ପିଆଜ @ ୧୫୦ – ଅପେକ୍ଷା ଆଉ ୧୦ ଦିନ

ଭୁବନେଶ୍ୱର: ରାଜ୍ୟକୁ ପିଆଜ ଆମଦାନୀ ହ୍ରାସ ପାଉଥିବାରୁ ଗତ ଦୁଇଦିନ ମଧ୍ୟରେ ପିଆଜ କିଲୋପ୍ରତି ଦର ଅହେତୁକ ଭାବେ ବୃଦ୍ଧି ପାଇ ବର୍ତ୍ତମାନ ୧୫୦ ଟଙ୍କାରେ ପହଞ୍ଚିଛି। ଫଳରେ ଚଳିତ ବର୍ଷ ପିଆଜ ଦରବୃଦ୍ଧି ସର୍ବକାଳୀନ ରେକର୍ଡ଼ କରିଛି। ଆଜି କଟକ ଛତ୍ରବଜାରରେ ପିଆଜର ପାଇକାରୀ ଦର ୧୪୦ ଟଙ୍କା ରହିଥିବାବେଳେ ଖୁଚୁରା ଦର ୧୫୦ ଟଙ୍କା ରହିଛି। ସେହିପରି ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହୋଇଛି। ତେବେ ଚଳିତ ମାସ ମଧ୍ୟଭାଗ ସୁଦ୍ଧା ତୁର୍କୀରୁ ଆମଦାନୀ କରାଯାଇଥିବା ପିଆଜ ଓଡ଼ିଶାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ପିଆଜ ଆମଦାନୀ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱୟ କମିଟି ଗଠନ କରାଯାଇଛି। ଏହି କମିଟି ଦେଶ ଭିତରକୁ ପିଆଜ ଆଣିବାର ବ୍ୟବସ୍ଥା କରିବା ସହିତ ସଠିକ୍‍ ସମୟରେ ରାଜ୍ୟଗୁଡ଼ିକ ପାଖରେ ପିଆଜ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛି।

ସୂଚନାଯୋଗ୍ୟ ଚଳିତବର୍ଷ ପିଆଜ ଉତ୍ପାଦନର କେନ୍ଦ୍ରସ୍ଥଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକ୍‍ରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି। ଫଳରେ ଦେଶବ୍ୟାପୀ ଏବେ ପିଆଜ ଦର ବୃଦ୍ଧିପାଇଛି। ଆଗାମୀ ଦିନରେ ନୂଆ ପିଆଜ ଉତ୍ପାଦନ ହେଲେ ଦର ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ପିଆଜର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ସରକାର ଗତକାଲି ଉଭୟ ପାଇକାରୀ ଓ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପିଆଜ ମହଜୁଦ୍‍ ସୀମାର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଖୁଚୁରା ବ୍ୟବସାୟୀମାନେ ୫ ଟନ୍‍ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ ଓ ପାଇକାରୀ ବିକ୍ରେତାମାନେ ୨୫ ଟନ୍‍ ପର୍ଯ୍ୟନ୍ତ ପିଆଜ ମହଜୁଦ୍‍ ରଖିପାରିବେ। ଖୋଲା ବଜାରରେ ପର୍ଯ୍ୟାପ୍ତ ପିଆଜ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments are closed.