ମୁଁ ପିଆଜ କହୁଛି…

କେବଳ ଭାରତ ନୁହେଁ; ସମଗ୍ର ବିଶ୍ୱରେ ମୋର ବେଶ୍‌ ଚାହିଦା ଓ ଉପସ୍ଥିତି ରହିଛି। ବିଭିନ୍ନ ସ୍ଥାନ ଓ ଦେଶ ଅନୁସାରେ ମୋ ନାଁଟା ଯା’ ଖାଲି ବଦଳି ଥାଏ। ମୁଁ ‘ପରିବା’ରେ ଯାଉନି କି ‘ଆମିଷ’ରେ ବି ଗଣାହେଉନି। ତଥାପି କିଏ ମତେ ‘ପରିବା’ରେ ଗଣୁଛି ତ କିଏ ଆମିଷ ସାମଗ୍ରୀ କହି ଦୂରେଇ ଦେଉଛି। ନିରାମିଷାଶୀଙ୍କ ପାଇଁ ମୁଁ ଯେତିକି ଜରୁରୀ, ଆମିଷାଶୀଙ୍କ ପାଇଁ ବି ସେତିକି ଦରକାରୀ। ସବୁଠି ଯେତିକି ଆଦର ପାଏ, ସେତିକି ବି ହତାଦର ହୁଏ। ମୋ ଦାମ୍‍ କମିଲେ କେହି ପଚାରନ୍ତିନି, ଦାମ ବଢ଼ିଲେ ମୁହଁ ଆଡ଼େଇ ଚାଲିଯାଆନ୍ତି। ମୁଁ କିନ୍ତୁ କାହାକୁ ଘୃଣା କରେନି କି ଅଧିକ ଆଦର କରେନି।
ବ୍ୟବସାୟୀଠାରୁ ମା’ର ରୋଷେଇ ଘରକୁ ଯିବାକୁ ଇଚ୍ଛା ହୁଏ। ତା’ ହାତ ରନ୍ଧାରେ ସାମିଲ ହେବାକୁ ମତେ ଭାରି ଖୁସିଲାଗେ। ନିଜେ ଜଳି ଅନ୍ୟକୁ ଖୁସି ଦେବାକୁ ଚାହେଁ। ମୁଁ ଉପରକୁ ଯେମିତି ଭିତରକୁ ବି ଠିକ୍‍ ସେମିତି। ପ୍ରଥମ ପାଖୁଡ଼ାରୁ ଶେଷ ପାଖୁଡ଼ା ପର୍ଯ୍ୟନ୍ତ, ସବୁ ସମାନ। ଖାଲି ଆକୃତି ଓ ଆକାରରେ ଯାହା କିଛି ପରିବର୍ତ୍ତନ ଘଟିଥାଏ। ମତେ ଯେତେ ଘଷିଲେ ମାଜିଲେ, ଚୋପା ଛଡ଼ାଇଲେ ବି ମୋ ଭିତରେ କିଛି ନଥାଏ। ନିରହଙ୍କାର ଓ ସରଳ ମଣିଷର ହୃଦୟଟି ପରି ମୋ ହୃଦୟ।
ଗରିବ ଚଷା ପରିବାରରେ ମୋର ଜନ୍ମ। ଶୀତ ପ୍ରାରମ୍ଭରେ ହିଁ ମୁଁ ଜନ୍ମ ନିଏ। ଆଉ ବର୍ଷକ ପର୍ଯ୍ୟନ୍ତ ଦେଶଟାକୁ ଚଳାଇନିଏ, ଚାଷୀ ପେଟକୁ ଦାନା ଦିଏ। ଜନସଂଖ୍ୟା ବଢିବା ସହିତ ମୋର ଚାହିଦା ବି ଯଥେଷ୍ଟ ବଢିଛି। ମୋ ମୂଲ୍ୟ ବଢ଼ିଗଲେ, ବଜାରରେ ମତେ ଖୋଜି ନ ମିଳିଲେ, ମୁଁ ହାଣ୍ଡିଶାଳରୁ ନିଖୋଜ ହୋଇଗଲେ, ପରିବା ବ୍ୟାଗରେ ମତେ ନ ପାଇଲେ, ରୋଷେଇ ଘରୁ ନେଇ ସଂସଦ, ଗାଁଠାରୁ ସହର, ଅଶିକ୍ଷିତ ଲୋକଙ୍କଠାରୁ ଉଚ୍ଚଶିକ୍ଷିତ, ପଖାଳ କଂସାରୁ ଆରମ୍ଭ କରି ତାରକା ହୋଟେଲର ଡାଇନିଂ ଟେବୁଲ ପର୍ଯ୍ୟନ୍ତ ସବୁଠି ମୋ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଯାଏ। ଅନ୍ୟ ପ୍ରସଙ୍ଗ ଛାଡ଼ି ଲୋକେ ମୋତେ ପ୍ରସଙ୍ଗ କରନ୍ତି, ରାତାରାତି ପରିବା ବଜାରରେ ମତେ ହିରୋ କରିଦିଅନ୍ତି। କିଏ କହେ ପିଆଜ ଦେଖିଲେ ଆଖିରୁ ଲୁହ ବାହାରୁଛି ତ କିଏ କହେ ପିଆଜରେ ହାତ ମାରିହେଉନି, ଏମିତି ଓଡ଼ିଆ ଅଭିଧାନରେ ଥିବା ଯେତେ ଅଳଙ୍କାର, ଉପମା ଓ ଲୋକକଥା ମୋ ନାଁ ପଛରେ ହଠାତ୍‌ ଲାଗିଯାଏ। ମୋ ଅଭାବରେ, ମୋ ସଙ୍କଟରେ, ଦେଶରେ ଏକପ୍ରକାର ହାହାକାର ପରିସ୍ଥିତି ପଡ଼ିଯାଏ !
ମତେ ପ୍ରସଙ୍ଗ କରି ସରକାର ଅନେକ ସମୟରେ ବଡ଼ବଡ଼ ବିପଦକୁ ସହଜରେ ମୁକାବିଲା କରିନିଅନ୍ତି। ମୋ ଅଭାବରେ ଶାସକଠାରୁ ବିରୋଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚେଇଁ ଉଠନ୍ତି। କିଏ ମୋତେ ହାର କରି ବେକରେ ମାଳା କରନ୍ତି ତ କିଏ ମତେ ସବାରୀରେ ସଜେଇ ପ୍ରତିବାଦ କରନ୍ତି। କେତେ ନାରାବାଜି ହୁଏ ମୋତେ ନେଇ। ମତେ ନ ଖାଇଲେ, ମତେ ନ ପାଇଲେ ମଣିଷ ସମାଜଟା ସତେ ଯେମିତି ଧ୍ୱଂସ ହୋଇଯିବ!
ଅତୀତରେ ମୋ ପାଇଁ କେତେ ମନ୍ତ୍ରୀ ବଳି ପଡ଼ିଛନ୍ତି। ସଂସଦ, ବିଧାନସଭା ଅଚଳ ହୋଇଛି, ସରକାର ବି ଭାଙ୍ଗିଯାଇଛି। ସବୁ ମୋ ଆଖି ସାମ୍ନାରେ ହେଉଥିଲେ ବି ମୁଁ ନାଚାର, କିଂକର୍ତ୍ତବ୍ୟବିମୂଢ଼। ମୁଁ ନା ଚାଷୀ ପାଇଁ, ଗ୍ରାହକ ପାଇଁ, ନା କ୍ଷମତାଲୋଭୀ ରାଜନେତାଙ୍କ ପାଇଁ କିଛି କରିପାରେ। ଗାନ୍ଧୀଙ୍କ ତିନି ମାଙ୍କଡ଼ ପରି ମୁଁ ସବୁ ଦେଖି ସବୁ ଶୁଣି ଚୁପ ରହିଥାଏ।
ରାସ୍ତାରେ ଏକାକୀ ଯାଉଥିବା ଓ ଅଶ୍ଲୀଳ ଇଙ୍ଗିତରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ସୁନ୍ଦରୀ ତରୁଣୀ ପରି ମୋର ଅବସ୍ଥା। ସବୁବର୍ଗ ଲୋକଙ୍କର ମୋ ପ୍ରତି ଆକର୍ଷଣ ଦେଖି ନିଜକୁ ସୁନ୍ଦରୀ ତରୁଣୀ ସହ ତୁଳନା କରିବସେ। ସତରେ କେତେ ଭାଗ୍ୟବାନ ମୁଁ! ମୋର ସୌନ୍ଦର୍ଯ୍ୟ ନାହିଁ, ଆକର୍ଷଣ କରିବାର ଚେହେରା ନାହିଁ; ହେଲେ ଅଶିକ୍ଷିତ ମଣିଷଠାରୁ ସମ୍ଭ୍ରାନ୍ତ ମଣିଷ ପର୍ଯ୍ୟନ୍ତ ହଠାତ୍‍ ସମସ୍ତେ ମୋ ପଛରେ ପଡ଼ିଯାଆନ୍ତି। ମତେ ପାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ବଜାରରେ ଅନ୍ୟ ପରିବା ଛାଡି ମୋତେ ନେବାକୁ ଅତ୍ୟଧିକ ଆଗ୍ରହ ଦେଖାନ୍ତି। ତାଙ୍କ ପରିବା ବ୍ୟାଗରେ ମୋ ଉପସ୍ଥିତି ହଠାତ୍‍ ତାଙ୍କର ବଡପଣିଆ, ଥିଲାବାଲା, ଧନୀ ଲୋକର ପରିଚୟ ଦେଇଦିଏ। ହଠାତ୍ କିନ୍ତୁ ବଜାରରେ ମୋ ଉପସ୍ଥିତି ଅଧିକ ହେଲେ, ହତାଦାର କରନ୍ତି, ଅଣଦେଖା କରନ୍ତି, ଚିହ୍ନି ନ ଚିହ୍ନିବାର ଅଭିନୟ କରନ୍ତି। ବେଳେବେଳେ ମୋ ପାଇଁ ଦୁନିଆର ସବୁଠାରୁ ବୁଦ୍ଧିଆ, ଅହଙ୍କାରୀ ମଣିଷର ଅସହାୟତାକୁ ଦେଖି ମତେ ଦୁଃଖ ଲାଗେ ଯେତିକି, ହସ ଲାଗେ ବି ସେତିକି। ମୋ ପରି ଅକିଞ୍ଚନ ବି ମଣିଷର ବୁଦ୍ଧି ହଜାଇ ଦେଉଛି, ଆଖିରୁ ଲୁହ ଗଡ଼ାଇ ଦେଉଛି। ଥରେ କି ଦି’ଥର ନୁହେଁ, ଏମିତି ଅନେକଥର ମତେ ନେଇ ତା’ର ଚିନ୍ତା ବଢୁଛି। ମୋ ପରି ଆଉ କେଉଁ ପରିବା କି ଆମିଷ ଜିନିଷର ଦର ବୃଦ୍ଧି ପାଇଁ ଏମିତି ଘଟିଥିବା ମୁଁ କାହିଁ ଶୁଣିନି କି ଦେଖିନି। କେବଳ ଆଳୁ ଦର ବଢ଼ିଲେ ଥରେ ଅଧେ ଏମିତି ଆଲୋଚନା ଶୁଣିଛି, ହେଲେ ମୋ ପରି ନୁହେଁ।
ଆଳୁ ଦର ରୋକିବାକୁ ସରକାର ଆଳୁ ମିଶନ କରିଦେଲେ। ହେଲେ ମୋ ମୂଲ୍ୟ ବର୍ଷକୁ ଥରେ ନୁହେଁ, ଏକାଧିକ ଥର ବଢୁଥିଲେ ବି କେନ୍ଦ୍ର କି ରାଜ୍ୟ ସରକାର ସେମିତି ଆଖିଦୃଶିଆ ମିଶନଟେ କରିପାରିନାହାନ୍ତି। ଖାଲି ଦର ବଢ଼ିଲେ, ରତ୍ପାନି ଉପରେ ଯାହା କିଛି କଟକଣା ଲାଗୁଛି। ଆଗରୁ ମତେ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିଥିଲେ; ହେଲେ ସେଥିରେ ସରକାର କି ବ୍ୟବସାୟୀଙ୍କ ପକେଟ ପୂରିଲା ନାହିଁ, ଗ୍ରାହକଙ୍କ ପକେଟରୁ ବି ମୋ ପାଇଁ ମୋଟା ଅଙ୍କର ଅର୍ଥ ବାହାରିଲା ନାହିଁ। ଅନେକ ଆଲୋଚନା ପରେ ମତେ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି। ମୁଁ ଏବେ ସ୍ୱାଧୀନ। ମୋ ପାଇଁ କେତେ ଲୋକ ଧନୀ ହେବାର ମଉକା ପାଇଛନ୍ତି। ଏପରି କେତେ ପରିବା’ଙ୍କ ଭାଗ୍ୟରେ ଏମିତି ଜୁଟୁଛି ନା ଆଗକୁ ଜୁଟିବ!

Comments are closed.