ଆକାଶ ଛୁଆଁ ପିଆଜ ଦର : ନିରୁତ୍ସାହିତ ପିଆଜ ଚାଷୀ, ଗରିବଙ୍କ ପଖାଳ କଂସା ଖାଲି

ଶୀତଲଭଣ୍ଡାର ପ୍ରହେଳିକା, ଚୁଳିରେ ଗଲା ୫ କୋଟି ଟଙ୍କା

ଟିଟିଲାଗଡ (ଦିଲୀପ କୁମାର ପୁରୋହିତ) : ପିଆଜ ଉତ୍ପାଦନ କ୍ଷେତ୍ରରେ ମହାରାଷ୍ଟ୍ର ରାଜ୍ୟର ନାସିକ ଭଳି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳର ବେଶ ଖ୍ୟାତି ରହିଛି। ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ତଥା ଟିଟିଲାଗଡ ବ୍ଲକର ଚାଷୀ ପିଆଜ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ରେକର୍ଡ ସୃଷ୍ଟି କରିଆସୁଛି। ଉଦ୍ୟାନ କୃଷି ବିଭାଗର ସୂଚନା ମୁତାବକ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳର ପ୍ରାୟ ୩୦୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇ ଆସୁଥିବା ବେଳେ ହାରାହାରି ୬୦ ହଜାର ମେଟ୍ରିକ ଟନରୁ ଅଧିକ ଉତ୍ପାଦନ ହେଉଥିଲା। ତେବେ କାଳକ୍ରମେ ସରକାରୀ ଅବହେଳା, ସଂରକ୍ଷଣ ବ୍ୟବସ୍ଥାର ଅଭାବ, ପ୍ରାକୃତିକ ଦୁର୍ବିପାକ ଆଦି ଆପଦା ନେଇ ଚାଷୀ ପିଆଜ ଚାଷରେ ବ୍ୟାପକ କ୍ଷତି ସହିବା ସହ ବିମୁଖ ହୋଇଛନ୍ତି। ଅମଳ ପରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବା ନେଇ ଉପଯୁକ୍ତ ମୂଲ୍ୟ ପାଇବାରୁ ଚାଷୀ ପରିବାର ବଞ୍ଚିତ ହୋଇଛନ୍ତି। ନିଜ ଉତ୍ପାଦନକୁ ଶାଗମାଛ ଦରରେ ବିକ୍ରୟ କରିବାକୁ ବାଧ୍ୟ ହୋଇଛନ୍ତି। ପିଆଜ ସଂରକ୍ଷଣ ବ୍ୟବସ୍ଥାର ଅଭାବର ସୁଯୋଗ ନେଇ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଅଞ୍ଚଳର ବ୍ୟବସାୟୀ ଅମଳ ସମୟରେ ଚାଷୀଙ୍କ ଠାରୁ ଶାଗମାଛ ଦରରେ ବ୍ୟାପକ ପରିମାଣରେ ପିଆଜ କ୍ରୟ କରି ନେଉଛନ୍ତି। ପିଆଜ ଖରାପ ହେବା ଭୟ ତଥା ହାତରେ ନଗଦି ଆସିବା ଲୋଭରେ ଚାଷୀ ବାହାର ରାଜ୍ୟ ବେପାରୀଙ୍କୁ କେଜି ପ୍ରତି ୭/୮ ଟଙ୍କା ଦରରେ ନିଜ ଅମଳ ବିକ୍ରୟ କରି ସେଭଳି ବିଶେଷ ଲାଭ ପାଉନଥିବା ବେଳେ ଶୋଷଣର ଶିକାର ହେଉଛନ୍ତି। ଅମଳ ସମୟରେ ଏଠାରେ ବଜାରରେ ପିଆଜ ଦର ୧୦ ଟଙ୍କା ରହିଥିବା ବେଳେ ସମ୍ପ୍ରତି ୮୦ରୁ ୯୦କୁ ଛୁଇଁଲାଣି। ଗରିବ ପରିବାରର ପଖାଳ କଂସାର ମୁଖ୍ୟ ବ୍ୟଞ୍ଜନ ପିଆଜ ଖଣ୍ଡିଏ ଯୋଗାଡ କରିବାକୁ ପ୍ରତିଯୋଗିତାରେ ଗରିବ ହାର ମାନିଥିବା ଆଲୋଚନା ହୋଇଛି। ଅପରପକ୍ଷରରେ ପ୍ରକୃତ ପିଆଜ ଚାଷୀଙ୍କୁ ତାର ଅମଳ ସଂରକ୍ଷଣ ନେଇ ପିଆଜ ଘର ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ପ୍ରକଳ୍ପର ଅଧେ ଭାଗ ବାଟମାରଣା ହୋଇ ପିଆଜ ଘରର ଉଦ୍ଦେଶ୍ୟ ବିଫଳ ହୋଇଛି। ଶତାଧିକ ପରମ୍ପରାଗତ ପିଆଜ ଚାଷୀ ବିଶେଷ କରି ସରକାରି ପ୍ରକଳ୍ପ ନେଇ ଗୁରୁତର କ୍ଷତିର ସମ୍ମୁଖୀନ ହେବା ପିଆଜ ଚାଷ ପ୍ରତି ବିମୁଖତାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି।

ସୂଚନା ଯେ, ଏଅଞ୍ଚଳରେ ପିଆଜ ଚାଷକୁ ପ୍ରୋତ୍ସାହନ ନେଇ ଗତ ୧୦ ନଭେମ୍ବର ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ୨୮ ଲକ୍ଷ ୩୫ ହଜାର ୪୯୦ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଭେଜ ପେକହାଉସ ଉଦଘାଟନ କରିଥିଲେ। ଅନେକ ପ୍ରତୀକ୍ଷା ପରେ ୫୦୦ ମେଟ୍ରିକ ଟନ ପିଆଜ ଏବଂ ୪୦୦ ମେଟ୍ରିକ ଟନ ପନିପରିବା ଫଳ ଆଦି ସଂରକ୍ଷଣ କ୍ଷମତା ରହିଥିବା ଶୀତଳ ଭଣ୍ଡାର ସରକାରୀ ଉଦ୍ୟମରେ କାର୍ଯ୍ୟକ୍ଷମ ହେବା ନେଇ ଚାଷୀ ମହଳରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ୨୦୧୭ ମଇରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପେକ ହାଉସରେ ସଂରକ୍ଷଣ ପାଇଁ ଆମନ୍ତ୍ରଣ କରାଯାଇଥିଲା। ତଦାନୁଯାୟୀ ବର୍ଷବର୍ଷ ଧରି ଅଭାବି ବିକ୍ରିର ଶିକାର ହୋଇ ଚାଲିଥିବା ଉପଖଣ୍ଡ ଅଂଚଳର ପିଆଜ ଚାଷୀ ସେମାନଙ୍କ ପ୍ରାୟ ୧୮୭୪ କ୍ୱିଣ୍ଟାଲ ପିଆଜ ପେକ ହାଉସରେ ସଂରକ୍ଷିତ ରଖିଥିଲେ। ତେବେ ପେକ ହାଉସରେ ଉପଯୁକ୍ତ ଶିତଳୀକରଣ ବ୍ୟବସ୍ଥା ଅଭାବ ନେଇ ଦିନ କେଇଟା ପରେ ସଂରକ୍ଷିତ ପିଆଜ ପଚିସଢି ଯିବା ସହ ଗଜା ହେବାକୁ ଲାଗିଥିଲା। ଏନେଇ ପ୍ରଥମେ ୧୩ ଜୁନ ୨୦୧୭ରେ ସମାଜରେ ଖବର ପ୍ରକାଶନ ପରେ ଚାଷୀମାନେ ପେକହାଉସକୁ ଧାଇଁଥିବା ବେଳେ ସାଉଁଟିବାକୁ ଆଉ କିଛି ନଥିଲା। ଶେଷରେ ପ୍ରଶାସନ ପକ୍ଷରୁ ପଚିସଢି ଦୁର୍ଗନ୍ଧରେ ଫାଟି ପଡୁଥିବା ପ୍ରାୟ ୮୦ ଲକ୍ଷ ଟଙ୍କାର ପିଆଜକୁ ପେକହାଉସ ପରିସରେ ବିରାଟ ଗାତ ମାନ ଖୋଲି ପୋତି ଦିଆଯାଇଥିଲା। ଏନେଇ କ୍ଷତିଗ୍ରସ୍ତ ଚାଷୀ ସେସମୟରେ ଟିଟିଲାଗଡ ଉପଜିଲାପାଳ, ବଲାଙ୍ଗିର ଜିଲାପାଳ,  ଆପିକଲ ଏମଡି, ନାବାର୍ଡ ଅଧିକାରୀ, କେବିକେ ମୁଖ୍ୟ ସୁଦର୍ଶନ ଠାକୁର, ରାଜ୍ୟ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଡ. ଏମ. ମୁଥୁକୁମାର, ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ମନ୍ତ୍ରୀ ସୁର୍ଯ୍ୟନାରାୟଣ ପାତ୍ର ପ୍ରମୁଖଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ପେକହାଉସରେ ଚାଷୀଙ୍କ ସଂରକ୍ଷିତ ଅମଳର ବିମାଭୁକ୍ତ କରାଯାଇନଥିବାରୁ ଚାଷୀଙ୍କୁ ସେମାନଙ୍କ କ୍ଷତିଗ୍ରସ୍ତ ଅମଳର କୌଣସି ଉପଯୁକ୍ତ କ୍ଷତିପୁରଣ ମିଳିପାରିଲା ନାହିଁ। ଏଭଳି ସ୍ଥିତିରେ ଚାଷୀଙ୍କ ମନୋବଳ ସମ୍ପୁର୍ଣ୍ଣ ଭାଙ୍ଗିପଡିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଚାଷୀ ସମ୍ମାନ ଲାଭ କରିଥିବା ପିତାମ୍ବର ବେହେରା କହନ୍ତି।

