ପିଆଜ ଦର ଅଣାୟତ୍ତ : କିଲୋ ୮୦ ଟଙ୍କା ଟପିଲା

ପିଆଜ ଦର ଅଣାୟତ୍ତ : କିଲୋ ୮୦ ଟଙ୍କା ଟପିଲା

ଭୁବନେଶ୍ବର: ପାର୍ବଣରେ ପୁଣି କନ୍ଦା‌ଇଲା ପିଆଜ।କିଛି ମାସର ବ୍ୟବଧାନ ପରେ ଏବେ ଖାଉଟିଙ୍କୁ ପୁଣି କନ୍ଦାଇବା ଆରମ୍ଭ କରିଛି ପିଆଜ ଦର । ପିଆଜର ଅତ୍ୟଧିକ ଦର ବୃଦ୍ଧିରେ ଅତିଷ୍ଠ ହୋଇଗଲେଣି ଖାଉଟି। ପ୍ରତିବର୍ଷ ଭଳି ଚଳିତବର୍ଷ ପାର୍ବଣରେ ମହଙ୍ଗା ହୋଇଛି ପିଆଜ। ଗତକାଲି ୭୦ ଟଙ୍କା ଥିବା ପିଆଜ କିଲୋ ଆଜି ୮୦ ଟଙ୍କା ଟପିଛି । ଏଥିରୁ ବାଦ୍‌ ପଡିନି ଉତ୍ପାଦନକାରୀ ରାଜ୍ୟ । ଯୋଗାଣ କମ୍‌ ହେବା ଯୋଗୁ ପରିସ୍ଥିତି ଏଭଳି ହୋଇଛି ରାଜଧାନୀ ଭୁବନେଶ୍ବରରେ ବୁଧବାର ପିଆଜ କିଲୋ ପିଛା ୮୦ ଟଙ୍କା ଉପରେ ବିକ୍ରି ହୋଇଛି । ତେବେ ସରକାରଙ୍କ ପକ୍ଷରୁ ଦର ନିୟନ୍ତ୍ରଣ ପାଇଁ ସେଭଳି କିଛି ଦୃଢ ପଦକ୍ଷେପ ନିଆଯାଉ ନ ଥିବାବେଳେ ଏବେ ଖାଉଟି କେବଳ ନୂଆ ଫସଲକୁ ଅପେକ୍ଷା କରିଛନ୍ତି ।
ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚଳିତବର୍ଷ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏଥିଯୋଗୁ ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିଥିବା ଯୋଗୁ ଘରୋଇ ବଜାରରେ ଏହାର ମୂଲ୍ୟ ଅଧିକ ହେଉଥିବା ବ୍ୟବସାୟୀ କହୁଛନ୍ତି । ଗତ ତିନି ଦିନ ହେବ ହଠାତ୍‌ ରାଜଧାନୀର ହାଟ ବଜାରଗୁଡିକରେ ପିଆଜ କିଲୋ ପିଛା ୬୦ ରୁ ୮୦ ଟଙ୍କା ଟପିଛି । ରାଜ୍ୟକୁ ଆନ୍ଧ୍ରପ୍ରଦେଶର ଗୁଡ୍ଡୁମ୍‌, ତେଲଙ୍ଗାନାର କର୍ନୋଲ, କର୍ଣ୍ଣାଟକର ବେଙ୍ଗାଲୁରୁ ଓ ଯଶବନ୍ତପୁର, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ମହାରାଷ୍ଟ୍ରର ନାସିକ୍‌ରୁ ପିଆଜ ଆସିଥାଏ । ଉତ୍ପାଦନ ପେଣ୍ଠସ୍ଥଳୀଗୁଡିକରେ ଦର ଉଚ୍ଚା ରହୁଥିବା ଯୋଗୁ ରାଜ୍ୟକୁ ଧୀରେ ଧୀରେ ପିଆଜ ଆମଦାନୀ କମିବାରେ ଲାଗିଛି । ଏହାସହ ଲଗାଣ ବର୍ଷା ଦର ଅଧିକ ବଢ଼ାଇ ଦେଇଛି । ରାଜଧାନୀର ବ୍ୟବସାୟିକ ପେଣ୍ଠସ୍ଥଳ ଆଇଗିଣିଆକୁ ଦୈନିକ ପାଖାପାଖି ୧୫ ଗାଡି (୨୫୦ରୁ ୩୦୦ ଟନ୍‌) ପିଆଜ ଆସୁଥିବାବେଳେ  ଆଜି ମାତ୍ର ୬ ଗାଡି(୧୩୦-୧୫୦ ଟନ୍‌ ପିଆଜ )ଆସିଛି ।  ମଙ୍ଗଳବାର ଆଇଗିଣିଆରେ ପିଆଜ ଦର କ୍ବିଣ୍ଟାଲ ପିଛା ୭୦୦୦ ଟଙ୍କା ରହିଥିବାବେଳେ ଆଜି ତାହା ୭୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଦୁଇ ଦିନ ତଳେ ସେଠାରେ ପିଆଜ କ୍ବିଣ୍ଟାଲ ପିଛା ୫,୮୦୦ରୁ ୬୨୦୦ ଟଙ୍କା ରହିଥିଲା । ପାଇକାରୀ ବଜାରରେ ହଠାତ୍‌ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ଯାହା ଫଳରେ ଖୋଲା ବଜାରରେ ପିଆଜ କିଲୋ ପିଛା ୮୦ ଟଙ୍କା ଟପିଛି । ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଆମକୁ ତିନି ଦିନ ହେବ ପିଆଜ କିଣା ଅଧିକ ପଡୁଛି ଯାହା ଫଳରେ ଏହାକୁ ଆମେ ଅଧିକ ଦରରେ ବିକ୍ରି କରୁଛୁ । ଦୁଇ ଦିନ ହେବ ଆଇଗିଣିଆକୁ ୧୨-୧୫ ଗାଡି ସ୍ଥାନରେ ୬ ଗାଡି ପିଆଜ ଆସୁଛି । ଚାହିଦା ତୁଳନାରେ ଯୋଗାଣ କମୁଥିବାରୁ ଦର ବଢୁଛି । ଅନ୍ୟପକ୍ଷରେ ଏହା ଉପର ମତ ରଖି ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ପୁରୁଣା ପିଆଜ ଏବେ ସରି ଆସୁଛି। କେବଳ କର୍ନୋଲ, ଗୁଡୁମ୍‌ ଏବଂ ବେଙ୍ଗାଲୁରୁରୁ ବହୁତ କମ୍‌ ଗାଡି ପିଆଜ ଆସୁଛି। ପିଆଜ ପାଇଁ ସବୁବେଳେ ବାହାର ରାଜ୍ୟ ଉପରେ ନିର୍ଭର ନ କରି  ଆମକୁ ସ୍ବାବଲମ୍ବୀ ହେବାକୁ ହେବ, ନଚେତ୍‌ ପ୍ରତି ବର୍ଷ‌ ଦଶହରାରୁ ଦୀପାବଳି ଯାଏ ଅଧିକ ଦରରେ ଆମକୁ ପିଆଜ କିଣିବାକୁ ପଡିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ହାଟ ବଜାରରେ ଷ୍ଟକ ସହ ବିକ୍ରି ମୂଲ୍ୟ ଯାଞ୍ଚ କରାଯାଇଥିଲା ।

Comments are closed.