାଠପଢ଼ାରେ ସମସ୍ୟା ଉପୁଜୁଛି। ଘରେ ଦୁଇଟି ପିଲା ରହୁଥିବାରୁ ଜଣେ ପାଠ ପଢ଼ି ସାରିଲା ପରେ ଯାଇ ଆଉ ଜଣେ ପଢୁଛି। ଏଥିରେ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଛୋଟ ଅକ୍ଷର ପଢ଼ି ହେଉନାହିଁ – କରନ ମଲ୍ଲିକ(ଛାତ୍ର)
ଛୋଟ ପିଲାଙ୍କ ମୁଣ୍ଡ ଓ ଆଖି ଉପରେ ମୋବାଇଲ ଫୋନ୍‌ର ପ୍ରଭାବ ପଡୁଛି। ଛୋଟ ଛୋଟ ଅକ୍ଷର ହୋଇଥିବାରୁ ପଢ଼ିହେଉନାହିଁ। ସେଥିପାଇଁ ଗୁରୁଜୀ କିମ୍ବା ଗୁରୁମାଙ୍କ ପାଖରେ ପାଠପଢ଼ାର ଆବଶ୍ୟକତା ରହିଛି।

ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ବଢ଼େ – ପୂର୍ଣ୍ଣିମା ସାହୁ(ଛାତ୍ରୀ)
କରୋନା ଯୋଗୁଁ ବହୁଦିନ ଘରେ ରହିବାକୁ ପଡ଼ିଛି। ବିଦ୍ୟାଳୟରେ ପାଠପଢ଼ାର ​ଶୈଳୀ ଭିନ୍ନ। ସେଠାରେ ପଢ଼ିଲେ ମନରେ ଆଗ୍ରହ ବଢ଼ିଥାଏ। ଯାହା ଅନଲାଇନ ଓ ୟୁ ଟ୍ୟୁବ୍‌ରେ ମିଳେନାହିଁ। ସାଙ୍ଗସାଥୀଙ୍କ ସହ ମିଶି ଏକାଠି ପାଠ ପଢ଼ିବାକୁ ଭଲ ଲାଗେ। ୟୁ ଟ୍ୟୁବ୍‌ କିମ୍ବା ଅନଲାଇନ ମାଧ୍ୟମରେ ପ୍ରଶ୍ନ ଉତ୍ତର ଦେଖି ଲେଖିବାରେ କଷ୍ଟ ହେଉଛି। ଆଖିରେ ଅଧିକ ପ୍ରଭାବ ପଡୁଛି।

ୟୁ ଟ୍ୟୁବ୍‌ ପାଠପଢ଼ା ସମ୍ପୂର୍ଣ୍ଣ ଭିନ୍ନ – ସନ୍ତୋଷୀ ପ୍ରଧାନ (ଛାତ୍ରୀ)
ବିଦ୍ୟାଳୟରେ ପଢ଼ାଠାରୁ ୟୁ ଟ୍ୟୁବ୍‌ରେ ପାଠପଢ଼ା ସମ୍ପୂର୍ଣ୍ଣ ଭିନ୍ନ। ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ହେଲେ ତୁରନ୍ତ ବିଦ୍ୟାଳୟରେ ସାର୍‌ଙ୍କୁ ପଚାରି ବୁଝିଯାଉଥିଲୁ। ହେଲେ ୟୁ ଟ୍ୟୁବ୍‌ରେ ସେ ସୁବିଧା ନାହିଁ। ସେଥିପାଇଁ ଅନଲାଇନ ପାଠପଢ଼ା ହେଉ କି ୟୁ ଟ୍ୟୁବ୍‌ ପାଠପଢ଼ାରେ ବୁଝିବାକୁ କଷ୍ଟ ହେଉଛି।

କିଛିଟା ସୁଫଳ ମିଳିବ – ଡ. ପ୍ରୀତିଶ ଆଚାର୍ଯ୍ୟ, ଶିକ୍ଷାବିତ
ଅନଲାଇନ ପାଠପଢ଼ା ଭଳି ୟୁ ଟ୍ୟୁବ୍‌ରେ ମଧ୍ୟ ସମାନ ଫଳ ମିଳିବ। ଯେଉଁ ଅଞ୍ଚଳରେ ମୋବାଇଲ ନେଟୱର୍କ ସମସ୍ୟା ରହିଛି ସେଠାରେ ବିଦ୍ୟାର୍ଥୀ ସୁଫଳ ପାଇବେନି। ତେବେ ପଢ଼ାଯାଉଥିବା ପାଠ ଆଉଥରେ ପଢ଼ିବାର ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ।

Comments are closed.