ଅନ୍ୟପକ୍ଷରେ ଗତ ବର୍ଷ ସରକାରି ସ୍ତରରେ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ପିଆଜ ବିହନ ଦର କେଜି ପ୍ରତି ୨୦୦ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଦର ୫୭୦କୁ ବୃଦ୍ଧି ପାଇଛି। ଚାଷ କାର୍ଯ୍ୟରେ ଶ୍ରମିକ ନିୟୋଜନ ନେଇ ଚାଷୀଙ୍କ ହାତରେ ମୂଳଧନର ଅଭାବ, ସରକାରୀ ବିହନ ଅଦ୍ୟାବଧି ପହଞ୍ଚିନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏଭଳି ଅନେକ ସମସ୍ୟା ନେଇ ଏଅଞ୍ଚଳର ଚାଷୀ ପରିବାର ପିଆଜ ଚାଷ ପ୍ରତି ବିମୁଖ ହୋଇଥିବା ଟିଟିଲାଗଡ ଉଦ୍ୟାନ କୃଷି ସହକାରି ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ ସ୍ୱୀକାର କରିଛନ୍ତି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ପିଆଜ ଚାଷକୁ ପ୍ରୋତ୍ସାହନ ପାଇଁ ହେକ୍ଟର ପ୍ରତି ଚାଷୀଙ୍କୁ ୫୮ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି। ୧୫୦୦ରୁ ୨୦୦୦ ହେକ୍ଟର ଜମିରେ ପିଆଜ ଚାଷ ଲକ୍ଷ୍ୟ ରହିଛି। ମହାରାଷ୍ଟ୍ର ଅଞ୍ଚଳରେ ବନ୍ୟା ନେଇ ପିଆଜ ବିହନ ଦର ବୃଦ୍ଧି ଘଟିଛି।  ରାଜ୍ୟ ବିହନ ନିଗମ ବିହନ ଯୋଗାଣ କରିନଥିବାରୁ ଚାଷୀଙ୍କୁ ବଣ୍ଟନରେ ବିଲମ୍ବ ହେଉଥିବା ଉଦ୍ୟାନ କୃଷି ଅଧିକାରୀ କହିଛନ୍ତି। ତେବେ ପିଆଜ ସଂରକ୍ଷଣ ନେଇ ସରକାରି ସ୍ତରରେ ଏକ ସୁଚିନ୍ତିତ ଦୀର୍ଘମିଆଦି ଯୋଜନା ହାତକୁ ନନେଲେ ଚାଷୀ ଏଭଳି ଅଭାବି ବିକ୍ରିର ଶିକାର ସହ ସ୍ଥାନୀୟ ଅଞ୍ଚଳରେ ପିଆଜ ଦର ବୃଦ୍ଧି ଆହୁରି ବେଲଗାମ ହେବ ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି।

Comments are closed.