ପିଆଜ ଦର ବୃଦ୍ଧି ଚିନ୍ତା‌ : ସବୁ ଜିଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ସଚିବଙ୍କ ଚିଠି

ପିଆଜ ଦର, ଉପଲବ୍‌ଧତା ଉପରେ କଡ଼ା ନଜର ରଖ

ଭୁବନେଶ୍ବର : ସମ୍ପ୍ରତି ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ପରିସ୍ଥିତିକୁ ନଜରରେ ରଖି ଆଜି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ ଭି. ଭି. ଯାଦବ ସମସ୍ତ ଜିଲାର ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ବଜାରରେ ପିଆଜ ଦର ଏବଂ ଉପଲବ୍‌ଧତା ଉପରେ କଡ଼ା ନଜର ରଖିବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ‌ଦେଇଛନ୍ତି ।

ଓଡ଼ିଶା ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଉତ୍ପାଦନକାରୀ ରାଜ୍ୟଗୁଡିକରେ ଫସଲ ନଷ୍ଟ ହେବା ଯୋଗୁ ବଜାର ପିଆଜ ଦର ଅଧିକ ରହିଛି । ଯଦିବା ଏହା ବର୍ତ୍ତମାନ ଏକ ଜାତୀୟ ସ୍ତରର ପ୍ରସଙ୍ଗ ତଥାପି ପିଆଜ ଦର ଉପରେ ନଜର ରଖିବାକୁ ହେବ । ଏହି ସମୟରେ କେତେକ ଅସାଧୁ ବ୍ୟବସାୟୀ ମୁନାଫା କରିବାକୁ ଯାଇ ଦର ବୃଦ୍ଧି ଘଟାଇ‌ବେ । ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଚିଠିରେ କୁହାଯାଇଛି ।‌ ତେଣୁ ପାଇକାରୀ ଏବଂ ଖୁଚୁରା ବଜାରରେ ପିଆଜ ସଠିକ୍‌ ମୂଲ୍ୟରେ ବିକ୍ରି କରାଯାଉଛି କି ନାହିଁ ତାହା ନିୟମିତ ଭାବେ ତଦାରଖ କରିିବାକୁ ନିର୍ଦେଶ ଦିଆଯାଇଛି ।

ଅନ୍ୟପଟେ ପିଆଜର ଉତ୍ପାଦନ ସ୍ଥଳ ନାସିକ୍‌, ଲାସଲଗାଓଁରେ ମଧ୍ୟ ପିଆଜ କିଲୋ ୮୦ ଥିବା ଜଣାପଡିଛି। ବର୍ଷା ଯୋଗୁଁ ନୂଆ ଫସଲରେ ମଧ୍ୟ ବିଳମ୍ବିତ ହୋଇପାରେ । ଲଗାଣ ବର୍ଷା ଫସଲ ନଷ୍ଟ କରିଦେବା ଯୋଗୁ ବଜାରରେ ଚାହିଦା ତୁଳନାରେ ଯୋଗାଣ କମ୍‌ ହେଉଛି । ଯାହା ଫଳରେ ପିଆଜ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଉତ୍ପାଦନ ସ୍ଥଳ ମହାରାଷ୍ଟ୍ରର ନାସିକ୍‌ ଏବଂ ଲାସଲ୍‌ଗାଓଁଠାରେ ପିଆଜ କିଲୋ ପିଛା ୮୦ ଟଙ୍କା ଛୁଇଁଛି । ତେଣୁ ସେହି ପିଆଜ ରାଜ୍ୟରେ ଆସି ପହଞ୍ଚିବାକୁ ୪-୫ ଦିନ ସମୟ ଲାଗିବ । ଏଠାରେ ପହଞ୍ଚିବା ପରେ ଭଡା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ତାହାର ବିକ୍ରି ମୂଲ୍ୟ ନିଶ୍ଚିତ ଭାବେ ୧୦୦ ଟଙ୍କା ଟପିଯିବ । ତେଣୁ ଆଗକୁ ପିଆଜ ଦର ସେଞ୍ଚୁରି ଛୁଇଁବା ସୁନିଶ୍ଚିତ ‌ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଲେଣି । ଅନ୍ୟପକ୍ଷରେ କର୍ନୋଲ ଏବଂ ବେଙ୍ଗାଲୁରୁରୁ ଆସିବାକୁ ଥିବା ନୂଆ ଫସଲ ବିଳମ୍ବିତ ହେବାର ସମ୍ଭାବନା ରହିଛି । ପ୍ରଥମ ଦଫା ପିଆଜ ଫସଲ ବର୍ଷାରେ ଧୋଇଯାଇଯିବା ପରେ ଦ୍ବିତୀୟ ପର୍ୟ୍ୟାୟରେ ଯାହା ଲାଗିଛି ତାହା ନଭେମ୍ବର ଶେଷରେ ବଜାରରେ ପହଞ୍ଚିବ । ସାଧାରଣତଃ ନଭେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଉପରୋକ୍ତ ଦୁଇଟି ସ୍ଥାନରୁ ନୂଆ ପିଆଜ ବଜାରକୁ ଆସିଯାଇଥାଏ । ଚଳିତଥର ଏହା ପ୍ରାୟ ୧୫ ଦିନ ବିଳମ୍ବ ହେବ ବୋଲି ଜଣାଯାଇଛି ।

Comments are closed.