ସିଧୁଙ୍କୁ ବର୍ଷେ ସଜା

ନୂଆଦିଲ୍ଲୀ : ତିନି ଦଶନ୍ଧିର ଏକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଲୋକପ୍ରିୟ ପୂର୍ବତନ କ୍ରିକେଟର ତଥା ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂହ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୮ରେ ସୁପ୍ରିମକୋର୍ଟ ଏହି ମାମଲାରେ ଦେଇଥିବା ନିଜ ରାୟକୁ ସମୀକ୍ଷା କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡିତଙ୍କ ପରିବାର ପକ୍ଷରୁ ଦାୟର ସମୀକ୍ଷା ଆବେଦନର ବିଚାର କରିବା ପରେ ବିଚାରପତି ଏଏମ୍ ଖାନୱିଲକର ଓ ଏସକେ କୌଲ ଗୁରୁବାର ପୁରୁଣା ରାୟର ସମୀକ୍ଷା କରିଛନ୍ତି।
ରାୟକୁ ପୀଡିତଙ୍କ ପରିବାର ସ୍ବାଗତ କରିଥିବାବେଳେ ସିଧୁ ନିଜେ ଆତ୍ମସମର୍ପଣ କରିବେ ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ ଶୁକ୍ରବାର ଅପରାହ୍ଣରେ ସିଧୁ ଆତ୍ମସମର୍ପଣ କରିବେ ବୋଲି ଜଣାଯାଇଛି। ୧୯୮୮ ଡିସେମ୍ବର ୨୭ରେ ଏକ ମାଡପିଟ୍ ଘଟଣାରେ ସିଧୁ ଓ ତାଙ୍କ ସାଥୀ ରୂପିନ୍ଦର ସିଂହ ସାନ୍ଧୁଙ୍କ ଏକ ଶକ୍ତ ଚଟକଣା ପକାଇବାରୁ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ି ଚଳାଇବାକୁ ନେଇ ରାସ୍ତାରେ ଯୁକ୍ତିତର୍କରୁ ଏହି ମାଡପିଟ୍ ହୋଇଥିଲା। ଏହି ମାମଲାରେ ପଟିଆଲା ଦୌରା ଅଦାଲତ ୧୯୯୯ରେ ସିଧୁଙ୍କୁ ହତ୍ୟା ମାମଲାରୁ ଦୋଷମୁକ୍ତ କରିଥିଲେ। ମାତ୍ର ୨୦୦୬ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହାର ପୁନଃବିଚାର ପୂର୍ବକ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଥିଲେ। ସିଧୁ ଏହି ଦଣ୍ଡାଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ୨୦୧୮ ମେ ୧୫ ତାରିଖରେ ସୁପ୍ରିମକୋର୍ଟ ସିଧୁଙ୍କ ଉପରେ ଆରୋପ ଅଭିଯୋଗକୁ ଖାରଜ କରିଦେଇଥିଲେ। ଆଇପିସି ଧାରା ୩୦୪ ଅନୁଯାୟୀ ସିଧୁଙ୍କୁ ଉଦ୍ଦେଶ୍ୟ ରହିତ ହତ୍ୟା ଅଭିଯୋଗରେ ହାଇକୋର୍ଟ ଦୋଷୀ ଦର୍ଶାଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ତେବେ ଜଣେ ବରିଷ୍ଠ ନାଗରିକଙ୍କୁ ଆଘାତ ଦେବା ଅଭିଯୋଗରେ ସୁପ୍ରିମକୋର୍ଟ ସିଧୁଙ୍କୁ ଦୋଷୀ ଦର୍ଶାଇବା ସହ ମାତ୍ର ୧୦୦୦ ଟଙ୍କା ଜୋରିମାନା ଦଣ୍ଡ ଦେଇ ଜେଲ୍‌ଦଣ୍ଡରୁ ମୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ପୀଡିତ ଗୁରନାମ ସିଂହଙ୍କ ପରିବାର ପକ୍ଷରୁ ଦାୟର ସମୀକ୍ଷା ଆବେଦନର ପୁନଃବିଚାର କରିବାକୁ ରାଜି ହୋଇଥିଲେ। ବିଚାରପତି ଏଏମ୍ ଖାନୱିଲକର ଓ ଏସକେ କୌଲଙ୍କୁ ନେଇ ଗଠିତ ପୀଠ ସମୀକ୍ଷା ଆବେଦନର ବିଚାର କରି ସିଧୁଙ୍କୁ ୧ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପଞ୍ଜାବ ପୁଲିସ ସିଧୁଙ୍କୁ ନିଜ ହେପାଜତକୁ ନେବ।
କ୍ରୋଧର ପରିଣାମ ନିଶ୍ଚିତ ଭୋଗିବାକୁ ହେବ: ସୁପ୍ରିମକୋର୍ଟ
ନବଜୋତ ସିଂହ ସିଧୁଙ୍କ ମାମଲାର ସମୀକ୍ଷା ସମୟରେ ସୁପ୍ରିମକୋର୍ଟ ଗୁରୁବାର କେତେକ ଟିପ୍ପଣୀ ଦେଇଥିଲେ। ଟିପ୍ପଣୀ ଅନୁଯାୟୀ ହତ୍ୟାକାଣ୍ଡ ସମୟରେ ସିଧୁଙ୍କ ବୟସ ୨୫ବର୍ଷ ହୋଇଥିବାବେଳେ ହତ୍ୟାର ଶିକାର ବ୍ୟକ୍ତି ଗୁରନାମ ସିଂହଙ୍କ ବୟସ ୫୬ବର୍ଷ ଥିଲା। ଗୁରୁନାମଙ୍କୁ ହତ୍ୟା କରିବା ସିଧୁଙ୍କର ଉଦ୍ଦେଶ୍ୟ ନଥିଲା। କ୍ରୋଧ ବସତଃ ସିଧୁ ଗୁରନାମଙ୍କ ମୁଣ୍ଡକୁ ହାତରେ ଶକ୍ତ ପ୍ରହାର କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ସିଧୁଙ୍କୁ ତାଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଜଣଙ୍କର କ୍ରୋଧ ସମୟକ୍ରମେ ଶାନ୍ତ ହୋଇଯାଇଥାଏ ମାତ୍ର ନିଜ କ୍ରୋଧର ପରିଣାମ ଜଣଙ୍କୁ ସର୍ବଦା ଭୋଗିବାକୁ ପଡିଥାଏ। ତେଣୁ ସିଧୁଙ୍କ କ୍ଷେତ୍ରରେ ମଧ୍ୟ କ୍ରୋଧର ପରିଣାମ ଭୋଗ କରିବାକୁ ପଡିବ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ହତ୍ୟାକାଣ୍ଡରେ କୌଣସି ଅସ୍ତ୍ର ବ୍ୟବହାର ହୋଇ ନଥିଲେ ମଧ୍ୟ ହାତକୁ ଅସ୍ତ୍ର ଭାବେ ବିବେଚନା କରାଯାଇପାରିବ। ବିଚାରପତି ଦ୍ବୟ କହିଛନ୍ତି ଯେ ନ୍ୟାୟ ପ୍ରଦାନ ସମୟରେ ବିଚାରପତି ଅପରାଧୀର ବୟସ, ଶକ୍ତି, ସମୟକୁ ମଧ୍ୟ ବିଚାର କରିବା ଦରକାର। ସେହିପରି ଅପରାଧ ତୁଳନାରେ ଅନୁରୂପ ଦଣ୍ଡାଦେଶ ପ୍ରଦାନ କରା ନଗଲେ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ତୁଟିଯିବ। ଏହା ସହିତ ପୀଡିତ ପକ୍ଷ ନିରାଶ ହୋଇଯିବେ।

Comments are closed.